ୱାଶିଂଟନ,୨୮/୧୦: ଆମେରିକାରେ ନଭେମ୍ବର ୫ରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବାରୁ ପ୍ରଚାର ମଇଦାନ ସରଗରମ ହୋଇଛି । ରିପବ୍ଲିକାନ  ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରାଟିକ ପ୍ରାର୍ଥୀ କମଳା ହାରିସ ମତଦାତାଙ୍କୁ ନିଜ ପକ୍ଷକୁ ନେବା ପାଇଁ ସବୁ ବଳ ଲଗାଇ ଦେଇଛନ୍ତି । ଏମିତି କି ଭୋଟରଙ୍କ ମନ ଜିଣିବା ଲାଗି ସେମାନେ ନିଜ ନିର୍ବାଚନ ପ୍ରଚାରରେ ସେଲିବ୍ରିଟିଙ୍କୁ ସାମିଲ କରିଥିବା ଦେଖିବାକୁ ମିଳିଛି ।  ପ୍ରଚାର ମଇଦାନରେ ଜମିଛି ହଲିଉଡ ତାରକାଙ୍କ  ଭିଡ଼ । ତାରକାମାନେ ସୋସିଆଲ ମିଡିଆରେ ବି ନିଜ  ପସନ୍ଦର ପ୍ରାର୍ଥୀଙ୍କୁ ସମର୍ଥନ କରୁଛନ୍ତି । 

ଟେଲର ସ୍ୱିଫ୍ଟ, ଲିଓନାର୍ଡୋ ଡିକାପ୍ରିୟୋ, ଓପେରା  ୱିନ୍‌ଫ୍ରେ, ବିୟୋନ୍ସେ ଓ କ୍ରିସ୍‌ ରକ୍‌ଙ୍କ ଭଳି କିମ୍ବଦନ୍ତୀ  ହଲିଉଡ ତାରକା କମଳା ହାରିସଙ୍କ ସମର୍ଥନରେ  ପ୍ରଚାର ଅଭିଯାନ ଚଳାଇଛନ୍ତି । ସେହିଭଳି ଟ୍ରମ୍ପ୍‌ଙ୍କ  ନିମନ୍ତେ ଜେସନ ଏଲ୍ଡିୟନ୍‌, ଲି ଗ୍ରିନଉଡ, ଏଲନ ମସ୍କ, କିଡ୍‌ ରକ୍‌ ଏବଂ ରୋଜେନ ବାର୍‌ଙ୍କ ଭଳି ସେଲିବ୍ରିଟି  ଓ ଶିଳ୍ପପତି ପ୍ରଚାର କରୁଥିବା ଦେଖିବାକୁ ମିଳିଛି ।  ନିର୍ବାଚନକୁ ଆଉ ମାତ୍ର ୯ ଦିନ ବାକି ରହିଛି । ଏଭଳି ସ୍ଥିତିରେ ଭାରତୀୟ ବଂଶୋଦ୍ଭବ କମଳାଙ୍କ ପଲା ଭାରୀ  ରହିଥିବା କୁହାଯାଉଛି । ଇତିମଧ୍ୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି  ବାରାକ ଓବାମାଙ୍କ ପତ୍ନୀ ମିସେଲ ଓବାମା ମିସିଗାନ୍‌ରେ  କମଳାଙ୍କ ସମର୍ଥନରେ ଏକ ଜନସଭା କରିଛନ୍ତି ।  ଜନସଭାରେ ମିସେଲ ବିପୁଳ ଭୋଟରେ କମଳାଙ୍କୁ  ଜିତାଇବା ପାଇଁ ଜନତାଙ୍କୁ ଅପିଲ କରିଛନ୍ତି । ଦେଶର  ପ୍ରଥମ ମହିଳା ରାଷ୍ଟ୍ରପତି ବାଛିବା ପାଇଁ ପୁରୁଷମାନଙ୍କୁ  ସେ ଚ୍ୟାଲେଞ୍ଜ ଦେଇଛନ୍ତି । 

ମିସେଲ ଆହୁରି କହିଛନ୍ତି,  ଯଦି ଆପଣମାନେ ଏଥର ଉଚିତ ମତଦାନ ନ କରନ୍ତି,  ତେବେ ଆପଣଙ୍କ ପତ୍ନୀ, ଝିଅ ଏବଂ ମାଆଙ୍କୁ ଏହାର ପରିଣତି ସାମ୍ନା କରିବାକୁ ପଡ଼ିପାରେ । ରିପୋର୍ଟ ମୁତାବକ, କୃଷ୍ଣକାୟ ଭୋଟରଙ୍କ ମଧ୍ୟରେ  ମିସେଲଙ୍କର ବେଶ୍‌ ପ୍ରଭାବ ରହିଛି । ଏଭଳି ସ୍ଥିତିରେ  ତାଙ୍କର ସମର୍ଥନ କମଳାଙ୍କ ପାଇଁ ବେଶ୍‌ ମହତ୍ତ୍ୱପୂର୍ଣ୍ଣ  ହେବ । ମିସେଲ ନିଜ ସମ୍ବୋଧନରେ ଆହୁରି କହିଛନ୍ତି,  କମଳା ପ୍ରତ୍ୟେକ ଦିଗରୁ ପ୍ରମାଣ କରିଦେଇଛନ୍ତି ଯେ ସେ  ଜଣେ ଉପଯୁକ୍ତ ରାଷ୍ଟ୍ରପତି ପ୍ରାର୍ଥୀ । ଏବେ ପ୍ରଶ୍ନ ଉଠୁଛି  ଦେଶ ଏଥିପାଇଁ ପ୍ରସ୍ତୁତ ଅଛି କି ନାହିଁ? ଉଲ୍ଲେଖଯୋଗ୍ୟ,  ମିସେଲଙ୍କ ପୂର୍ବରୁ ବାରାକ ଓବାମା କମଳାଙ୍କୁ ନିଜ  ସମର୍ଥନ ଜଣାଇଥିଲେ । ମଞ୍ଚରେ ତାଙ୍କ ହାତ ଧରି  ଜନତାଙ୍କୁ ଭୋଟ ଦେବା ଲାଗି ଅପିଲ୍‌ କରିଥିଲେ।