ପାଗଳ କରିଛି ସ୍ମାର୍ଟଫୋନ୍ । ସୋସିଆଲ ମିଡିଆ, ଅନଲାଇନ୍ ଗେମିଂ ମାୟାରେ ବାୟା । ପାରିବାରିକ ବନ୍ଧନ ହୁଗୁଳା । ଆମ କିଶୋରମାନେ ଏବେ ଅସହିଷ୍ଣୁ, ବଦ୍ରାଗୀ ଓ ଗ୍ଲାନିଗ୍ରସ୍ତ । ଡିଜିଟାଲ୍ର ଫାଶରେ ଜୀବନ ରଙ୍ଗହୀନ ଆଉ ରସହୀନ । କେବଳ ମୋହଗ୍ରସ୍ତ କରୁନି, ଜୀବନ ନେଉଛି ଏ ମୃତ୍ୟୁର ସୌଦାଗର ।
ସରି ମମି...ପାପା.. । କାନ୍ଦୁଥିବା ଇମୋଜି । ଆତ୍ମହତ୍ୟା ନୋଟ୍ । ଜୀବନର ଶେଷ ନୋଟ୍ । ଶେଷ ନିଃଶ୍ୱାସ । ପରିବାର ଶୋଇଥିଲା । ସାହି ପଡ଼ିଶା ବି ନିଘୋଡ଼ ନିଦରେ । ଆପାର୍ଟମେଣ୍ଟର ୯ମ ମହଲାରୁ ଖସୁଥିଲା ଜୀବନ । ତଳ ଛୁଇଁବା ପରେ ମୃତ୍ୟୁର ଶୀତଳ ଆଲିଙ୍ଗନ । ଆଗ ପଛ ହୋଇ ଚାଲିଗଲା ଗୋଟିଏ ପରିବାରର ୩ ଭଉଣୀଙ୍କ ଜୀବନ । ଜନ୍ମକଲା ବାପା-ମାଆଙ୍କ ପାଇଁ ଛାଡ଼ିଗଲେ ସନ୍ତକ ‘ସୁଇସାଇଡ୍ ନୋଟ୍’ । ଅନଲାଇନ୍ ଗେମ୍ର ଭୟଙ୍କର ପରିଣତି ଦେଖିଲା ସାରା ଦୁନିଆ । ସମସ୍ତେ ସ୍ତବ୍ଧ । ଗାଜିଆବାଦର ଏ ଛାତିଥରା ଘଟଣାକୁ ଆମେ କ’ଣ କହିବା? ଆତ୍ମହତ୍ୟା ନା ଅନଲାଇନ୍ ହତ୍ୟା...ନା ଭର୍ଚୁଆଲ ମର୍ଡର? କୁଆଡ଼କୁ ଆମ ଗତି? ପାରିବାରିକ ବନ୍ଧନ ଶିଥିଳ ନା ଅସହାୟ? ପରିବାରର ନିବିଡ଼ ସଂପର୍କର ବନ୍ଧନ ଭିତରକୁ ‘ଅନଲାଇନ୍ ଗେମ୍’, ସୋସିଆଲ ମିଡିଆ ଧସେଇ ପଶୁଛି । ବିନା ଅସ୍ତ୍ର, ବିନା ରକ୍ତରେ ଅମୂଲ୍ୟ ଜୀବନ ନେଉଛି । କାହାର କ’ଣ କରିବାର କିଛି ‘ଯୁ’ ନାହିଁ? ଏ ନେଇ ଚିନ୍ତା କରିବାର ବେଳ ଆସିଛି । କିଏ ଜାଣେ ଏ ଅଦୃଶ୍ୟ ଯମ ଆହୁରି କାୟା ମେଲାଇବ । ଆହୁରି ଜୀବନ ନେବ । ବେଳ ଥାଉ ଥାଉ ବନ୍ଧ ନ ବାନ୍ଧିଲେ, ଦୁଃଖ, ଅନ୍ତର୍ଦାହ ଆଉ ଶୋକରେ ଭରିଯିବ ଜୀବନ ।
ପାଗଳ କରିଛି‘ସ୍ମାର୍ଟଫୋନ୍’
