ଭୁବନେଶ୍ୱର, ୨୯/୦୭: ଓଡ଼ିଶା ରାଜ୍ୟ ବ୍ୟାଡମିଣ୍ଟନ ସଂଘ  (ଓଏସବିଏଓ)ରେ ବିଭିନ୍ନ ଅନିୟମିତତା ଅଭିଯୋଗରେ ମାମଲା ଥାନାରେ ପହଞ୍ଚିଛି । ଜଣେ ଜାତୀୟ ସ୍ତରର ଖେଳାଳିଙ୍କ ମାଆ ସସ୍ମିତା ମହାପାତ୍ର  ନନ୍ଦନକାନନ ଥାନାରେ ଅଭିଯୋଗ କରିଛନ୍ତି । ସଂଘର ସମ୍ପାଦନ ନିଲୀନ  କୁମାରଙ୍କ ନାମରେ ଶ୍ରୀମତୀ ମହାପାତ୍ରଙ୍କ ଲିଖିତ ଅଭିଯୋଗ ଆଧାରରେ  ମାମଲା ପଞ୍ଜିକୃତ ହୋଇଛି । ମାମଲାରେ ଭାରତୀୟ ନ୍ୟାୟ ସଂହିତାର  ଦଫା ୩୧୬(୨), ୩୧୮(୪),୩୫୧(୨) ଓ ୩୫୬(୨) ଲାଗିଛି ।  

ସସ୍ମିତା କହିଛନ୍ତି, ‘ଓଏସବିଏଓ ସମ୍ପାଦକ ରାଜ୍ୟ ଖେଳାଳିଙ୍କ ଠାରୁ  ଟୁର୍ଣ୍ଣାମେଣ୍ଟ, ଖେଳାଳି ପଞ୍ଜିକରଣ ଏବଂ ବାର୍ଷିକ ନବୀକରଣ ବାବଦକୁ ଯେଉଁ ଅର୍ଥ ଆଦାୟ କରୁଛନ୍ତି ତାହା ସିଧାସଳଖ ସଂଘର ବ୍ୟାଙ୍କ ଖାତାକୁ  ନଯାଇ ବାହାର ରାଜ୍ୟର ଅନ୍ୟ ଏକ ସଂସ୍ଥାର ଖାତାକୁ ଯାଉଛି । ଏଥିରୁ  ସ୍ପଷ୍ଟ ଯେ ସମ୍ପାଦକ ସଂଘର ଅର୍ଥ  ନେଣଦେଣର ନିୟମକୁ ଖୋଲା  ଖୋଲି ଉଲ୍ଲଂଘନ କରୁଛନ୍ତି ।  ସେମିତି ସଂଘର ପଞ୍ଜୀକରଣ ବିଷୟରେ କିଛି ସ୍ପଷ୍ଟତା ନାହିଁ । ଏଭଳି ଅନେକ ବିଷୟ ରହିଛି । ଏ  ବିଷୟରେ ତାଙ୍କୁ ପଚାରିବାରୁ ସେ ମୋ ଝିଅ ‘ବାଇ’ ଏବଂ ଓଏସବିଏଓରେ  ଥିବା ପରିଚୟ ତଥ୍ୟକୁ ବାତିଲ କରିଦେବେ ବୋଲି ଧମକ ଦେଇଥିଲେ ।’ 

କିନ୍ତୁ ସମ୍ପାଦକ ନିଲୀନ କୁମାର ଏଭଳି ଅଭିଯୋଗକୁ ଖଣ୍ଡନ  କରିଛନ୍ତି । ସେ କହିଛନ୍ତି, ‘ପୁଲିସରେ ଅଭିଯୋଗ ବିଷୟରେ ମୋତେ  କିଛି ଜଣା ନାହିଁ । ଆପଣଙ୍କ ପାଖରୁ ଯାହା ଜାଣିବାକୁ ପାଉଛି, ସେ ମହିଳା  ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସଂପୂର୍ଣ୍ଣ ମିଥ୍ୟା । ସଂଘରେ କୌଣସି  ଆର୍ଥିକ ଅନିୟମିତତା ହୋଇନି । ବାର୍ଷିକ ଆମର ଅଡିଟ୍‌ ହେଉଛି । ସେ  ଯେଉଁ ଫି ଆଦାୟ କଥା କହୁଛନ୍ତି, ସେ ଦାୟିତ୍ୱ ଆମେ ଥାର୍ଡ ପାର୍ଟିକୁ  ଦେଇଛୁ । ସେମାନେ ଅର୍ଥ ଆଦାୟ କରି ଦେଉଛନ୍ତି । ଓଏସବିଏଓର  ପଞ୍ଜୀକରଣ ହୋଇଛି । ଅପେକ୍ଷା କରନ୍ତୁ ପ୍ରକୃତ ସତ ବାହାରକୁ ଆସିବ ।’ 

‘ଆମେ ରାଜ୍ୟରେ ତୃଣମୂଳସ୍ତରରୁ ବ୍ୟାଡମିଣ୍ଟନର ବିକାଶ  ନେଇ କାର୍ଯ୍ୟ କରୁଛୁ । ରାଜ୍ୟ ସରକାର ମଧ୍ୟ ଏ ଦିଗରେ ବିଶେଷ  ଦୃଷ୍ଟି ଦେଉଛନ୍ତି। ବହୁପିଲା ଏ ଦିଗରେ ଆଗ୍ରହୀ ହେବା ସହ  ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରୁଛନ୍ତି ବୋଲି ସେ କହିଥିଲେ ।