କଟକ,୧୬/୦୯: କିଏ ବାଇକ୍ ଟାଙ୍କି ଉପରେ ଝିଅଙ୍କୁ ବସାଇ ଗାଡ଼ି ଚଳାଇ ମୋବାଇଲ୍ରେ ରିଲ୍ସ୍ କରୁଛି ତ ଆଉ କି ହ୍ୟାଣ୍ଡଲ୍ ଛାଡ଼ି ଗାଡ଼ି ଚଳାଇ ସୁଟିଂ କରୁଛି । ପୁଣି ଚାରିଚକିଆ ଯାନରେ ମଧ୍ୟ ବିପଜ୍ଜନକ ଭାବେ ଚଳାଇ ରିଲ୍ସ୍ କରୁଛନ୍ତି । ସୋସିଆଲ୍ ମିଡିଆରେ ନିଜର ଭିୟୋର୍ସ ବଢ଼ାଇବା ପାଇଁ ଆଜିକାଲି ଯୁବକଯୁବତୀଙ୍କୁ ନିଶା ଘାରିଛି । ବିପଜ୍ଜନକ ଗାଡ଼ି ଚଳାଇ ଭିଡିଓ ପ୍ରସ୍ତୁତ କରୁଛନ୍ତି । ଏଭଳି ଗାଡ଼ି ଚାଳନା ଦ୍ୱାରା ସେମାନେ କେବଳ ନିଜ ପାଇଁ ବିପଦ ସୃଷ୍ଟି କରୁନାହାନ୍ତି ରାସ୍ତାରେ ଯାଉଥିବା ଅନ୍ୟ ଚାଳକ ଓ ପଥଚାରୀଙ୍କ ଲାଗି ଦୁର୍ଘଟଣାର କାରଣ ପାଲଟୁଛନ୍ତି । ଏହିଭଳି ଅନେକ ଘଟଣା ରାଜ୍ୟ ପରିବହନ ବିଭାଗ ନଜରକୁ ଆସିବା ପରେ ନିୟମ ଉଲ୍ଳଂଘନକାରୀ ଗାଡ଼ି ଚାଳକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ନିଆଯାଇଛି ।ଏଭଳି ଗାଡ଼ି ଚଳାଉଥିବା ଚାଳକଙ୍କ ଡିଏଲ୍ ବାତିଲ ସହ ସମ୍ପୃକ୍ତ ଗାଡ଼ିର ପଞ୍ଜୀକରଣ ରଦ୍ଦ କରାଯିବ ବୋଲି ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍ଟିଏ) ପକ୍ଷରୁ ଘୋଷଣା କରାଯାଇଛି ।
ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା ନିର୍ଦ୍ଦେଶ ଦେଇଛନ୍ତି । ବିଭାଗୀୟ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ନେତୃତ୍ୱରେ ଓ ଏସ୍ଟିଏ କମିସନର ଅମିତାଭ ଠାକୁରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏଭଳି ଗାଡ଼ି ଚାଳକଙ୍କ ଉପରେ ନିୟନ୍ତ୍ରଣ ଆଣିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି । ଗାଡ଼ି ଚଳାଇ ରିଲ୍ସ୍ କରୁଥିବା ବ୍ୟକ୍ତିଙ୍କୁ ଆଉ ଛାଡ଼ ଦିଆଯିବ ନାହିଁ ବୋଲି ଏସ୍ଟିଏ ପକ୍ଷରୁ ଚେତାବନୀ ଦିଆଯିବା ସହ କଠୋର କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରାଯାଇଛି । କେବଳ ରିଲ୍ସ୍ ତିଆରି ନୁହେଁ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ମଧ୍ୟ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍ଟିଏ ପକ୍ଷରୁ କୁହାଯାଇଛି । ଇତିମଧ୍ୟରେ ଏହିଭଳି କେତେଜଣ ଗାଡ଼ି ଚାଳକଙ୍କ ବିରୋଧରେ କିପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ସଂକ୍ରାନ୍ତରେ ମଧ୍ୟ ଏସ୍ଟିଏ ପକ୍ଷରୁ ସୂଚନା ଦିଆଯାଇଛି ।
ସେହିକ୍ରମରେ ଖୋର୍ଦ୍ଧା ଜିଲ୍ଲା ହଳଦିଆର ଏକ ବିଦ୍ୟାଳୟ ସମ୍ମୁଖ ରାସ୍ତାରେ ଚଳନ୍ତା ଚାରିଚକିଆ ଗାଡ଼ିରେ ଡ୍ରାଇଭର ଷ୍ଟିଅରିଂ ଛାଡ଼ି ରିଲ୍ସ କରୁଥିବା ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିଥିଲା । ଇତିମଧ୍ୟରେ ଉକ୍ତ ଗାଡ଼ିକୁ ଜବତ କରାଯାଇଛି । ଜରିମାନା ସହ ଡ୍ରାଇଭିଂ ଲାଇସେନ୍ସ ଓ ପଞ୍ଜୀକରଣ ସାର୍ଟିଫିକେଟ୍ ୩ ମାସ ନିଲମ୍ବନ ପାଇଁ ପଦକ୍ଷେପ ନେଇଛନ୍ତି । ଭୁବନେଶ୍ୱରରେ ଏକ ବାଇକ୍ରେ ଯୁବକ-ଯୁବତୀଙ୍କ ବିପଦପୂର୍ଣ୍ଣ ଗାଡ଼ି ଚାଳନାର ଭିଡିଓ ଭାଇରାଲ୍ ହେବା ପରେ ସେମାନଙ୍କୁ ଜରିମାନା ଦଣ୍ଡ ସହ ଡିଏଲ୍ ବାତିଲ ପାଇଁ ପଦକ୍ଷେପ ନିଆଯାଇଛି । ପୁରୀ ଓ କୋରାପୁଟରେ ମଧ୍ୟ ବେପରୁଆ ଗାଡ଼ିଚାଳନା, ନିଶା ଖାଇ ଗାଡ଼ିଚାଳନା ଅଭିଯୋଗରେ ସମ୍ପୃକ୍ତ ଡ୍ରାଇଭର୍ଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଏସ୍ଟିଏ ପକ୍ଷରୁ ସୂଚନା ଦିଆଯାଇଛି ।