ବ୍ରହ୍ମପୁର, ୨୩/୧୦: ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲରେ ପୁଣି ରାଗିଂ ଅଭିଯୋଗ । ଏମବିବିଏସ୍ ପଢୁଥିବା ଦ୍ୱିତୀୟ ବର୍ଷ ଛାତ୍ରଙ୍କୁ ସିନିୟରମାନେ ରାଗିଂ କରିଥିବା ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଛି । ପ୍ରଥମବର୍ଷ ବିଦ୍ୟାର୍ଥୀମାନେ ଦ୍ୱିତୀୟ ବର୍ଷକୁ ଉତ୍ତୀର୍ଣ୍ଣ ହେବା ପରେ ସେମାନଙ୍କ ହଷ୍ଟେଲ ପରିବର୍ତ୍ତନ କରାଯାଇଥିଲା । କ୍ୟାବିନ୍‌ ବ୍ଲକ୍‌ରୁ ସେମାନେଙ୍କୁ ତିନୋଟି ହଷ୍ଟେଲକୁ ପଠାଯାଇଥିବା ବେଳେ ସିନିୟରମାନେ ସେଠାରେ ରାଗିଂ କରିଛନ୍ତି ବୋଲି କିଛି ଛାତ୍ର ଆଣ୍ଟି ରାଗିଂ ସେଲ୍‌ (ଦିଲ୍ଲୀ)ରେ ଅଭିଯୋଗ କରିଥିଲେ ।

ସୋମବାର ଏ ସମ୍ପର୍କରେ ଆଣ୍ଟି ରାଗିଂ ସେଲ୍‌ରୁ ତଦନ୍ତ କରିବାକୁ ଏମ୍‌କେସିଜି ଡିନ୍‌ଙ୍କୁ ଚିଠି ହୋଇଥିଲା । ଡିନ୍‌ ପ୍ରଫେସର ଡା. ସୁଚିତ୍ରା ଦାଶ ଏ ସଂକ୍ରାନ୍ତରେ ପୁଲିସରେ ଜଣାଇବା ସହ ସବୁ ହଷ୍ଟେଲର ୱାର୍ଡେନ୍‌ମାନଙ୍କ ସହ ଆଲୋଚନା କରିଥିଲେ । ସବୁ ହଷ୍ଟେଲରେ ବିଦ୍ୟାର୍ଥୀଙ୍କ ସହ ଆଲୋଚନା କରି କୋଉଠି ରାଗିଂ ହୋଇଛି ପଚାରିଥିଲେ । ତେବେ କୌଣସି ଅଭିଯୋଗକାରୀ ମୁହଁ ଖୋଲିନଥିବା କହିଛନ୍ତି ଡିନ୍‌ ପ୍ରଫେସର ଦାଶ । ଘଟଣାକୁ ଗୁରୁତ୍ୱର ସହ ନେଇ ସମସ୍ତ ସିସିଟିଭି କ୍ୟାମେରା ଯାଞ୍ଚ କରାଯାଉଛି । ଯଦି ରାଗିଂ ହୋଇଥିବା ନଜରକୁ ଆସେ ତାହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିନ୍‌ କହିଛନ୍ତି ।

ପ୍ରତି ବର୍ଷ ବାର୍ଷିକ ଉତ୍ସବ ପୂର୍ବରୁ ଏଭଳି ଏକ ଅଭିଯୋଗ ହେଉଛି । ତେଣୁ ଅଭିଯୋଗର କେତେଦୂର ସତ୍ୟତା ରହିଛି ତାହାର ମଧ୍ୟ ତଦନ୍ତ କରାଯିବ ବୋଲି ସେ କହିଛନ୍ତି । ଶୁକ୍ରବାର ଏମ୍‌କେସିଜି ଡିନ୍‌, ବ୍ରହ୍ମପୁର ଏସ୍‌ପି ଓ ଆଣ୍ଟି ରାଗିଂ ସେଲ୍‌ର ସମସ୍ତ କର୍ମକର୍ତ୍ତାଙ୍କୁ ନେଇ ବୈଠକ କରାଯିବ । ବୈଠକରେ ଦ୍ୱିତୀୟ ବର୍ଷ ବିଦ୍ୟାର୍ଥୀ ମଧ୍ୟ ଉପସ୍ଥିତ ରହିବେ । କାହା ଉପରେ ରାଗିଂ ହୋଇଛି ପଚରାଯିବ । ଯଦି କେହି ଅଭିଯୋଗକାରୀ ରାଗିଂ ସମ୍ପର୍କରେ କହିବେ ତାହେଲେ ତାଙ୍କୁ ସୁରକ୍ଷା ଦେବା ସହ ରାଗିଂ କରିଥିବା ବିଦ୍ୟାର୍ଥୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ । ପିଲାଙ୍କୁ ବ୍ୟକ୍ତିଗତ ଭାବେ ଡାକି ମଧ୍ୟ ପଚରାଯିବ ବୋଲି ଡିନ୍‌ ପ୍ରଫେସର ଦାଶ ସୂଚନା ଦେଇଛନ୍ତି । ଦ୍ୱିତୀୟ ବର୍ଷକୁ ଉତ୍ତୀର୍ଣ୍ଣ ହୋଇଥିବା ବିଦ୍ୟାର୍ଥୀଙ୍କ ହଷ୍ଟେଲ ସ୍ଥାନାନ୍ତର ହେବା ପରେ ସିନିୟର ମାନେ ରାଗିଂ କରୁଥିବା ନିୟମିତ ଅଭିଯୋଗ ହେଉଛି । ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ସେ କହିଛନ୍ତି । 

ଏମ୍‌କେସିଜିରେ ରାଗିଂ ଅଭିଯୋଗ ନୂଆ ନୁହେଁ । ପୂର୍ବରୁ ମଧ୍ୟ ଜୁନିୟର ଛାତ୍ରଙ୍କୁ ରାଗିଂ ଅଭିଯୋଗରେ କିଛି ସିନିୟର ଛାତ୍ରଙ୍କୁ ଥାନାରେ ହାଜିରା ଦେବାକୁ ପଡିଥିଲା । ଆଉ କିଛି ଛାତ୍ରଙ୍କୁ କ୍ୟାମ୍ପସ୍‌ ମଧ୍ୟ ବାରଣ କରାଯାଇଥିଲା । ତଥାପି ପ୍ରତିବର୍ଷ ଏଠାରେ ରାଗିଂ ଅଭିଯୋଗ ହେଉଛି । ତେବେ କିଛି ଅଭିଯୋଗର କୌଣସି ସତ୍ୟତା ମଧ୍ୟ ରହୁନଥିବା ଡିନ୍‌ ପ୍ରଫେସର ଦାଶ କହିଛନ୍ତି ।