ନୂଆଦିଲ୍ଲୀ: ଇରାନ ଉପରେ ବାରମ୍ବାର ଆକ୍ରମଣର ଧମକ ଦେଉଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏବେ ଟ୍ରମ୍ପ ଇରାନକୁ ୧୦ ଦିନର ଅଲଟିମେଟମ୍ ଦେଇଛନ୍ତି। ଟ୍ରମ୍ପଙ୍କ ଧମକ ପରେ ଏହି ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଉଥିବା ପରି ମନେ ହେଉଛି। ତେବେ ସମ୍ଭାବ୍ୟ ଯୁଦ୍ଧର ଆଶଙ୍କା କରି, ସର୍ବିଆ ଏବଂ ସ୍ୱିଡେନ ଏବେ ଇରାନରେ ଥିବା ସେମାନଙ୍କର ନାଗରିକ ମାନଙ୍କୁ ତୁରନ୍ତ ଦେଶ ଛାଡିବାକୁ ଅନୁରୋଧ କରିଛନ୍ତି। ସର୍ବିଆ ଏବଂ ସ୍ୱିଡେନର ଏହି ପଦକ୍ଷେପ ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ବିପଦକୁ ସଙ୍କେତ ଦେଉଛି। ଯେଉଁଠାରେ ଆମେରିକା-ଇରାନ ପରମାଣୁ ଚୁକ୍ତିକୁ ନେଇ ବିବାଦ ଚାଲିଛି।

ସର୍ବିଆ କ’ଣ କହିଲା ?

ସୂଚନାଥାଉକି ସର୍ବିଆ ଜାନୁଆରୀ ମଧ୍ୟଭାଗରେ ଇରାନ ଛାଡିବାକୁ ଏବଂ ସେଠାକୁ ଯାତ୍ରା ନକରିବାକୁ ପରାମର୍ଶ ଦେଇଥିଲା। ସେହି ସମୟରେ ଇରାନରେ ବ୍ୟାପକ ବିରୋଧ ପ୍ରଦର୍ଶନ କରାଯାଉଥିଲା। ସର୍ବିଆର ବୈଦେଶିକ ମନ୍ତ୍ରଣାଳୟ ଏବେ ଏହାର ସରକାରୀ ୱେବସାଇଟରେ ଏକ ବିବୃତ୍ତି ଜାରି କରି କହିଛି, "ସୁରକ୍ଷା ପରିସ୍ଥିତି ଖରାପ ହେଉଥିବାରୁ, ସର୍ବିଆ ଗଣରାଜ୍ୟର ନାଗରିକମାନଙ୍କୁ ନିକଟ ଭବିଷ୍ୟତରେ ଇରାନ ଯାତ୍ରା କରିବାକୁ ପରାମର୍ଶ ଦିଆଯାଉନାହିଁ। ଇରାନରେ ଥିବା ସମସ୍ତ ଲୋକଙ୍କୁ ଯଥାଶୀଘ୍ର ଦେଶ ଛାଡିବାକୁ ପରାମର୍ଶ ଦିଆଯାଉଛି। ସର୍ବିଆ ସ୍ପଷ୍ଟ ଭାବରେ କହିଛି ଯେ, ସୁରକ୍ଷା ପରିସ୍ଥିତି କ୍ରମାଗତ ଭାବରେ ଖରାପ ହେବ ଏବଂ ନାଗରିକ ମାନଙ୍କୁ ତୁରନ୍ତ ଇରାନ ଛାଡିବାକୁ ପଡିବ।

ସ୍ୱିଡେନ କ’ଣ କହିଲା ?

ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟରେ ବୈଦେଶିକ ମନ୍ତ୍ରୀ ମାରିଆ ମାଲମର ଷ୍ଟେନଗାର୍ଡ ଇରାନରେ ଥିବା ସ୍ୱିଡିସ୍ ନାଗରିକଙ୍କୁ ତୁରନ୍ତ ଇରାନ ଛାଡିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ଇରାନ ଏବଂ ସମଗ୍ର ଅଞ୍ଚଳର ପରିସ୍ଥିତି ଅତ୍ୟନ୍ତ ଅନିଶ୍ଚିତ। ଯେଉଁମାନେ ସେଠାରେ ଅଛନ୍ତି ସେମାନେ ଯଥାଶୀଘ୍ର ଇରାନ ଛାଡିବା ଉଚିତ। ମନ୍ତ୍ରୀ ଜୋର ଦେଇ କହିଛନ୍ତି ଯେ, ବିମାନ ଯାତ୍ରା ଏବଂ ସୀମା କ୍ରସିଂ ଦ୍ୱାରା ବାହାରିବା ସମ୍ଭବ ହେଲେ ମଧ୍ୟ, ଯେଉଁମାନେ ରହିବାକୁ ପସନ୍ଦ କରନ୍ତି ସେମାନେ ବ୍ୟକ୍ତିଗତ ଭାବରେ ଦାୟୀ ରହିବେ। ସ୍ୱିଡେନ ସରକାର ସ୍ଥାନାନ୍ତରରେ ସହାୟତା କରିପାରିବେ ନାହିଁ।

ମଧ୍ୟପ୍ରାଚ୍ୟ ସଂଘର୍ଷର ଦ୍ୱାରଦେଶରେ ଅଛି…

ସର୍ବିଆ ଏବଂ ସ୍ୱିଡେନ ଭଳି ୟୁରୋପୀୟ ଦେଶଗୁଡ଼ିକର ଏହି ଚେତାବନୀ ଅନ୍ତର୍ଜାତୀୟ ସମ୍ପ୍ରଦାୟ ମଧ୍ୟରେ ବଢ଼ୁଥିବା ଚିନ୍ତାକୁ ପ୍ରତିଫଳିତ କରେ। ଅନ୍ୟ ଅନେକ ଦେଶ ମଧ୍ୟ ସେମାନଙ୍କର ନାଗରିକମାନଙ୍କୁ ଇରାନ ଛାଡିବାକୁ ପରାମର୍ଶ ଦେଇଛନ୍ତି। ଟ୍ରମ୍ପଙ୍କ ଧମକ ପରିସ୍ଥିତିକୁ ଆହୁରି ଜଟିଳ କରିଛି। ମଧ୍ୟପ୍ରାଚ୍ୟ ଏକ ବଡ଼ ସଂଘର୍ଷର ଦ୍ୱାରଦେଶରେ ଠିଆ ହୋଇଛି ।

ଏହା ସହ ପଢନ୍ତୁ : ଭାରତରେ ପାକିସ୍ତାନ ମସଜିଦ୍ ବିସ୍ଫୋରଣର ପ୍ରତିଶୋଧ ନେବାକୁ ପ୍ରସ୍ତୁତ ହେଉଛି “ଲସ୍କର-ଏ-ତୈବା”, ଆତଙ୍କୀ ଆକ୍ରମଣ ପାଇଁ ହାଇ ଆଲର୍ଟରେ ଦିଲ୍ଲୀ…​​​​​​​