ମାଲକାନଗିରି,୨୩/୧୧ : ଆବାସ ଗୃହ ନିର୍ମାଣ ପାଇଁ ଅମଙ୍ଗ ହେଉଛନ୍ତି ବଣ୍ଡା ଜନଜାତି । ଦିନ ବେଳା ଜଙ୍ଗଲକୁ କାଠ ଓ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରିବାକୁ ପଳାଉଥିବାରୁ ରାତିରେ ଘର ଘର ବୁଲି ଜନ ସଚେତନତା ଆରମ୍ଭ କରିଛନ୍ତି ବ୍ଲକ ପ୍ରଶାସନିକ ଅଧିକାରୀ। ଆଦିମ ବଣ୍ଡା ଜନଜାତି ପାଇଁ ହୋଇଛି ଆବାସ ଚିନ୍ତା । ଘର କରିବାକୁ ମଙ୍ଗୁ ନାହାନ୍ତି ବଣ୍ତା ଜନଜାତି। ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ବଣ୍ତାଘାଟିରେ ଆବାସ ଗୃହ କରିବାକୁ ହିତାଧିକାରୀ ଦିନରେ ରହୁନାହାନ୍ତି ଘରେ । ରାତିରେ ପହଞ୍ଚି ସଚେତନତା କରୁଛି ବ୍ଲକର ପ୍ରଶାସନିକ ଦଳ ।

ସରକାରୀ ଆବାସ କରିବାକୁ ବଣ୍ତାଙ୍କ ନା'। କୋଠା ଘର କରିବାକୁ ଉଚିତ୍ ମଣୁନାହାନ୍ତି ଆଦିମ ଜନଜାତି ହିତାଧିକାରୀ । ଦିନରେ ରହୁନାହାନ୍ତି ଘରେ । ଏପରି ସ୍ଥିତିରେ ରାତିରେ ପହଞ୍ଚି ଘର କରିବାକୁ ସଚେତନ କରୁଛନ୍ତି ପ୍ରାଶାସନିକ ଅଧୁକାରୀ ଓ କର୍ମଚାରୀ । ରାତିରେ କାହିଁକି ବାବୁମାନେ ପହଁଚୁଛନ୍ତି ବଣ୍ଡା ଲୋକଙ୍କ ଘରେ । କାରଣ ଦିନରେ ଏମାନେ ଚାଷ କାମ ଲାଗି ଯାଆନ୍ତି । ତେଣୁ ରାତିକୁ ବାଛିଛନ୍ତି ଅଧିକାରୀ । ବଣ୍ଡା ଗାଁରେ ପହଞ୍ଚିଥିଲେ ବିଡିଓ ଠାରୁ ଆରମ୍ଭ କରି ସହକାରୀ ଯନ୍ତ୍ରୀ, ପିଇଓ, ଏଡିଓ ଏବଂ ଯନ୍ତ୍ରୀ ପ୍ରମୁଖ। ଘାଟି ମଣିଷଙ୍କୁ ଏକାଠି କରି ବୁଝାଇଛନ୍ତି । କାହାକୁ କହୁଛନ୍ତି ଘର କାମ ଆରମ୍ଭ କରନ୍ତୁ, ତ ଆଉ କାହାକୁ ଘର ନିର୍ମାଣ ସାରିବାକୁ ପରାମର୍ଶ ଦେଇଛନ୍ତି । ସପ୍ତାହେ ହେଲା ମୁଦୁଲିପଡ଼ା ଏବଂ ଅଣ୍ତ୍ରାହଲ ପଞ୍ଚାୟତର ବିଭିନ୍ନ ଗାଁ ବୁଲି ସଚେତନ କରୁଛନ୍ତି ପ୍ରାଶାସନିକ ଦଳ। ଅନେକ ତ ଆବାସ ଅର୍ଥ ଅନ୍ୟ ବାଟରେ ଖର୍ଚ୍ଚ କରି ଦେଉଛନ୍ତି । ତେଣୁ ଘର କରିପାରୁନାହାନ୍ତି । ଘାଟିରେ ସରକାରୀସ୍ତରରେ ଯୋଗାଇ ଦିଆଯାଇଥିବା ଆବାସ ଘର ତଥ୍ୟ ଉପରେ ଖଇରପୁଟ ବ୍ଲକର ମୁଦୁଲିପଡ଼ା ପଞ୍ଚାୟତରେ ୫୯୮ଘର ଅନୁମୋଦନ ହୋଇଛି । ସେଥିରୁ ମାତ୍ର ୩୬ଘର ସମ୍ପୂର୍ଣ୍ଣ ହୋଇଛି, ୨୫୧ଘର ଆରମ୍ଭ କରିନାହାନ୍ତି ହିତାଧିକାରୀ। ସେହିପରି ଅଣ୍ତ୍ରାହଲ ପଞ୍ଚାୟତରେ ଅନୁମୋଦିତ ୫୭୦ଆବାସ ଗୃହ ମଧ୍ୟରୁ ମାତ୍ର ୬୭ଘର ନିର୍ମାଣ ସରିଛି । ୨୫୬ଘର ଆରମ୍ଭ କରିନାହାନ୍ତି ବଣ୍ତା ହିତାଧିକାରୀ । ଘାଟି ଅଞ୍ଚଳରେ ଘର ନିର୍ମାଣ ସାମଗ୍ରୀନେବାକୁ ଅଧିକ ଗାଡ଼ି ଭଡ଼ା ଏବଂ ଅଧିକ ଦର ମଧ୍ୟ ପକ୍କାଘର ନ କରିବାର ଅନ୍ୟ ଏକ କାରଣ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।

ପ୍ରଶାସନ ଏବେ ବଡ଼ ଚିନ୍ତାରେ । କେମିତି ବୁଝାଇବେ, କେମିତି ଲକ୍ଷ୍ୟ ପୂରଣ କରିବେ । ବଣ୍ତାଘାଟିରେ କେମିତି ତିଆରି ହେବ ପକ୍କା ଘର। ପାହାଡ଼ ଉପରେ ରହୁଥିବା ଆଦିମ ଜନଜାତିର ଏହି ନିରିହ ଅଧିବାସୀ ଟଙ୍କା ପାଇ ବି ଘର କରୁନଥିବାରୁ ଆଗେଇ ପାରୁନି ଆବାସ ଯୋଜନା। ଆବାସର ନୈରାଶ୍ୟଜନକ ପ୍ରଦର୍ଶନ ଦେଖି ଆଗକୁ ଆସିଛନ୍ତି ପ୍ରାଶାସନିକ ଅଧିକାରୀ। କୌଣସି ଉପାୟ ନପାଇ ଗାଁ ଗଣ୍ତାରେ ବୁଲି ବୁଲି ରାତିରେ ସଚେତନ କରାଉଛନ୍ତି। ।