ସକାଳୁ ସଂଜ । ସଂଜରୁ ସକାଳ । ସ୍ମାର୍ଟଫୋନ୍ ମାୟାରେ ବାୟା । ସୋସିଆଲ ମିଡିଆ ଏବେ ଦୈନନ୍ଦିନ ଜୀବନର ଅଙ୍ଗ । ଯୁବପିଢ଼ିଙ୍କୁ ଗ୍ରାସ କରିସାରିଲାଣି ସାମାଜିକ ଗଣମାଧ୍ୟମ । କେବଳ ଯୁବପିଢ଼ି ନୁହଁନ୍ତି, ଅଧିକାଂଶ ଲୋକ ଏବେ ମୋବାଇଲ୍ ପାଗଳ । କୋମଳମତି ଶିଶୁ, କିଶୋର/କିଶୋରୀ ଓ ଯୁବକ/ଯୁବତୀ ଏହାର ମାୟାଜାଲରେ ବନ୍ଦୀ । ଅନଲାଇନ୍ ଗେମିଂ ଓ ବେଟିଂର ନିଶାରେ ଉବୁଟୁବୁ । ଏ ବୁଢ଼ିଆଣୀ ଜାଲରେ ଏମିତି ଛନ୍ଦି ହୋଇ ପଡୁଛନ୍ତି ଯେ ଅବସାଦ ଆସିଲେ ଜୀବନ ହାରି ଦେଉଛନ୍ତି । “ସେଲ୍ଫି’ ଓ “ରିଲ୍’ର ନିଶା ଯୁବ ସମାଜକୁ ଏମିତି ଘାରିଛି ଯେ ଏତଦ୍ଜନିତ ମୃତ୍ୟୁ ସଂଖ୍ୟାରେ ଭାରତ ସାରା ପୃଥିବୀରେ ପ୍ରଥମ ସ୍ଥାନ ଅଧିକାର କରିଛି । ସାମାଜିକ ଗଣମାଧ୍ୟମର ନାଗଫାଶରେ ବାନ୍ଧି ହୋଇ ନିଜ ଶୈଶବ, କୈଶୋର ଓ ଯୌବନ ବିପର୍ଯ୍ୟସ୍ତ କରି ପକାଉଛନ୍ତି ।
ପିଲାଏ ଘରୁ ବାହାରୁ ନାହାନ୍ତି । ଦିନ ରାତି ସ୍ମାର୍ଟଫୋନ, ଟ୍ୟାବ୍ ଓ ଲାପ୍ଟପରେ ମଜ୍ଜି ରହୁଛନ୍ତି । ସେଇଠି ଭେଟୁଛନ୍ତି ସାଙ୍ଗସାଥୀଙ୍କୁ । ସେଇଠି ଖେଳୁଛନ୍ତି, ସେଇଠି ଖୋଜୁଛନ୍ତି ମନୋରଞ୍ଜନର ଖୋରାକ । ଅନଲାଇନ୍ ଗେମର ନିଶା ଉତୁରୁନି । ଗାଜିଆବାଦ ଘଟଣାରେ ସମସ୍ତେ ଆଶ୍ଚର୍ଯ୍ୟ । ପରିବାର ସ୍ତବ୍ଧ । ଅନଲାଇନ୍ କୋରିଆନ୍ ଗେମ୍ ଏମିତି ମୁଣ୍ଡକୁ ଚଢ଼ିଥିଲା ଯେ ୩ ଭଉଣୀ କାଳେ କୋରିଆ ପରମ୍ପରା ଓ ସଂସ୍କୃତିକୁ ଆପଣାଇ ନେଇଥିଲେ । ନିଜ ବିବାହ ପାଇଁ ‘ପ୍ରଥମ ପସନ୍ଦ’ ଥିଲେ କୋରିଆ ଯୁବକ । ଅନଲାଇନ୍ ଗେମ୍ରୁ ନିବୃତ୍ତ ରହିବାକୁ ପରିବାରର ଆକଟ ସହ ଆଉ କିଛି ସନ୍ଦିଗ୍ଧ କାରଣରୁ ୩ ଭଉଣୀ ଜୀବନ ହାରିଲେ । ସ୍ମାର୍ଟଫୋନ୍ କିଭଳି ମଣିଷକୁ ବିପଥଗାମୀ କରାଇ ଜୀବନ ନେଇପାରେ ତା’ର ବଡ଼ ଉଦାହରଣ ଗାଜିଆବାଦର ଏ ଚାଞ୍ଚଲ୍ୟକର ଘଟଣା ।
