ନୂଆଦିଲ୍ଲୀ: ଋଷୀୟ ସେନାରେ ସାମିଲ ଅଛନ୍ତି ଉତ୍ତର କୋରିଆର ସୈନିକ । ଏନେଇ ପ୍ରମାଣ ଅଛି ବୋଲି ବୁଧବାର ଦାବି କରିଛି ଆମେରିକା । ପ୍ରଥମ ଥର ଲାଗି ଆମେରିକା ଉତ୍ତର କୋରିଆ ସୈନିକଙ୍କୁ ନେଇ ଏଭଳି ଦାବି କରିଛି । ଏହା ପୂର୍ବରୁ ଦକ୍ଷିଣ କୋରିଆର ସାଂସଦ କହିଥିଲେ ଯେ, ଉତ୍ତର କୋରିଆର ପ୍ରାୟ ୩୦୦୦ ସୈନିକ ୟୁକ୍ରେନ୍‌ ବିରୋଧରେ ଲଢ଼ିବା ଲାଗି ଋଷ ସେନାରେ ସାମିଲ ହୋଇଛନ୍ତି । ଏହାକୁ ନେଇ ଅଧିକ ପ୍ରମାଣ ଯୋଗାଡ କରାଯାଉଛି ବୋଲି ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଲୟଡ୍‌ ଅଷ୍ଟିନ୍‌ କହିଛନ୍ତି ।

ରୋମରେ ଅଷ୍ଟିନ ଆହୁରି କହିଛନ୍ତି ଯେ, ୟୁକ୍ରେନ୍‌ ବିରୋଧରେ ଲଢ଼େଇ କରିବା ଲାଗି ଯଦି ପ୍ରକୃତରେ ଉତ୍ତର କୋରିଆ ସୈନିକ ଋଷ ସେନାକୁ ସହାୟତା କରୁଥାନ୍ତି ତେବେ ତାହା ସଂଘାତିକ । ଋଷରେ ଡିପିଆରକେ ସୈନିକ ଥିବା ନେଇ ପ୍ରମାଣ ରହିଛି । ଏହା ପୂର୍ବର ଦକ୍ଷିଣ କୋରିଆର ଜଣେ ସାଂସଦ ଦାବି କରିଥିଲେ ଯେ, ପ୍ରାୟ ୩ ହଜାର ସୈନିକଙ୍କୁ ଋଷ ପଠାଇଛି ଉତ୍ତର କୋରିଆ । ଏହା ସହ ପୋଙ୍ଗୟାଙ୍ଗ ଆହୁରି ୧୦ ହଜାର ସୈନିକ ପଠାଇବାକୁ ପ୍ରତିଶ୍ରୁତି ଦେଇଛି । ଆଉ ଏହି ପ୍ରକ୍ରିୟା ଡିସେମ୍ବର ସୁଦ୍ଧା ଶେ‌ଷ ହେବ । 

ସେପ୍ଟେମ୍ବର ଏବଂ ଅକ୍ଟୋବରରେ ଉତ୍ତର କୋରିଆରେ ସୈନିକଙ୍କୁ ପ୍ରଶିକ୍ଷଣ ଦିଆଯାଉଥିଲା । କିନ୍ତୁ ଏବେ ସେମାନଙ୍କୁ ଋଷର ବିଭିନ୍ନ ପ୍ରଶିକ୍ଷଣ ଶିବିରକୁ ପଠାଇ ଦିଆଯାଇଛି ବୋଲି ଦକ୍ଷିଣ କୋରିଆର ସଂସଦୀୟ ଗୁଇନ୍ଦା କମିଟିର ଜଣେ ସଦସ୍ୟ ପାର୍କ ସୁନ ଉନ୍‌ ଦାବି କରିଛନ୍ତି ।  ଫେବୃଆରୀ ୨୦୨୨ରେ ୟୁକ୍ରେନ୍‌ ଉପରେ ଋଷ ଆକ୍ରମଣ କରିବା ପରେ ଦୁଇ ଦେଶ ମଧ୍ୟରେ ବିବାଦ ଲାଗି ରହିଛି । ଯୁଦ୍ଧର ତୀବ୍ରତା ସମୟ କ୍ରମେ ବଢ଼ିଛି । ଅଷ୍ଟିନ ଆହୁରି କହିଛନ୍ତି ଯେ, ଯଦି ଉତ୍ତର କୋରିଆର ସୈନିକ ଋଷ ସେନାରେ ସାମିଲ ହେଉଛନ୍ତି ତେବେ ଋଷ ପାଖରେ ସୈନିକଙ୍କ ଅଭାବ ରହିଛି । 

ଏହା ପୂର୍ବରୁ ଦକ୍ଷିଣ କୋରିଆର ଦାବିକୁ ଖଣ୍ଡନ କରିଥିଲା ଋଷ । ସେହିଭଳି ଜାତିସଂଘରେ ଉତ୍ତର କୋରିଆର ଜଣେ ପ୍ରତିନିଧି ଏଭଳି ଦାବିକୁ ଭିତ୍ତିହୀନ ବୋଲି କହିଥିଲେ । ସେହିଭଳି ଉଭୟ ମସ୍କୋ ଏବଂ ପୋଙ୍ଗୟାଙ୍ଗ ମଧ୍ୟରେ ଯୁଦ୍ଧାସ୍ତ୍ର ଆଦାନ ପ୍ରଦାନ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଋଷ ଏବଂ ଉତ୍ତର କୋରିଆ । କିନ୍ତୁ ଗତ ଜୁନରେ ଏହି ଦୁଇ ଦେଶ ସେନାର ଦକ୍ଷତା ବୃଦ୍ଧି ଲାଗି ବୁଝାମଣା କରିଥିବା ନେଇ ମାନିଛନ୍ତି । 

ଗତ ଶୁକ୍ରବାର ସିଓଲର ଜାତୀୟ ଗୁଇନ୍ଦା ସେବା ଅଭିଯୋଗ କରିଥିଲା ଯେ, ଉତ୍ତର କୋରିଆ ପ୍ରାୟ ୧୫୦୦ ସ୍ବତନ୍ତ୍ର ସେନା ଅଧିକାରୀଙ୍କୁ ଜାହାଜ ମାଧ୍ୟମରେ ଋଷକୁ ପଠାଇଛି । ସେମାନେ ପ୍ରଶିକ୍ଷଣ ପାଇବା ପରେ ୟୁକ୍ରେନ୍‌ ବିରୋଧୀ ଯୁଦ୍ଧରେ ସାମିଲ ହୋଇପାରନ୍ତି । ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି କହିଥିଲେ ଯେ, ପୋଙ୍ଗୟାଙ୍ଗ ୧୦ ହଜାର ସୈନିକଙ୍କୁ ଋ‌ଷ ପଠାଇବାକୁ ପ୍ରସ୍ତୁତି କରୁଛି ।  ଏହା ସହ ମଙ୍ଗଳବାର ଋଷ ଯୁଦ୍ଧରେ ଉତ୍ତର କୋରିଆର ସଂପୃକ୍ତିକୁ ନେଇ ପ୍ରମାଣ ଯୋଗାଡ କରିବାକୁ ସେ ନିଜର ସହଯୋଗୀ ରାଷ୍ଟ୍ରଙ୍କୁ ଅନୁରୋଧ କରିଥିଲେ ।