ନୂଆଦିଲ୍ଲୀ,୦୩/୦୮: ସ୍ଥଗିତ ହେଲା ଅମରନାଥ ଯାତ୍ରା । ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ଗୋଟିଏ ସପ୍ତାହ ଆଗରୁ ଅମରନାଥ ଯାତ୍ରା ସ୍ଥଗିତ କରାଯାଇଛି । ଆସନ୍ତା ୯ ଅଗଷ୍ଟ ପର୍ଯ୍ୟନ୍ତ ଯାତ୍ରା ଚାଲିବାର ଥିଲା, କିନ୍ତୁ ପ୍ରବଳ ବର୍ଷା ଯୋଗୁଁ ରାସ୍ତା ଖରାପ ଥିବାରୁ ୩ ଅଗଷ୍ଟରେ ହିଁ ଏହାକୁ ବନ୍ଦ କରାଯାଇଥିଲା। କାଶ୍ମୀରର ଡିଭିଜନାଲ କମିଶନର ବିଜୟ କୁମାର ବିଧୁରୀ କହିଛନ୍ତି ଯେ, ବର୍ଷା ଯୋଗୁଁ ଯାତ୍ରା ରୁଟ୍ ଗୁଡିକରେ ବହୁତ କ୍ଷତି ହୋଇଛି। ବାଲତାଲ ଏବଂ ପହଲଗାମ୍ ଉଭୟ ରୁଟରେ ମରାମତି କାର୍ଯ୍ୟ କରାଯିବ,ତେଣୁ ଯାତ୍ରାକୁ ବନ୍ଦ କରିବାକୁ ପଡିଛି। ସେ କହିଛନ୍ତି ଯେ, ରୁଟ୍ ଗୁଡିକରେ ମେସିନ ଏବଂ କର୍ମଚାରୀଙ୍କ ନିରନ୍ତର ନିୟୋଜିତ ଯୋଗୁଁ ଯାତ୍ରା ପୁନଃ ଆରମ୍ଭ କରିବା ସମ୍ଭବ ନୁହେଁ।
ଅମରନାଥ ଯାତ୍ରା ଜୁଲାଇ ୩ରେ ଆରମ୍ଭ ହୋଇଥିଲା ଏବଂ ୯ ଅଗଷ୍ଟରେ ରକ୍ଷା ବନ୍ଧନ ଦିନ ଶେଷ ହେବାର ଥିଲା। ଚଳିତ ବର୍ଷ ଏପର୍ଯ୍ୟନ୍ତ ୪.୧୦ ଲକ୍ଷ ଭକ୍ତ ଅମରନାଥ ଯାତ୍ରା କରିଛନ୍ତି ।ହେଲେ ଗତବର୍ଷ ୫.୧୦ ଲକ୍ଷରୁ ଅଧିକ ଭକ୍ତ ଯାଇଥିଲେ । ପ୍ରକାଶ ଥାଉକି,୨୦୨୪ ମସିହାରେ ଏହି ଯାତ୍ରା ୫୨ ଦିନର ଥିଲା। ଏହି ଯାତ୍ରା ୨୦୨୩ ମସିହାରେ ୬୨ ଦିନ, ୨୦୨୨ ମସିହାରେ ୪୩ ଦିନ ଏବଂ ୨୦୧୯ ମସିହାରେ ୪୬ ଦିନ ଧରି ଚାଲିଥିଲା। ୨୦୨୦-୨୧ ମସିହାରେ କରୋନା ମହାମାରୀ ଯୋଗୁଁ ଏହି ଯାତ୍ରା ସ୍ଥଗିତ ରଖାଯାଇଥିଲା। ୨୦୨୪ ମସିହାରେ ୫୨ ଦିନିଆ ଅମରନାଥ ଯାତ୍ରାରେ ୫.୧ ଲକ୍ଷରୁ ଅଧିକ ଭକ୍ତ ପବିତ୍ର ଗୁମ୍ଫାରେ ବାବା ବର୍ଫାନୀଙ୍କ ଦର୍ଶନ କରିଥିଲେ।୨୦୨୩ ମସିହାରେ ୪.୫ ଲକ୍ଷ ତୀର୍ଥଯାତ୍ରୀ ଅଂଶଗ୍ରହଣ କରିଥିଲେ। ୨୦୧୨ ମସିହାରେ ରେକର୍ଡ ୬.୩୫ ଜଣ ତୀର୍ଥଯାତ୍ରୀ ଦର୍ଶନ କରିଥିଲେ। ୨୦୨୨ ମସିହାରେ କୋଭିଡ୍ ଯୋଗୁଁ ଏହି ସଂଖ୍ୟା ହ୍ରାସ ପାଇଥିଲା ଏବଂ ୩ ଲକ୍ଷ ତୀର୍ଥଯାତ୍ରୀ ଦର୍ଶନ ପାଇଁ ଆସିଥିଲେ।