ପାରିବାରିକ ବନ୍ଧନ ହୁଗୁଳା
ମନେପଡ଼ୁଛି କେହି ଜଣେ କହିଥିଲେ, ନିଜ କାମଠୁ ବଳି ବଡ଼ ଶକ୍ତି କିଛି ନାହିଁ । ଲୋକଙ୍କ ଭଲପାଇବାଠୁ ବଳି ସମ୍ମାନ ଏବଂ ପରିବାରଠୁ ବଳି ବଡ଼ ସଂପତ୍ତି ଦୁନିଆରେ କିଛି ନାହିଁ । କିଛି ବି ନାହିଁ । ମନେ ରଖିବାକୁ ହେବ, ଆପଣ ନିଜେ ପରିବାର ବାଛିନାହାନ୍ତି । ସ୍ୱୟଂ ଈଶ୍ୱରଙ୍କ ଧାର୍ଯ୍ୟ ନିଷ୍ପତ୍ତିରେ ଏକ ପରିବାରରେ ଜନ୍ମ ନେଇଛନ୍ତି । ଭାରତୀୟ ପରିବାରର ନିବିଡ଼ତା ହିଁ ବଡ଼ ଶକ୍ତି । ମାତ୍ର ଏବେ ଧୀରେଧୀରେ ସଂପର୍କ ହୁଗୁଳା ଧରିଲାଣି । ପାରିବାରିକ ମୂଲ୍ୟବୋଧଠୁ ଅଧିକାଂଶ ପରିବାର ସଦସ୍ୟ ଦୂରେଇ ଯାଉଛନ୍ତି । ଏହା ଆମ ମାନସିକ ଅବସ୍ଥା ସହ ସ୍ୱାସ୍ଥ୍ୟକୁ କେତେ ପ୍ରଭାବିତ କରୁଛି, କେବେ ଆମେ ଭାବିଛୁ? ସମୟ ବଦଳୁଛି । ହୁଗୁଳି ଯାଉଛି ସଂପର୍କର ନିବିଡ଼ତା । ବାର୍ଦ୍ଧକ୍ୟ ପାଲଟିଯାଉଛି ବୋଝ । ହଜିଗଲାଣି ଯୌଥ ପରିବାରର ଥାଟପଟାଳି । ଜୀବନରେ ରଙ୍ଗ ନାହିଁ କି ରସ ।
ଯେଉଁ ପୁଅଝିଅଙ୍କୁ ପାଞ୍ଚ ଜଣରେ ଜଣେ ମଣିଷ କରିବାକୁ ବାପା-ମାଆ ନିଜ ଜୀବନକୁ ସମର୍ପିତ କରିଥାନ୍ତି ବୃଦ୍ଧାବସ୍ଥାରେ ସେମାନେ ଶାନ୍ତିରେ ବଞ୍ଚି ପାରୁନାହାନ୍ତି । ନା ହସହସ ମିଠା କଥା, ସେବା, ସମ୍ମାନ କିଛି ମିଳୁଛି । କିଏ ଦହଗଞ୍ଜ ହୋଇ ଘରେ ଭାଗ୍ୟକୁ ଆଦରି ପଡ଼ି ରହୁଛନ୍ତି । ଭାରତୀୟ ପାରିବାରିକ ମୂଲ୍ୟବୋଧ ଆଜି ଧରାଶାୟୀ । ସ୍ୱାମୀ-ସ୍ତ୍ରୀ, ଭାଇ-ଭଉଣୀ ହେଉ ଅବା ଜେଜେ-ନାତି ସଂପର୍କରେ ଧୀରେଧୀରେ ଭଟ୍ଟା ପଡ଼ିଲାଣି । ସଂପର୍କ ଏବେ ନିବୁଜ କୋଠରୀରେ ସ୍ମାର୍ଟଫୋନ ଅବା ଲାପଟପ୍ ସହ । ଜୀବନ ଜିଇଁବାକୁ ଦୁଃଖ ଓ ମନର ଭାବନା ସହ ଲଢ଼େଇ । ମାନସିକ ଯନ୍ତ୍ରଣା ଓ ରୋଗରୁ ଶରୀର ରାହା ଟେକୁଛି । ଆହା କହିବାକୁ କିଏ ବା ଅଛି? ଏହାର ସୁଯୋଗ ନେଇ‘ଅନଲାଇନ୍’ ଜୀବନକୁ କରୁଛି ନିୟନ୍ତ୍ରଣ ।
ସହରକୁ ଗଢ଼େ ମଣିଷ । ଈଶ୍ୱର କାଳେ ଗାଁ’କୁ ଗଢ଼ିଥାନ୍ତି । ବଦଳୁଛି ସମୟ । ଗାଁ ଗଣ୍ଡାରେ ବି ଯୌଥ ପରିବାରର ପରମ୍ପରା ହଜିଗଲାଣି । ପରିବାରର ଏକତା ମନକୁ ଦିଏ ଦମ୍ଭ ଓ ସାହସ । ପରିବାରରେ ହସଖୁସି, କଥାବାର୍ତ୍ତା ମାନସିକ ଅବସାଦର ଅବ୍ୟର୍ଥ ଔଷଧ । ପରିବାରରେ ହିଁ ଶୈଶବରୁ ବ୍ୟକ୍ତିର ପୂର୍ଣ୍ଣାଙ୍ଗ ଜୀବନର ମୂଳଦୁଆ ପଡ଼େ । ବ୍ୟକ୍ତିର ଶାରୀରିକ ଏବଂ ମାନସିକ ବିକାଶ ଏଇଠୁ ଆରମ୍ଭ ହୁଏ । ଭଲପାଇବା, ଘୃଣା, ଦୁଃଖ, ରାଗିବା, କାନ୍ଦିବା, ହସିବା ଇତ୍ୟାଦି ଆବେଗାତ୍ମକ ବିକାଶ ପରିବାର ଶିଖାଏ । ପରିବାର ହେଉଛି ବ୍ୟକ୍ତିର ପ୍ରଥମ ତଥା ମହତ୍ୱପୂର୍ଣ୍ଣ ସୁରକ୍ଷା ବଳୟ । ଯେଉଁଠି ପାରିବାରିକ ବନ୍ଧନ ଯେତେ ସୁଦୃଢ଼ ସେଠି ସୁରକ୍ଷା ବଳୟ ମଧ୍ୟ ସେତେ ବଳିଷ୍ଠ । ଏବେ କିନ୍ତୁ ଚାପଗ୍ରସ୍ତ ଜୀବନ । ଚାରିଆଡ଼େ କେମିତି ଗୋଟେ ସନ୍ଦେହ, ଅସହିଷ୍ଣୁତା ଓ ଅବିଶ୍ୱାସର ବାତାବରଣ । ଆଜିର ପିଲାମାନେ ଟିଭି, ମୋବାଇଲ୍ ଓ ଅନ୍ଲାଇନ୍ ଗେମ୍ରେ ଚୁର୍ । ସେମାନଙ୍କ ଭିତରେ “ଆଙ୍ଗ୍ଜାଇଟି’ରୁ ରାଗ, ଦ୍ୱେଷ ଓ ଭୟ ଭଳି ଗୁଣ ବଢ଼ୁଛି । ଭାବପ୍ରବଣତା ଓ ଭୟ ନେଉଛି ଅମୂଲ୍ୟ ଜୀବନ । ସଂସ୍କାରର ଅଭାବ ଓ ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବରେ ମଣିଷ ମନରେ ଦୁଃଖର ଶ୍ରାବଣ । ଦୁଃଶ୍ଚିନ୍ତା ଓ ନକାରାତ୍ମକ ଭାବନାରୁ ମୁକ୍ତି ବା କାଇଁ ଯେ?
