ନୂଆଦିଲ୍ଲୀ:ଆମଜନ୍‌ର ଏକାଧିକ ଅନଲାଇନ୍‌ ସେବା ସୋମବାର ବାଧାପ୍ରାପ୍ତ ହୋଇଥିଲା । ପ୍ରଥମେ ଆମେରିକୀୟ ଉପଭୋକ୍ତା ସୋମବାର ଏନେଇ ଅଭିଯୋଗ କରିଥିଲେ । ଆମାଜନ ଡଟ୍‌ କମ୍‌, ପ୍ରାଇମ ଭିଡିଓ ଏବଂ ଆଲେକ୍ସା ସମେତ ଅନ୍ୟାନ୍ୟ ସେବା ପାଇବାରୁ ବଞ୍ଚିତ ହୋଇଥିଲେ ଲୋକେ । ଡାଉନ ଡିଟେକ୍ଟର ରିପୋର୍ଟରୁ ଆମାଜନ୍‌ରେ ଉପୁଜିଥିବା ସମସ୍ୟା ସଂପର୍କରେ ଜଣାପଡ଼ିଥିଲା । କିନ୍ତୁ ଆମାଜନ୍‌ ଓ୍ବେବ ସର୍ଭିସ୍‌ରେ ବିଭ୍ରାଟ କାହିଁକି ହୋଇଥିଲା ? ଏହି ସମସ୍ୟାର ସମାଧାନ କିଭଳି କରିଛି ଆମାଜନ୍‌ ? ତାକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି । 

କମ୍ପାନି କହିଥିଲା ଯେ, ଏହି ସମସ୍ୟାର ମୂଳ କାରଣ ଚିହ୍ନଟ ସରିଛି ଏବଂ ଏହାର ସମାଧାନ କରାଯାଉଛି । ଆମାଜନ, ସରକାର ଏବଂ ଅନ୍ୟାନ୍ୟ ୟୁଜର୍ସଙ୍କୁ କ୍ଲାଉଡ୍ ସେବା ପ୍ରଦାନ କରେ । ଏଥିରେ ଡାଟା ଷ୍ଟୋରେଜ୍, ଅନ୍-ଡିମାଣ୍ଡ କମ୍ପ୍ୟୁଟିଂ ପାୱାର ଏବଂ ଅନ୍ୟାନ୍ୟ ଡିଜିଟାଲ୍ ସେବା ସାମିଲ ରହିଛି । ଏହି ବିଭ୍ରାଟ ରେଡିଟ୍ ଏବଂ ସ୍ନାପଚାଟ୍ ପରି ସୋସିଆଲ ମିଡିଆ ଆପ୍ ଉପରେ ପ୍ରଭାବ ପକାଇଥିଲା । ସର୍ଭରରେ ବାଧା ଯୋଗୁଁ ବିଶ୍ୱବ୍ୟାପୀ ୟୁଜର୍ସ ପ୍ରଭାବିତ ହୋଇଥିଲେ । କାରଣ ଏହି ପ୍ଲାଟଫର୍ମଗୁଡ଼ିକ କ୍ଲାଉଡ୍ ଭିତ୍ତିଭୂମି ବ୍ୟବହାର କରନ୍ତି । ଆମାଜନର ପ୍ରାଇମ୍ ଭିଡିଓ ସେବା ଏବଂ ଡିଜନି ପ୍ଲସ୍ ପରି ଷ୍ଟ୍ରିମିଂ ପ୍ଲାଟଫର୍ମ ମଧ୍ୟ ପ୍ରଭାବିତ ହୋଇଥିଲା । Perplexity AI, Fortnite Game, Airbnb ଏବଂ Duolingo ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇଥିଲେ ।

ଏଡବ୍ଲୁଏସ୍ (ଆମାଜନ୍‌ ଓ୍ବେବ ସର୍ଭିସ) ପୃଥିବୀର ପ୍ରାୟ ଏକ ତୃତୀୟାଂଶ କ୍ଲାଉଡ୍ ଇନଫ୍ରାଷ୍ଟ୍ରକ୍ଚର ପରିଚାଳନା କରେ । କମ୍ପାନି ଅନୁଯାୟୀ ଏହି ତ୍ରୁଟି ୭୬ଟି ସେବାକୁ ପ୍ରଭାବିତ କରିଥିଲା । ଆମାଜନ ପ୍ରଥମେ କହିଥିଲା, ‘ଆମେ US-EAST-1 ଅଞ୍ଚଳରେ ଏକାଧିକ AWS ସେବାରେ ବୃଦ୍ଧି ପାଇଥିବା ତ୍ରୁଟି ହାର ଉପରେ ତଦନ୍ତ କରୁଛୁ । ୩୦-୪୫ ମିନିଟ୍ ମଧ୍ୟରେ ଆଉ ଏକ ଅପଡେଟ୍ ପ୍ରଦାନ କରିବୁ।’

