ନୂଆଦିଲ୍ଲୀ,୨୮/୧୧: ବୀମା ନିୟମରେ ସଂଶୋଧନ ଆଣିବା ଲାଗି ସରକାର ଯୋଜନା  କରୁଛନ୍ତି । ଏଥିରେ ମୁଖ୍ୟତଃ ୨ ଟି ପ୍ରମୁଖ ପରିବର୍ତ୍ତନ ହେବ । ବୀମା କମ୍ପାନିଙ୍କ ଲାଗି  ଆସିବ ୟୁନିଫାଏଡ ଲାଇସେନ୍ସ । ସେହିଭଳି  ବୀମା କ୍ଷେତ୍ରରେ ବର୍ତ୍ତମାନ ଲାଗୁ ହେଉଥିବା ୭୪% ଏଫ୍‌ଡିଆଇକୁ ୧୦୦% କରାଯାଇପାରେ ।  ୟୁନିଫାଏଡ ଲାଇସେନ୍ସ ନିୟମ ଲାଗୁ ହେଲେ ଗୋଟିଏ  କମ୍ପାନି ସବୁ ପ୍ରକାରର ବୀମା ସୁବିଧା ପ୍ରଦାନ କରିପାରିବେ  ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ କହିଛନ୍ତି । ଏହି  ନିୟମ ଲାଗୁ ହେଲେ ଦେଶ ମଧ୍ୟରେ ବୀମା ସୁବିଧା ଅଧିକ  ଲୋକଙ୍କ ନିକଟରେ ପହଞ୍ଚି ପାରିବ । 

ରିସର୍ଚ୍ଚ ଫାର୍ମ ସ୍ୱିସ ରେ  ଇନଷ୍ଟିଚ୍ୟୁଟ ମୁତାବକ, ଏବେ ଦେଶରେ ମାତ୍ର ୩.୮% ଲୋକଙ୍କ  ନିକଟରେ ବୀମା ସୁବିଧା ପହଞ୍ଚିଛି । ୟୁନିଫାଏଡ ଲାଇସେନ୍ସ  ଏକ କମ୍ପୋଜିଟ ଲାଇସେନ୍ସ ହୋଇଥିବା ବେଳେ ଗୋଟିଏ  କମ୍ପାନି ଲାଇଫ, ଜେନେରାଲ, ହେଲ୍‌ଥ ବୀମା ଉତ୍ପାଦ  ପାଇବାକୁ ଅନୁମତି ପାଇବେ । ଏବେ ଜୀବନ ବୀମା ସେବା ଯୋଗାଉଥିବା କମ୍ପାନି  ସ୍ୱାସ୍ଥ୍ୟ ବୀମା ସୁବିଧା ପ୍ରଦାନ କରୁନି । ତେବେ ଜେନେରାଲ ଇନସ୍ୟୁରାନ୍ସ ସେବା ପ୍ରଦାନକାରୀ କମ୍ପାନିଗୁଡିକ ସ୍ୱାସ୍ଥ୍ୟ ଠାରୁ  ଆରମ୍ଭ କରି ସାମୁଦ୍ରିକ ବୀମା ସୁବିଧା ପ୍ରଦାନ କରିବାର ଅନୁମତି  ପାଇଛନ୍ତି । ବୀମା ଶିଳ୍ପ ବଡ ପୁଞ୍ଜି ଆବଶ୍ୟକ କରିଥାଏ । ୧୦୦%  ଏଫ୍‌ଡିଆଇକୁ ଅନୁମତି ମିଳିଲେ ଉନ୍ନତ ସ୍ଥିତିରେ ବିଦେଶୀ  କମ୍ପାନି ଗୁଡିକ ଏ କ୍ଷେତ୍ରକୁ ଆକର୍ଷିତ ହୋଇ ପାରିବେ ।