ଜୀବନ ଜିନ୍ଦାବାଦ
ସ୍ମାର୍ଟଫୋନ୍ ଆମ ଶରୀର ଓ ମନକୁ କରୁଛି ଭାରାକ୍ରାନ୍ତ । ସମାଜ ବିଜ୍ଞାନୀଙ୍କ ମତରେ ଏହା କିଶୋରମାନଙ୍କୁ ଅସହିଷ୍ଣୁ, ବଦ୍ରାଗୀ ଓ ଗ୍ଲାନିଗ୍ରସ୍ତ କରୁଛି । ସାମାଜିକ ବାତାବରଣ ଅସୁସ୍ଥ ହୋଇ ଚାଲିଛି । ପିଲାମାନେ ଚୁପ୍ଚାପ ରହୁଛନ୍ତି । ଖେଳକୁଦ ପ୍ରତି ନୂଆ ପିଢ଼ି ଭିତରେ ଅନାଗ୍ରହ । ଫେସବୁକ୍, ୟୁଟ୍ୟୁବ୍, ହ୍ୱାଟସଆପ୍, ଅନଲାଇନ ଗେମିଂ ଏବେ ପ୍ରଥମ ପସନ୍ଦ । ଜାତୀୟ ଶିଶୁଅଧିକାର ସୁରକ୍ଷା ଆୟୋଗ ରିପୋର୍ଟ କହୁଛି, ଦେଶରେ ୮ରୁ ୧୮ ବର୍ଷ ମଧ୍ୟରେ ୩୦ ପ୍ରତିଶତ ପିଲାଙ୍କର ନିଜସ୍ୱ ସ୍ମାର୍ଟଫୋନ୍ ଅଛି । ୬୨ ପ୍ରତିଶତ ନିଜ ଅଭିଭାବକଙ୍କ ଫୋନ୍ରେ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି । ୪୩ ପ୍ରତିଶତଙ୍କର ସକ୍ରିୟ ସୋସିଆଲ ମିଡିଆ ଆକାଉଣ୍ଟ ଅଛି । ମାତ୍ରାଧିକ ସାମାଜିକ ଗଣମାଧ୍ୟମର ବ୍ୟବହାର ପିଲାଙ୍କ ମନରେ ଚାପ, ବ୍ୟଗ୍ରତା ଓ ମାନସିକ ଅଶାନ୍ତି ଆଣୁଛି ।
ଅସଲ ଦୁନିଆ ବନ୍ଧୁ ବଦଳରେ ନକଲି ଦୁନିଆରେ ବଞ୍ଚିବାକୁ ନାବାଳକମାନେ ଆଗ୍ରହ ଦେଖାଉଛନ୍ତି । ଯାହାର ଫଳ ହେଉଛି ହତାଶା, ଅବସାଦ, ଅସହିଷ୍ଣୁତା । ଅଭିଭାବକମାନେ ନିଜ ଇଚ୍ଛାକୁ ପିଲାଙ୍କ ଉପରେ ଲଦୁଛନ୍ତି । ପିଲାମାନେ ନା ରୋବୋଟ୍ ନା ରିମୋଟ୍ କଣ୍ଢେଇ । ଏକଥା ଆମେ କାହିଁକି ଭାବୁନୁ? ରକ୍ତମାଂସର ମଣିଷ ସେମାନେ ନିଜସ୍ୱ ଇଚ୍ଛା, ସ୍ୱପ୍ନ, ପସନ୍ଦ ବି ଅଛି । ଆମେ କିନ୍ତୁ ତାଙ୍କ ଉପରେ ଅଭିଭାବକପଣିଆ ଜାହିର କରିବାକୁ ଯାଇ କଅଁଳ ମନକୁ ଖିନଭିନ୍ କରୁଛୁ । ଆମଠାରୁ ଦୂୋରଇ ଦେଉଛୁ । ସାଥୀ ପାଲଟିଯାଉଛି ମୋବାଇଲ ଫୋନ, ସୋସିଆଲ ମିଡିଆ ଅବା ଅନଲାଇନ ଗେମ୍ । ତା’ ପରର କାହାଣୀ ଯେତିକି ହୃଦୟ ବିଦାରକ, ସେତିକି ମର୍ମନ୍ତୁଦ । କିଶୋରମାନଙ୍କୁ ସଂପର୍କର ବନ୍ଧନରେ ବାନ୍ଧି ରଖିବାର ଦାୟିତ୍ୱ ପ୍ରତିଟି ଅଭିଭାବକଙ୍କର । ତାଙ୍କ ମନରେ ସଂସ୍କାର କିଏ ଭର୍ତ୍ତି କରିବ? ଭୟ ଓ ଅବସାଦର ଫାଶରୁ କିଏ ମୁକୁଳାଇବ? ଡିଜିଟାଲ୍ ମାୟାଜାଲରେ ଛଟପଟ ହେଉଛନ୍ତି ଆମ ଶିଶୁ, କିଶୋର ଆଉ ଯୁବପିଢ଼ି । ଆମ ଅମୂଲ୍ୟ ପୁଞ୍ଜି ଏବେ ବାଟବଣା । ସରକାର ଖାଲି ଆଇନ ଆଣିଲେ ହେବନି, ପରିବାରର ରହିଛି ବଡ଼ ଦାୟିତ୍ୱ ।
ଏହାସହ ପଢ଼ନ୍ତୁ : ଭାରତକୁ କାହିଁକି ବାଛିଲା ଇୟୁ ?