ମୁମ୍ବାଇ ୦୫/୧୦: କିଛି ଦିନ ତଳେ ୟଶରାଜ ଫିଲ୍ମସ ଅପ୍‌କମିଙ୍ଗ ସ୍ପାଇ ୟୁନିଭର୍ସ ଥ୍ରିଲର ଫିଲ୍ମର ଟାଇଟଲ ଜାରି କରିଥିଲା । ଆଲିୟା ଭଟ୍ଟ ଷ୍ଟାରର୍‌ ଏହି ଫିଲ୍ମର ନାଁ ‘ଆଲ୍‌ଫା’ । ତେବେ ଏଥିରେ ଆଲିୟାଙ୍କ ସହିତ  ମୁଖ୍ୟ ଭୁମିକାରେ ଶର୍ଭରୀ ୱାଗ ମଧ୍ୟ ନଜର ଆସିବେ ।  ଏହି ଆକ୍ସନ୍‌-ପ୍ୟାକ୍‌ଡ ଫିଲ୍ମର ସୁଟିଂ ଆରମ୍ଭ ହୋଇସାରିଛି ।  ଉଭୟ ଆଲିୟା ଓ ଶର୍ଭରୀ ଏଜେଣ୍ଟ୍‌ ଚରିତ୍ରରେ ଦମ୍‌ଦାର  ଆକ୍ସନ୍‌ ଦେଖାଇବେ । ଏବେ ନିର୍ମାତା ଦର୍ଶକଙ୍କୁ ବଡ଼  ଅପ୍‌ଡେଟ୍‌ ଦେଇଛନ୍ତି । ଫିଲ୍ମର ରିଲିଜ୍‌ ତାରିଖ ଘୋଷଣା  କରିଛନ୍ତି । 

ଆସନ୍ତା ବର୍ଷ କ୍ରିସ୍‌ମାସ ଅର୍ଥାତ୍‌ ଡିସେମ୍ବର  ୨୫ରେ ଫିଲ୍ମଟି ମୁକ୍ତିଲାଭ କରିବ । ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ୟଶରାଜ ଫିଲ୍ମସ  ଫିଲ୍ମର ରିଲିଜ୍‌ ତାରିଖ ଘୋଷଣା କରିଛି । ୟଶରାଜ  ଫିଲ୍ମସ ସ୍ପାଇ ୟୁନିଭର୍ସରେ ‘ଆଲ୍‌ଫା’ ପ୍ରଥମ  ମହିଳା-କୈନ୍ଦ୍ରିକ ପ୍ରୋଜେକ୍ଟ ହୋଇଥିବାରୁ ଫିଲ୍ମକୁ  ନେଇ ସିନେପ୍ରେମୀଙ୍କର ପ୍ରବଳ ଉତ୍ସାହ ରହିଛି ।  ପୂର୍ବରୁ ଏହା ଅଧୀନରେ ‘ଟାଇଗର’, ‘ପଠାନ୍‌’  ଓ ‘ୱାର୍‌’ ମୁକ୍ତିଲାଭ କରିଛି । ମହିଳା  ମୁଖ୍ୟ କଳାକାରଙ୍କ ଉପରେ ଫୋକସ୍‌  ଜରିଆରେ ‘ଆଲ୍‌ଫା’ ୟଶରାଜ  ଫିଲ୍ମସ ସ୍ପାଇ ୟୁନିଭର୍ସର  ପରିସର ବଢ଼ାଇଛି ।  ଗତ ଜୁଲାଇରେ  ଫିଲ୍ମର ସୁଟିଂ  ଆରମ୍ଭ  କରିବା  ପୂର୍ବରୁ  ଆଲିୟା  ନିଜ  ଭୂମିକା  ପାଇଁ କଡ଼ା  ତାଲିମ ନେଇଥିଲେ ।  ଫିଲ୍ମରେ ଅନିଲ କପୁର  ଓ ବବି ଦେଓଲ ମଧ୍ୟ ଗୁରୁତ୍ୱପୂର୍ଣ୍ଣ  ଭୂମିକାରେ ଅଭିନୟ କରିଛନ୍ତି ।