ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନାଇଜେରିଆକୁ କଡ଼ା ଚେତାବନୀ ଦେଇଛନ୍ତି । ଯଦି ନାଇଜେରିଆରେ ଖ୍ରୀଷ୍ଟିଆନଙ୍କ ଆକ୍ରମଣ ବନ୍ଦ ନହୁଏ, ତେବେ ଆମେରିକା ତୁରନ୍ତ ନାଇଜେରିଆ ସରକାରଙ୍କୁ ସମସ୍ତ ଆର୍ଥିକ ଏବଂ ସାମରିକ ସହାୟତା ବନ୍ଦ କରିଦେବ ବୋଲି କହିଛନ୍ତି ଟ୍ରମ୍ପ।

ଟ୍ରମ୍ପ ଟ୍ରୁଥ୍ ସୋସିଆଲରେ ଲେଖିଛନ୍ତି ଯେ, ଆବଶ୍ୟକ ହେଲେ ଆମେରିକା ନାଇଜେରିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଖ୍ରୀଷ୍ଟିଆନମାନଙ୍କ ଉପରେ ଆକ୍ରମଣ କରୁଥିବା ଆତଙ୍କବାଦୀମାନଙ୍କୁ ନିପାତ କରିବ। ଟ୍ରମ୍ପ କହିଛନ୍ତି ଯେ, ସେ ସମ୍ଭାବ୍ୟ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେବାକୁ ତାଙ୍କ ଯୁଦ୍ଧ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

ଇଣ୍ଟରନ୍ୟାସନାଲ ସୋସାଇଟି ଫର ସିଭିଲ ଲିବର୍ଟିଜ୍ ଆଣ୍ଡ ଦି ରୁଲ୍ ଅଫ୍ ଲ’ର ଏକ ରିପୋର୍ଟ ଅନୁଯାୟୀ, ନାଇଜେରିଆରେ ଜାନୁଆରୀରୁ ଅଗଷ୍ଟ ୧୦ ମଧ୍ୟରେ ବୃଦ୍ଧି ପାଉଥିବା ଧାର୍ମିକ ହିଂସା ଯୋଗୁଁ ୭,୦୦୦ ରୁ ଅଧିକ ଖ୍ରୀଷ୍ଟିଆନଙ୍କୁ ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡ ମଧ୍ୟରୁ ଅଧିକାଂଶ ପାଇଁ ବୋକୋ ହରାମ ଏବଂ ଫୁଲାନି ଉଗ୍ରବାଦୀ ଭଳି ଆତଙ୍କବାଦୀ ଗୋଷ୍ଠୀ ଦାୟୀ।

ନାଇଜେରିଆର ରାଷ୍ଟ୍ରପତି ବୋଲା ଅହମ୍ମଦ ଟିନୁବୁ କହିଛନ୍ତି ଯେ, ଦେଶକୁ ଧାର୍ମିକ ଭାବରେ ଅସହିଷ୍ଣୁ କହିବା ଭୁଲ। ଆମ ଦେଶର ପରିଚୟ ଧାର୍ମିକ ସ୍ୱାଧୀନତା ଏବଂ ସମ୍ମାନ ଉପରେ ଆଧାରିତ। ନାଇଜେରିଆ କୌଣସି ଧାର୍ମିକ ନିର୍ଯାତନାକୁ ପ୍ରୋତ୍ସାହିତ କରେ ନାହିଁ। ସମ୍ବିଧାନ ସମସ୍ତ ଧର୍ମର ସୁରକ୍ଷା ଗ୍ୟାରେଣ୍ଟି ଦିଏ।

ନାଇଜେରିଆର ଜନସଂଖ୍ୟା ୨୨ କୋଟି । ଉଭୟ ମୁସଲିମ ଏବଂ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ପ୍ରାୟ ସମାନ । ବୋକୋ ହରାମ ଭଳି ମୌଳବାଦୀ ଇସଲାମିକ ଗୋଷ୍ଠୀ ଦୀର୍ଘଦିନ ଧରି ଦେଶରେ ହିଂସାରେ ଜଡିତ ।

ଦେଶର ଉତ୍ତର ଭାଗରେ ବିଶେଷକରି ଖ୍ରୀଷ୍ଟିଆନ ଏବଂ ମୁସଲମାନ ଉଭୟ ହିଂସାର ଶିକାର ହୋଇଛନ୍ତି। ଏହି ଆକ୍ରମଣଗୁଡ଼ିକ କେତେକ ସମୟରେ ଧାର୍ମିକ ପ୍ରସଙ୍ଗ ଦ୍ୱାରା ପ୍ରେରିତ ହୋଇଥାଏ ।  ଅନେକ ସମୟରେ ଜମି ବିବାଦ ଯୋଗୁଁ ଆକ୍ରମଣ ଘଟଣା ମଧ୍ୟ ବୃଦ୍ଧି ପାଏ । 

ଆମେରିକା ପ୍ରଥମେ ୨୦୨୦ ମସିହାରେ ନାଇଜେରିଆକୁ ଧାର୍ମିକ ସ୍ୱାଧୀନତା ଉଲ୍ଲଂଘନ କରୁଥିବା ଦେଶ ତାଲିକାରେ ରଖିଥିଲା। ୨୦୨୩ ମସିହାରେ ଏହି ଟ୍ୟାଗ୍ ପ୍ରତ୍ୟାହାର କରାଯାଇଥିଲା । ଏହା ଦ୍ବାରା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଉନ୍ନତ କରିବାକୁ ପ୍ରୟାସ କରାଯାଇଥିଲା । କିନ୍ତୁ ଏବେ ଖ୍ରୀଷ୍ଟିଆନ୍‌ଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଇବାକୁ ନେଇ ଉତକ୍ଷୀପ୍ତ ହୋଇପଡ଼ିଛନ୍ତି ଡୋନାଲ୍ଡ ଟ୍ରମ୍ପ ।