ମୁମ୍ବାଇ ୦୫/୧୦: କିଛି ଦିନ ତଳେ ୟଶରାଜ ଫିଲ୍ମସ ଅପ୍କମିଙ୍ଗ ସ୍ପାଇ ୟୁନିଭର୍ସ ଥ୍ରିଲର ଫିଲ୍ମର ଟାଇଟଲ ଜାରି କରିଥିଲା । ଆଲିୟା ଭଟ୍ଟ ଷ୍ଟାରର୍ ଏହି ଫିଲ୍ମର ନାଁ ‘ଆଲ୍ଫା’ । ତେବେ ଏଥିରେ ଆଲିୟାଙ୍କ ସହିତ ମୁଖ୍ୟ ଭୁମିକାରେ ଶର୍ଭରୀ ୱାଗ ମଧ୍ୟ ନଜର ଆସିବେ । ଏହି ଆକ୍ସନ୍-ପ୍ୟାକ୍ଡ ଫିଲ୍ମର ସୁଟିଂ ଆରମ୍ଭ ହୋଇସାରିଛି । ଉଭୟ ଆଲିୟା ଓ ଶର୍ଭରୀ ଏଜେଣ୍ଟ୍ ଚରିତ୍ରରେ ଦମ୍ଦାର ଆକ୍ସନ୍ ଦେଖାଇବେ । ଏବେ ନିର୍ମାତା ଦର୍ଶକଙ୍କୁ ବଡ଼ ଅପ୍ଡେଟ୍ ଦେଇଛନ୍ତି । ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିଛନ୍ତି ।
ଆସନ୍ତା ବର୍ଷ କ୍ରିସ୍ମାସ ଅର୍ଥାତ୍ ଡିସେମ୍ବର ୨୫ରେ ଫିଲ୍ମଟି ମୁକ୍ତିଲାଭ କରିବ । ସୋସିଆଲ ମିଡିଆ ପ୍ଲାଟ୍ଫର୍ମରେ ୟଶରାଜ ଫିଲ୍ମସ ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିଛି । ୟଶରାଜ ଫିଲ୍ମସ ସ୍ପାଇ ୟୁନିଭର୍ସରେ ‘ଆଲ୍ଫା’ ପ୍ରଥମ ମହିଳା-କୈନ୍ଦ୍ରିକ ପ୍ରୋଜେକ୍ଟ ହୋଇଥିବାରୁ ଫିଲ୍ମକୁ ନେଇ ସିନେପ୍ରେମୀଙ୍କର ପ୍ରବଳ ଉତ୍ସାହ ରହିଛି । ପୂର୍ବରୁ ଏହା ଅଧୀନରେ ‘ଟାଇଗର’, ‘ପଠାନ୍’ ଓ ‘ୱାର୍’ ମୁକ୍ତିଲାଭ କରିଛି । ମହିଳା ମୁଖ୍ୟ କଳାକାରଙ୍କ ଉପରେ ଫୋକସ୍ ଜରିଆରେ ‘ଆଲ୍ଫା’ ୟଶରାଜ ଫିଲ୍ମସ ସ୍ପାଇ ୟୁନିଭର୍ସର ପରିସର ବଢ଼ାଇଛି । ଗତ ଜୁଲାଇରେ ଫିଲ୍ମର ସୁଟିଂ ଆରମ୍ଭ କରିବା ପୂର୍ବରୁ ଆଲିୟା ନିଜ ଭୂମିକା ପାଇଁ କଡ଼ା ତାଲିମ ନେଇଥିଲେ । ଫିଲ୍ମରେ ଅନିଲ କପୁର ଓ ବବି ଦେଓଲ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି ।