ପ୍ରମୂଖ ଖବର
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ସବୁ ଶିକ୍ଷକ, ଅଧ୍ୟାପକଙ୍କୁ ମିଳିବ ଗ୍ରାଣ୍ଟ୍‌-ଇନ୍‌-ଏଡ୍‌

Published By : Prameya | March 20, 2025 8:44 AM

କଟକ, ୨୦/୦୩: ଆଉ  କୌଣସି ବିଦ୍ୟାଳୟ, ମହାବିଦ୍ୟାଳୟର ଶିକ୍ଷକ, ଅଧ୍ୟାପକମାନେ ବ୍ଲକ୍‌ ଗ୍ରାଣ୍ଟ ପାଇବେ ନାହିଁ । ସମସ୍ତ ଶିକ୍ଷକ, ଅଧ୍ୟାପକଙ୍କୁ ୧୯୯୪ ନିୟମ  ଅନୁସାରେ ଗ୍ରାଣ୍ଟ୍‌-ଇନ୍‌-ଏଡ୍‌ ଦରମା ପ୍ରଦାନ କରିବାକୁ ହାଇକୋର୍ଟ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାୟ ୩ ଶହ ଆବେଦନକାରୀ ଶିକ୍ଷକ, ଅଧ୍ୟାପକଙ୍କ ପକ୍ଷରୁ ଆଗତ ମାମଲାର ଏକତ୍ର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ବିରଜା ପ୍ରସନ୍ନ  ଶତପଥୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ଏହି ଆଦେଶ ଫଳରେ  ରାଜ୍ୟର ଲକ୍ଷାଧିକ ଶିକ୍ଷକ, ଅଧ୍ୟାପକ  ଉପକୃତ ହେବେ ।  

ରାଜ୍ୟ ସରକାର ୧୯୯୪  ମସିହାରେ ଏକ ଆଇନ  ବଳରେ ବିଭିନ୍ନ ବିଦ୍ୟାଳୟ ଏବଂ  ମହାବିଦ୍ୟାଳୟର ଶିକ୍ଷକ ଓ  ଅଧ୍ୟାପକଙ୍କ ପାଇଁ ଗ୍ରାଣ୍ଟ୍‌-ଇନ୍‌-ଏଡ୍‌  ଲାଗୁ କରିଥିଲେ । ଏହା ଲାଗୁ ହେବା  ଫଳରେ ବ୍ୟବସ୍ଥା ହେଲା ଯେ ଜଣେ  ଶିକ୍ଷକ ବା ଅଧ୍ୟାପକ ୫ବର୍ଷ ଚାକିରି  କରିବା ପରେ ମୋଟ୍‌ ଦରମାର  ୩ଭାଗରୁ ଗୋଟେ ଭାଗ ପାଇବେ । ୭ବର୍ଷ ଚାକିରି ପୂରଣ କଲେ ତିନି ଭାଗରୁ ଦୁଇ ଭାଗ ଏବଂ ୯ବର୍ଷ  ଚାକିରି ପୂରଣ କଲେ ସମ୍ପୂର୍ଣ୍ଣ ଦରମା  ପାଇବେ । କିନ୍ତୁ ୨୦୦୪ରେ ରାଜ୍ୟ  ସରକାର ୧୯୯୪ ନିୟମକୁ ଉଚ୍ଛେଦ କରି ଗ୍ରାଣ୍ଟ୍‌-ଇନ୍‌-ଏଡ୍‌ ପରିବର୍ତ୍ତେ ବ୍ଲକ୍‌ ଗ୍ରାଣ୍ଟ୍‌ ଲାଗୁ କରିଥିଲେ । ଅର୍ଥାତ ଜଣେ ଶିକ୍ଷକ ବା ଅଧ୍ୟାପକଙ୍କୁ  ସରକାର ମୋଟ୍‌ ଦରମାର ୪୦% ପ୍ରଦାନ କରିବେ । 

ବାକି ଅର୍ଥ ମ୍ୟାନେଜ୍‌ମେଣ୍ଟ୍‌ ପ୍ରଦାନ କରିବେ ।  ୨୦୦୮ରେ ରାଜ୍ୟ ସରକାର ୬୬୨ଟି ମହାବିଦ୍ୟାଳୟକୁ  ବ୍ଲକ୍‌ ଗ୍ରାଣ୍ଟ୍‌ ପ୍ରଦାନ କରିଥିଲେ । ୨୦୦୯ରେ ବାକି  ରହିଯାଇଥିବା ମହାବିଦ୍ୟାଳୟକୁ ଏହି ବ୍ଲକ୍‌ ଗ୍ରାଣ୍ଟ୍‌ରେ ସାମିଲ୍‌ କରାଯାଇଥିଲା । ଏହି ବ୍ଲକ୍‌ ଗ୍ରାଣ୍ଟ୍‌କୁ ବିରୋଧ କରି ବହୁ ମାମଲା ସ୍ୟାଟ୍‌ରେ ହୋଇଥିଲା । ସ୍ୟାଟ୍‌  ବ୍ଲକ୍‌ ଗ୍ରାଣ୍ଟ୍‌ ପରିବର୍ତ୍ତେ ଗ୍ରାଣ୍ଟ୍‌-ଇନ୍‌-ଏଡ୍‌ ପ୍ରଦାନ ଲାଗି ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ହାଇକୋର୍ଟ ଏହି ଆଦେଶକୁ ରଦ୍ଦ କରି ୧୯୯୪ ଆଇନ ଉଚ୍ଛେଦ  ହୋଇଯାଇଥିବାରୁ ଆଉ ଗ୍ରାଣ୍ଟ-ଇନ୍‌-ଏଡ୍‌ ଲାଗୁ  ହୋଇପାରିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ।  ସୁପ୍ରିମ୍‌କୋର୍ଟରେ ମଧ୍ୟ ଏହି ଆଦେଶ କାଏମ୍‌ ରହିଥିଲା ।  

କିନ୍ତୁ ପରେ ସୁପ୍ରିମ୍‌କୋର୍ଟରୁ ପୁଣି କିଛି  ମାମଲାରେ ସ୍ୟାଟ୍‌ ଆଦେଶ ଆଧାରରେ ଗ୍ରାଣ୍ଟ୍‌-ଇନ୍‌-ଏଡ୍‌ ଲାଗୁ କରିବା ଲାଗି ନିର୍ଦ୍ଦେଶ ମିଳିଥିଲା । ଏହିଭଳି  ସ୍ଥିତିରେ ବହୁ ଆବେଦନକାରୀ ହାଇକୋର୍ଟଙ୍କ  ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ମାମଲାର  ରାୟ ପ୍ରକାଶ କରି ଶିକ୍ଷକ, ଅଧ୍ୟାପକଙ୍କ ମଧ୍ୟରେ  ସମାନ କାମ ପାଇଁ ପୃଥକ୍‌ ପୃଥକ୍‌ ନିୟମ ଲାଗୁ  ହୋଇପାରିବ ନାହିଁ ବୋଲି କହିଛନ୍ତି । ତେଣୁ  ଯେଉଁମାନେ ୧୯୯୪ ନିୟମ ଆଧାରରେ ଆବେଦନ  କରିଛନ୍ତି ସେମାନଙ୍କ କଥାକୁ ବିଚାରକୁ ନେଇ  ରାଜ୍ୟ ସରକାର ଗ୍ରାଣ୍ଟ୍‌-ଇନ୍‌-ଏଡ୍‌ ପ୍ରଦାନ କରିବା  ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀଙ୍କ  ପକ୍ଷରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ  ରାଉତରାୟ ମାମଲା ପରିଚାଳନା କରୁଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.