ଭୁବନେଶ୍ବର, ୨୮।୭ : ଏମ୍ସରେ ଜଣେ ନର୍ସଙ୍କୁ ଅସଦାଚାରାଣ କରାଯାଇଥିବା ଅଭିଯୋଗ ହୋଇଛି। ଏମ୍ସ ନର୍ସିଂ ଅଫିସରଙ୍କ ବିରୁଦ୍ଧରେ ଏହି ଅଭିଯୋଗ ହୋଇଛି। ଏ ନେଇ ପୀଡିତା ନର୍ସ ଜଣକ ଥାନାରେ ଏତଲା ଦେଇଛନ୍ତି। ନ୍ୟାୟ ପାଇଁ ପୀଡ଼ିତା ଓ ତାଙ୍କ ସହକର୍ମୀମାନେ ମେଡିକାଲ ଆଗରେ ଧାରଣା ଦେଇଛନ୍ତି।
ନର୍ସ ଜଣକ ଅଭିଯୋଗ କରିଛନ୍ତି ଯେ ନର୍ସିଂ ଅଫିସର ଅସଦାଚରଣ କରିବା ନେଇ ସେ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଜଣାଇଥିଲେ। ହେଲେ ତାଙ୍କ କଥାକୁ ସେ ଶୁଣି ନ ଥିଲେ। ଯାହାକୁ ନେଇ ନର୍ସିଂ ଅଫିସରଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିଛନ୍ତି।
ସେପଟେ ପୀଡିତାଙ୍କୁ ନ୍ୟାୟ ନମିଳିବା ଯାଏ ଏମ୍ସ ମେଡିକାଲରେ କାର୍ଯ୍ୟ ବନ୍ଦ କରିଛନ୍ତି ଠିକା କର୍ମଚାରୀମାନେ। କେବଳ ସିକ୍ୟୁରିଟି ବିଭାଗକୁ ଛାଡ଼ି ଦେଲେ ସମସ୍ତ ଠିକା କର୍ମଚାରୀ କାମ ବନ୍ଦ କରିଛନ୍ତି। ପୀଡ଼ିତା ଥାନାରେ ଏତଲା ଦେଲେ ମଧ୍ୟ ଏଯାଏ ଏମ୍ସର କର୍ତ୍ତୃପକ୍ଷ କୌଣସି କାର୍ଯ୍ୟନୁଷ୍ଠାନ ନେଇନାହାଁନ୍ତି। ତେଣୁ ଏବେଠୁ ଅନିର୍ଦ୍ଧିଷ୍ଟ କାଳ ପାଇଁ କାର୍ଯ୍ୟ ବନ୍ଦ କଲୁ ବୋଲି ଠିକା କର୍ମଚାରୀ ସଂଘ ସଭାପତି ଅଞ୍ଜନ ନାଥ କହିଛନ୍ତି।