ନୂଆଦିଲ୍ଲୀ, ୦୬/୦୪: ଇତି ମଧ୍ୟରେ ସୁନା ଦର ଲକ୍ଷେ ଆଡ଼କୁ ମାଡ଼ିଚାଲିଛି । ଭାରତରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍‌ ସୁନା ଦର ୯୦,୦୦୦  ଟଙ୍କା ପାର୍‌ କରିଛି । ଅନ୍ତର୍ଜାତୀୟ ବଜାରରେ ଆଉନ୍ସ ପିଛା ଏହା ୩,୧୦୦ ଡଲାର  ଉପରେ । ନିବେଶକ ଲାଭବାନ ହୋଇଥିବାବେଳେ ଗ୍ରାହକ ନିରାଶ । 

ଏଭଳି  ସ୍ଥିତିରେ ଜଣେ ଆମେରିକୀୟ ବିଶେଷଜ୍ଞ ଜନ୍‌ ମିଲ୍ସ ପୂର୍ବାନୁମାନ କରିଛନ୍ତି  ଯେ, ଆସନ୍ତା କିଛି ବର୍ଷ ମଧ୍ୟରେ ସୁନା ଦରରେ ୩୮% ହ୍ରାସ ଘଟିବ । ସୁନା ଦରରେ ସମ୍ଭାବ୍ୟ ୪୦% ହ୍ରାସ ଭାରତ ବଜାରରେ ୧୦ ଗ୍ରାମ ପିଛା ସୁନା ଦରକୁ  ୫୫,୦୦୦ ଟଙ୍କାକୁ ଖସାଇବ । ଜନ୍‌ କହିଛନ୍ତି ଯେ, ଆଗାମୀ କିଛି ବର୍ଷରେ ଅନ୍ତର୍ଜାତୀୟ ବଜାରରେ ସୁନା ଦର ଆଉନ୍ସ ପିଛା ୩,୦୦୦ ଡଲାରରୁ  ୧,୮୨୦ ଡଲାରକୁ ଖସିଯିବ। ସମ୍ପ୍ରତି ସୁନା ଦର ବଢ଼ିବାର କାରଣ  ହେଉଛି ଅର୍ଥନୈତିକ ଅନିଶ୍ଚିତତା, ମୁଦ୍ରାସ୍ଫୀତି ଚିନ୍ତା ଏବଂ ଭୁ-ରାଜନୈତିକ ସମସ୍ୟା । ନିବେଶକ ଇକ୍ୱିଟି ବଦଳରେ  ସୁନାକୁ ନିବେଶର ସୁରକ୍ଷିତ ମାଧ୍ୟମ ଭାବେ ଗଣନା  କରୁଛନ୍ତି । 

ଜନ୍‌ଙ୍କ କହିବାନୁସାରେ, ଆଗକୁ ପରିସ୍ଥିତି  ଭିନ୍ନ ରହିବ । ସୁନା ଉତ୍ପାଦନ ବଢ଼ିଛି । ୨୦୨୪ର ଦ୍ୱିତୀୟ ତ୍ରୟମାସରେ ଖଣିଜ  ଲାଭ ଆଉନ୍ସ ପିଛା ୯୫୦ ଡଲାରରେ ପହଞ୍ଚିଛି । ବିଶ୍ୱ ସୁନା ଭଣ୍ଡାରରେ ୯%  ବୃଦ୍ଧି ଘଟିଛି । ଫଳରେ ଏହା ୨,୧୬,୨୬୫ ଟନ୍‌ରେ ପହଞ୍ଚିଛି। ଅଷ୍ଟ୍ରେଲିଆ ଉତ୍ପାଦନ ବଢ଼ାଉଥିବାବେଳେ ପୁନଃ ପ୍ରକ୍ରିୟାକୃତ ସୁନା ଯୋଗାଣ ବଢୁଛି ।  ଯୋଗାଣ ବୃଦ୍ଧି ସୁନା ଦରକୁ କମାଇପାରେ । ସେହିଭଳି ଗତବର୍ଷ କେନ୍ଦ୍ରୀୟ  ବ୍ୟାଙ୍କଗୁଡ଼ିକ ୧,୦୪୫ ଟନ୍‌ ସୁନା କିଣିଛନ୍ତି । ଆଗକୁ ଏମାନେ ଆଉ ବିଶେଷ  ଭାବେ କିଣିବେ ନାହିଁ । 

ବିଶ୍ୱ ସୁନା ପରିଷଦର ସର୍ଭେ ଅନୁସାରେ, ୭୧% କେନ୍ଦ୍ରୀୟ  ବ୍ୟାଙ୍କ ସେମାନଙ୍କ ସୁନା ଭଣ୍ଡାରକୁ କମାଇବାକୁ ବିଚାର କରୁଛନ୍ତି । ଏହା ସୁନା ଦରକୁ ଖସାଇପାରେ ବୋଲି ଜନ୍‌ ମିଲ୍ସ ପ୍ରକାଶ କରିଛନ୍ତି । ମିଲ୍ସଙ୍କ ପୂର୍ବାନୁମାନ  ସତ୍ତେ୍ୱ କେତେକ ପ୍ରମୁଖ ବିତ୍ତୀୟ ପ୍ରତିଷ୍ଠାନ ସୁନା ଦରକୁ ନେଇ ଆଶାବାଦୀ  ଅଛନ୍ତି । 

ବ୍ୟାଙ୍କ ଅଫ୍‌ ଆମେରିକା ଆକଳନ କରିଛି ଯେ, ଆସନ୍ତା ଦୁଇ ବର୍ଷରେ  ଆଉନ୍ସ ପିଛା ସୁନା ଦର ୩,୫୦୦ ଡଲାର ଛୁଇଁବ । ଅନ୍ୟପକ୍ଷରେ, ଗୋଲ୍‌ଡମ୍ୟାନ୍‌  ସାଚ୍‌ସର ପୂର୍ବାନୁମାନ ଯେ, ଚଳିତବର୍ଷ ଶେଷ ସୁଦ୍ଧା ଆଉନ୍ସ ପିଛା ଏହା ୩,୩୦୦  ଡଲାର ହେବ । ତେବେ ଆଗାମୀ ସମୟ ହିଁ ସୁନାର ଗତିପଥକୁ ଦର୍ଶାଇବ ।