ଭଞ୍ଜନଗର,୨୭/୧୧ : ଭଞ୍ଜନଗର କବି ସମ୍ରାଟ ଷ୍ଟାଡିୟମରେ ଚାଲିଥିବା ସର୍ବଭାରତୀୟ ଭଞ୍ଜ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟର ପୁଲ୍ -ଗୃପର ପ୍ରଥମ କ୍ବାଟର ଫାଇନାଲ ମ୍ୟାଚରେ ସମ୍ବଲପୁର କେଏଫସିକୁ ୨-୧ଗୋଲରେ ପରାଜିତ କରି ସେମି ଫାଇନାଲ ରାଉଣ୍ଡକୁ ଉଠିଛି ମରାଠା ଏକାଦଶ ।

ଗୁରୁବାର ଭରପୁର ଦର୍ଶକଙ୍କ ଉପସ୍ଥିତିରେ ଉଭୟ ଦଳର ଖେଳାଳୀମାନେ ବେଶ ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ କରିଥିଲେ। ଆରମ୍ଭରୁ ସମ୍ବଲପୁର କେଏଫସି ବେଶ ପ୍ରଭାବ ବିସ୍ତାର କରି ଖେଳିଥିଲେ ମଧ୍ୟ ପ୍ରତିପକ୍ଷ ଖେଳାଳିଙ୍କ ସୁରକ୍ଷା ଭେଦ କରି ଗୋଲ କରିବାରେ ସମର୍ଥ ହୋଇପାରି ନ ଥିଲେ । ଆଉ ପରିମାଣ ସ୍ବରୂପ ମରାଠା ଏଫସି ସ୍ଥାନୀୟ ଦର୍ଶକଙ୍କ ଭରପୁର ସମର୍ଥନ ପାଇଁ ପ୍ରଥମାର୍ଦ୍ଧର ୩୩ତମ ମିନିଟରେ ପ୍ରଥମ ଗୋଲ୍ ସ୍କୋର କରିଥିଲା। ଦଳର ୧୫ନମ୍ବର ଖେଳାଳି ସୋନୁଙ୍କଠାରୁ ଏକ ସୁନ୍ଦର ପାସ୍ ପାଇ ୧୭ନମ୍ବର ଖେଳାଳି ଜଗନ୍ନାଥ ଟୁଡୁ ଏହି ଗୋଲ୍ ସ୍କୋର କରିଥିଲେ। ପରେ ମ୍ୟାଚର ୪୯ମିନିଟରେ ସୋନୁଙ୍କଠାରୁ ଆଉ ଏକ ସୁନ୍ଦର ପାସ୍ ପାଇ ମରାଠା କ୍ଲବର ୮ନମ୍ବର ଖେଳାଳି ବଳରାମ ଦଳ ପାଇଁ ଦ୍ବିତୀୟ ଗୋଲ୍ ସ୍କୋର କରିଥିଲେ ।

ସେହିପରି ଦ୍ବିତୀୟାର୍ଦ୍ଧର ୬୬ତମ ମିନିଟରେ ଡିଏରିଆ ଭିତରେ ମରାଠା କ୍ଲବ୍ ଖେଳାଳିଙ୍କ ଫାଉଲ ଧରା ପଡ଼ିଥିଲା। ଫଳ ସ୍ବରୂପ ସମ୍ବଲପୁର କେଏଫସିକୁ ଏକ ପେନାଲଟି ବଲ୍ ମିଳିଥିଲା। ଆଉ ଦଳର ୧୫ନମ୍ବର ଖେଳାଳି ସୁଶାନ୍ତ ନାୟକ ଏହାକୁ ଗୋଲରେ ପରିଣତ କରିଥିଲେ। ଏହାପରେ ସମ୍ବଲପୁର କେଏଫସି ଘନ ଘନ ଆକ୍ରମଣ କରିଥିଲେ ମଧ୍ୟ ଆଉ ଗୋଲ୍ ସ୍କୋର କରିପାରି ନ ଥିଲେ। ଫଳରେ ଦଳ ୨-୧ଗୋଲ୍ ବ୍ୟବଧାନରେ ପରାଜିତ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିଲା।

ଭଞ୍ଜନଗର ଅଷ୍ଟମ ସ୍ଵତନ୍ତ୍ର ବାଟାଲିୟନ କମାଣ୍ଡାଣ୍ଟ ସୁଧାକର ମିଶ୍ର ମ୍ୟାଚ୍ ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ଜଳ ସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଇ. ସଞ୍ଜୟ ପ୍ରଧାନ, ଜଗନ୍ନାଥ ପ୍ରସାଦ ବ୍ଲକ ଉପାଧ୍ୟକ୍ଷ ନିଳାଞ୍ଚଳ ଖିଲାର ପ୍ରମୁଖ ଯୋଗଦେଇଥିଲେ। ଟୁର୍ଣ୍ଣାମେଣ୍ଟ ଆୟୋଜକ କମିଟି ସଭାପତି ବିଷ୍ଣୁ ପ୍ରସାଦ ପ୍ରଧାନ ଅତିଥିମାନଙ୍କୁ ସ୍ବାଗତ କରିବା ସହ ପଡ଼ିଆରେ ଖେଳାଳିମାନଙ୍କ ସହ ପରିଚିତ କରାଇଥିଲେ । ଶୁକ୍ରବାର ହାଇଦ୍ରାବାଦ ପୁଲିସ (ତେଲେଙ୍ଗାନା) ସହ ଜେଡି କ୍ଲବ୍ ଫୁଲବାଣୀ ମଧ୍ୟରେ ମୁକାବିଲା ହେବ ବୋଲି କମିଟିର ଉପସଭାପତି ଧୀରେଶ ମହାନ୍ତି ସୂଚନା ଦେଇଛନ୍ତି ।