ଭୁବନେଶ୍ୱର ୨୭/୦୨: ରାଜନଗରର ଚାଷୀ ତ୍ରିଲୋଚନ ନାୟକଙ୍କ ମୃତ୍ୟୁକୁ ନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ପ୍ରତିକ୍ରିୟା । ମଣ୍ଡିରେ ଦିନ ଦିନ ଧରି ଅପେକ୍ଷା କରି ତାଙ୍କ ମୃତ୍ୟୁ ହୋଇନି। ଅନ୍ୟ ରୋଗ ଯୋଗୁଁ ତାଙ୍କ ଦେହାନ୍ତ ହେଲା। ବୟସ ହେଲାଣି। ଘରକୁ ପହଞ୍ଚି ହୃଦଘାତ ହୋଇଥିବ। ଲୋକେ ବିଭିନ୍ନ ପ୍ରକାର କଥା କହିବେ । ହେଲେ ମଣ୍ଡିରେ ଅପେକ୍ଷା କରି କାହାରି ମୃତ୍ୟୁ ହୋଇନାହିଁ । ଏନେଇ ସମବାୟ ବିଭାଗ ତଦନ୍ତ କରୁଛି। ଜାଗା ନଥିବାରୁ ଧୀରେ ଧୀରେ ଧାନ ଉଠୁଥିଲା। ତିନି ଦିନ ତଳୁ ଧାନ ସ୍ୱାଭାବିକ ଭାବେ ଉଠୁଛି ।
ଅଭିଯୋଗ ମୁତାବକ, ଜାନୁୟାରୀ ୧୬ରେ ଧାନ ଦେବାକୁ ମେସେଜ୍ ଆସିଥିବାବେଳେ ଦୀର୍ଘ ୪୦ଦିନ ଧରି ଦୌଡ଼ି ଦୌଡ଼ି ନିରାଶ ହୋଇ ତ୍ରିଲୋଚନ ପ୍ରାଣ ହରାଇଛନ୍ତି । ମଣ୍ଡି ବଦଳରେ ମିଲ୍କୁ ଧାନ ନେଇଯିବାକୁ ପ୍ୟାକ୍ସ ସମ୍ପାଦକ କହିଥିବାବେଳେ ରାମଚଣ୍ଡୀ ମିଲ୍କୁ ଧାନ ନେଇଯାଇଥିଲେ ତ୍ରିଲୋଚନ । ମିଲ୍ରେ ମଧ୍ୟ ଯନ୍ତ୍ରଣା କମିନଥିଲା । ୩ଦିନ ଅଖିଆ ଅପିଆ ଧାନ ଜଗି ରହିଥିଲେ । ତଥାପି ଧାନ ବିକ୍ରି କରି ପାରିନଥିଲେ । ଶେଷରେ ମିଲର୍ଙ୍କ ସର୍ତ୍ତ ମୁତାବକ କଟ୍ନି ଛଟ୍ନି ପାଇଁ କୁଇଣ୍ଟାଲ ପିଛା ୬ କିଲୋ ସହ ଅଧିକ ୩ କୁଇଣ୍ଟାଲ୍ ଧାନ ଦେବାକୁ ପଡ଼ିବ ବୋଲି ତାଙ୍କୁ କୁହାଯାଇଥିଲା । ଏଥିରେ ତ୍ରିଲୋଚନ ରାଜି ହେବାରୁ ତାଙ୍କ ଧାନ ଓଜନ ହୋଇଥିଲା । ତ୍ରିଲୋଚନ ଧାନ ବିକ୍ରି କରିବା ପାଇଁ ଆଗୁଆ ୧୮ ହଜାର ଟଙ୍କା ଖର୍ଚ୍ଚ କରିଥିଲେ । ମିଲର ଓ ସମ୍ପାଦକଙ୍କ ନିର୍ଯାତନା ଯୋଗୁଁ ଗତକାଲି ମିଲ୍ର ଫେରି ଘରେ ପହଞ୍ଚିବା କ୍ଷଣି ତାଙ୍କର ପ୍ରାଣ ଚାଲି ଯାଇଥିବା ଅଭିଯୋଗ ହୋଇଛି । ତ୍ରିଲୋଚନ ଚାଷ ପାଇଁ ଋଣ ଭାରରେ ବୁଡ଼ି ରହିଥିବା ପରିବାର ପକ୍ଷରୁ କୁହାଯାଇଛି । ସେହି ଚିନ୍ତାରେ ଭାଇର ମୃତ୍ୟୁ ହୋଇଛି ବୋଲି ଦୁର୍ଯ୍ୟୋଧନ କହିଛନ୍ତି । ସେ କହିଛନ୍ତି, ଯେଉଁମାନେ ହାତଗୁଞ୍ଜା ଦେଲେ ସେମାନଙ୍କ ଧାନ ଶୀଘ୍ର ଯାଉଛି । ନହେଲେ ଧାନ ପଡ଼ିରହୁଛି । ଟୋକନ ଅବଧି ସରିଯାଉଥିଲେ ବି କେହି ଶୁଣୁନାହାନ୍ତି ।
ଅଧିକ ପଢ଼ନ୍ତୁ :- ମଣ୍ଡିରେ ନିର୍ଯାତନା ସହିନପାରି ଆଖି ବୁଜିଲେ ଚାଷୀ! ସଂପାଦକଙ୍କ ଅବହେଳାକୁ ଦାୟୀ କଲେ ଭାଇ