ପରେ କମ୍ପାନି କହିଥିଲା, ଆମ ନେଟୱାର୍କ ଲୋଡ୍ ବାଲାନ୍ସର ନିରୀକ୍ଷଣ ପାଇଁ ଥିବା ଆଭ୍ୟନ୍ତରୀଣ ସବ୍-ସିଷ୍ଟମ ହେଉଛି ଏହା ପଛର ମୂଳ କାରଣ । ଡାଟା ରିକଭରୀ ପାଇଁ ନୂଆ EC2 ଇନଷ୍ଟାନ୍ସ ଲଞ୍ଚ ପାଇଁ ଅନୁରୋଧଗୁଡ଼ିକୁ ଥ୍ରୋଟଲିଂ କରୁଛୁ ଏବଂ ଏହାକୁ ହ୍ରାସ କରିବା ଉପରେ କାର୍ଯ୍ୟ କରୁଛୁ। ୬୫ରୁ ଅଧିକ ସେବାର ସମାଧାନ କରାଯାଇଛି । AWSରେ ତ୍ରୁଟି ଯୋଗୁଁ ୟୁରୋପରେ ମୋବାଇଲ୍ ସେବା, ସିଗନାଲ୍ ଏବଂ ହ୍ୱାଟ୍ସଆପ୍ ଭଳି ମେସେଜିଂ ଆପ୍ ମଧ୍ୟ ପ୍ରଭାବିତ ହୋଇଥିଲା । ୟୁକେର ଲଏଡ୍ସ ବ୍ୟାଙ୍କ ମଧ୍ୟ ପ୍ରଭାବିତ ହୋଇଥିଲା । US-EAST-1 ଅଞ୍ଚଳରେ ଅନେକ ସେବା ବାଧାପ୍ରାପ୍ତ ହୋଇଥିଲା ଏବଂ ଏଥିରେ ତ୍ରୁଟି ଥିବା ନେଇ ଜଣାପଡ଼ିଥିଲା । ହଜାର ହଜାର ଓ୍ବେବସାଇଟ୍‌ ଏବଂ ଆପ୍‌ ଉପରେ ଯାନ୍ତ୍ରିକ ତ୍ରୁଟିର ପ୍ରଭାବ ପଡ଼ିଛି । 

ଆମାଜନ୍‌ର କ୍ଲାଉଡ୍‌ ସର୍ଭିସରେ ତ୍ରୁଟିର ପ୍ରଭାବ, ରବିନହୁଡ୍‌, ସ୍ନାପଚାଟ୍‌, ପରପ୍ଲେକ୍ସିଟି ଏବଂ ପେପାଲ୍‌ର ଭେନମୋ ଉପରେ ମଧ୍ୟ ପଡ଼ିଥିଲା । ଏହି ସବୁ ଅନଲାଇନ୍‌ ପ୍ଲାଟଫର୍ମରେ ସମସ୍ୟା ନେଇ ନିଜ ନିଜର ୟୁଜର୍ସଙ୍କୁ ଅବଗତ କରାଇଥିଲେ ଉପରୋକ୍ତ କମ୍ପାନି । ଏଆଇ ଚାଟବଟ୍‌ ପରପ୍ଲେକ୍ସିଟି ସିଇଓ ଅରବିନ୍ଦ ଶ୍ରୀନିବାସ କହିଥିଲେ ଯେ,  ଏହବ୍ଲୁଏସ୍‌ ସର୍ଭର ସମସ୍ୟା ଯୋଗୁ ଏହି ବିଭ୍ରାଟ ଘଟିଛି। ସେ ଟ୍ୱିଟରରେ ଲେଖିଥିଲେ, ‘ବର୍ତ୍ତମାନ ପରପ୍ଲେକ୍ସିଟି ଡାଉନ ଅଛି। ଏହାର ମୁଖ୍ୟ କାରଣ ହେଉଛି AWSରେ ସମସ୍ୟା। ଆମେ ସମସ୍ୟାର ଶୀଘ୍ର  ସମାଧାନ ପାଇଁ କାମ କରୁଛୁ।’

ଏହି ସବୁ ସେବା ବିଶେଷ ଭାବରେ ପ୍ରଭାବିତ
ସ୍ନାପଚାଟ୍ - ସୋସିଆଲ ମିଡିଆ
ଫୋର୍ଟନାଇଟ୍ - ଗେମିଂ ସେବା
ଡୁଓଲିଙ୍ଗୋ - ଭାଷା-ଶିକ୍ଷା ଆପ୍
ଭେନମୋ - ପେମେଣ୍ଟ ଆପ୍
ସିଗନାଲ୍ - ମେସେଜିଂ ଆପ୍
ସ୍ଲାକ୍ - କର୍ପୋରେଟ୍ ଯୋଗାଯୋଗ ଉପକରଣ
ରେଡିଟ୍‌- ସୋସିଆଲ ମିଡିଆ