ନୂଆଦିଲ୍ଲୀ: ନେପାଳରେ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇବା ପ୍ରତିବାଦରେ ଘଟିଥିବା ହିଂସାକୁ ଦୃଷ୍ଟିରେ ରଖି ଭାରତ-ନେପାଳ ସୀମାରେ ସତର୍କତା ଜାରି କରାଯାଇଛି । ଆବଶ୍ୟକତା ଅନୁଯାୟୀ, କିଛି ସ୍ଥାନରେ ଅତିରିକ୍ତ ସୈନିକଙ୍କୁ ମୁତୟନ କରାଯାଇଛି। ଭାରତ-ନେପାଳ ସୀମାରେ ମୁତୟନ ହୋଇଥିବା ଏସଏସବି ଅନୁସାରେ, ଏପର୍ଯ୍ୟନ୍ତ ସୀମାରେ କୌଣସି ଗତିବିଧି ବନ୍ଦ କରାଯାଇ ନାହିଁ। କିନ୍ତୁ ପରିସ୍ଥିତି ଉପରେ ନଜର ରଖାଯାଇଛି । ଭାରତ-ନେପାଳର ସମସ୍ତ ୧୬ଟି ସରକାରୀ ପଏଣ୍ଟରେ ମୁତୟନ ହୋଇଥିବା ସୈନିକମାନଙ୍କୁ କୁହାଯାଇଛି ଯେ, ଯଦି ସେମାନେ କୌଣସି ସ୍ଥାନରେ ଲୋକଙ୍କ ଭିଡ଼ ଜମା ଦେଖନ୍ତି କିମ୍ବା କୌଣସି ପ୍ରକାରର ବିଶୃଙ୍ଖଳା କାର୍ଯ୍ୟକଳାପ ଦେଖନ୍ତି ତେବେ ସେମାନେ ତୁରନ୍ତ ହାଇକମାଣ୍ଡଙ୍କୁ ଏ ବିଷୟରେ ଜଣାଇବେ ।
ଅଧିକାରୀଙ୍କ କହିବା ଅନୁଯାୟୀ ବିହାର ଏବଂ ଉତ୍ତର ପ୍ରଦେଶକୁ ଲାଗି ରହିଥିବା ସମସ୍ତ ନେପାଳୀ ପ୍ରବେଶ ସ୍ଥାନରେ ସତର୍କ ସୂଚନା ଜାରି କରାଯାଇଛି। ବିହାରର ରକ୍ସୌଲ ପ୍ରବେଶ ପଏଣ୍ଟ ଠାରୁ ଆରମ୍ଭ କରି ୟୁପିର ସୋନୌଲି ସୀମା, ଜୋଗବାନି, ଭିତ୍ଥାମୋଡ ଏବଂ ଜୟନଗର ପର୍ଯ୍ୟନ୍ତ ସମସ୍ତ ଭାରତ-ନେପାଳ ସୀମାରେ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି । ନେପାଳରେ ହିଂସାକୁ ଦେଖି ଭାରତରୁ ନେପାଳ ଯିବାକୁ ଚାହୁଁଥିବା ଲୋକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି।
କେବଳ ଏତିକି ନୁହେଁ, ବିଶେଷଜ୍ଞମାନେ ଏହା ମଧ୍ୟ କହିଛନ୍ତି ଯେ, ଯଦି ନେପାଳର ପରିସ୍ଥିତି ଆହୁରି ଖରାପ ହୁଏ ତେବେ ଭାରତରୁ ନେପାଳକୁ ଖାଦ୍ୟ ସାମଗ୍ରୀର ଚୋରା ଚାଲାଣ ଆରମ୍ଭ ହୋଇପାରେ । ଏଥିପାଇଁ ମଧ୍ୟ ଏସଏସବି ଏବଂ ରାଜ୍ୟ ପୁଲିସ ପ୍ରସ୍ତୁତି କରୁଛନ୍ତି । ଏଥିରେ କୌଣସି ଅରାଜକତା ସୃଷ୍ଟି ନହେବା ଲାଗି ସାବଧାନତା ଅବଲମ୍ବନ କରାଯାଉଛି । ଏସଏସବି ଅଧିକାରୀମାନେ କହିଛନ୍ତି ଯେ, ବର୍ତ୍ତମାନ ଭାରତରୁ ନେପାଳ କିମ୍ବା ନେପାଳରୁ ଭାରତ ଯାତ୍ରା ଉପରେ କୌଣସି କଟକଣା ଲଗାଯାଇ ନାହିଁ । ଦୁଇ ଦେଶ ମଧ୍ୟରେ ଲୋକ ଏବଂ ସାମଗ୍ରୀ ପରିବହନ ପୂର୍ବ ପରି ଜାରି ରହିଛି । କିନ୍ତୁ ଆଗାମୀ ସମୟରେ ପରିସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ଭାରତରୁ ନେପାଳକୁ ସାମଗ୍ରୀ ପରିବହନ ବନ୍ଦ କରାଯାଇପାରେ ।