ଭୁବନେଶ୍ୱର, ୦୫/୦୬: ଏଣିକି ରାଜ୍ୟର ସମସ୍ତ ପିକନିକ୍‌ ସ୍ପଟ୍‌ ହେବ ପ୍ଲାଷ୍ଟିକ ମୁକ୍ତ । 'ବିଶ୍ୱ ପରିବେଶ ଦିବସ' ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏହା କହିଛନ୍ତି ।

ଗୁରୁବାର ଓୟୁଏଟି ପରିସରରେ ବିଶ୍ୱ ପରିବେଶ ଦିବସ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କହିଥିଲେ, “ପ୍ଲାଷ୍ଟିକକୁ କେମିତି ପରାସ୍ତ କରିବା ତାହା ଚଳିତବର୍ଷ ଥିମ୍‌ ରହିଛି । ଏ ଦିଗରେ ୧୦ ହଜାର ଇକୋ କ୍ଲବ୍, ୧୬ ହଜାର ବନ ସମିତି କାମ କରୁଛନ୍ତି । ୧୧ କିଲୋଗ୍ରାମ ପ୍ଲାଷ୍ଟିକ୍ ଦେଶରେ ବର୍ଷକୁ ଜଣେ ବ୍ୟକ୍ତି ବ୍ୟବହାର କରୁଛି । ଟନ୍‌ ଟନ୍‌ ପ୍ଲାଷ୍ଟିକ୍ ଆମ ନଦୀରେ ମିଶୁଛି । ପ୍ଲାଷ୍ଟିକ୍ ଅବଶେଷ ମଶା ପ୍ରଜନନକୁ ବୃଦ୍ଧି କରୁଛି । ତେବେ ଆମ ରାଜ୍ୟରେ ଗତ ବର୍ଷ ୨୦୦ ପିକନିକ୍‌ ସ୍ପଟ୍‌ ପ୍ଲାଷ୍ଟିକ ମୁକ୍ତ ହୋଇଛି । ଏବେ ସବୁ ପିକନିକ୍‌ ସ୍ପଟ୍‌ ହେବ ପ୍ଲାଷ୍ଟିକ୍ ମୁକ୍ତ । କ୍ଳଥ୍‌ ବ୍ୟାଗ୍‌ ଭେଣ୍ଡିଂ ମେସିନ୍‌ ସହରର ପ୍ରମୁଖ ସ୍ଥାନରେ ବସିବ। ୧୮୫ ପ୍ରକୃତି ମିତ୍ର ଓ ୨୧୧ ପରିବେଶ ବନ୍ଧୁ ସମ୍ମାନ ଦିଆଯିବ।"