ନୂଆଦିଲ୍ଲୀ,୧୩।୧୦: ନେପାଳ ପରେ ଏବେ ଆଉ ଏକ ଦେଶରେ ‘ଜେନ୍-ଜି’ଙ୍କ ଉଗ୍ର ଆନ୍ଦୋଳନ। ଏହା ହେଉଛି ଆଫ୍ରିକାର ଦକ୍ଷିଣ ଉପକୂଳ ନିକଟ ଭାରତ ମହାସାଗରରେ ଥିବା ଦ୍ୱୀପ ଦେଶ ମାଡାଗାସ୍କର। ଏବେ ସେଠାରେ ଯୁବପୀଢିଙ୍କ ଉଗ୍ର ଆନ୍ଦୋଳନ ରାଷ୍ଟ୍ରପତି ଆଣ୍ଡ୍ରି ରାଜୋଏଲିନାଙ୍କୁ ଦେଶ ଛାଡି ପଳାୟନ କରିବାକୁ ବାଧ୍ୟ କରିଛି। ଜେନ୍-ଜି’ର ତାଜା ବିଦ୍ରୋହ ଦ୍ବାରା କ୍ଷମତାରେ ଶୀର୍ଷ ପଦରେ ଥିବା ଅଧିକାରୀଙ୍କ ପଦ ଛାଡିବାର ଏହା ନୂତନ ଉଦାହରଣ। ଗତ ମାସ ନେପାଳରେ ମଧ୍ୟ ‘ଜେନ୍-ଜି’ ଆନ୍ଦୋଳନ ଏଭଳି ଭାବରେ ଭୟଙ୍କର ରୂପ ନେଇଥିଲା। ଏହାପରେ ପ୍ରଧାନମନ୍ତ୍ରୀଙ୍କୁ ଗାଦି ଛାଡିବାକୁ ପଡିଥିଲା।
‘ରେଡିଓ ଫ୍ରାନ୍ସ ଇଣ୍ଟର ନ୍ୟାସନାଲ’ର ରିପୋର୍ଟ ଅନୁସାରେ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନଙ୍କ ଅନୁରୋଧରେ ରବିବାର ଏକ ଫ୍ରାନ୍ସ ସାମରିକ ବିମାନ ରାଷ୍ଟ୍ରପତି ରାଜୋଏଲିନାଙ୍କୁ ସୁରକ୍ଷିତ ବାହାର କରିଥିଲା। ଏହା ପୂର୍ବରୁ ମାଡାଗାସ୍କର ସ୍ଥିତ ଫ୍ରାନ୍ସ ଦୂତାବାସ ପ୍ରଥମେ ନିଜର ଉପନିବେଶରେ କୌଣସି ପ୍ରକାର ସାମରିକ ହସ୍ତକ୍ଷେପକୁ ମନା କରିଦେଇଥିଲା। ବ୍ଲୁମବର୍ଗର ରିପୋର୍ଟରେ କୁହାଯାଇଛି, ଫ୍ରାନ୍ସ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଓ ବୈଦେଶିକ ମନ୍ତ୍ରଣାଳୟ ନ୍ତ କୌଣସି ଉତ୍ତର ଦେଇ ନାହାନ୍ତି।
ଉଲ୍ଲେଖନୀୟ ଯେ, ତଥାକଥିତ ‘ଜେନ୍-ଜି’ ଆନ୍ଦୋଳନ ଗତ ମାସ ପାଣି ଓ ବିଜୁଳିର ଅଭାବକୁ ନେଇ ଆରମ୍ଭ ହୋଇଥିଲା। ସେତେବେଳେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଥିଲେ। ଏହି ସମୟରେ ଯୁବପୀଢିଙ୍କ ସୁରକ୍ଷାବଳ ସହ ସଂଘର୍ଷ ହୋଇଥିଲା। ଏଥିରେ ୨୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଦେଶରେ ମୌଳିକ ସୁବିଧାର ଅଭାବ ଓ ସରକାରୀ ଦୁର୍ନୀତିକୁ ନେଇ ଯୁବପୀଢି ଅସନ୍ତୁଷ୍ଟ ଥିଲେ। ଯୁବପୀଢିଙ୍କ ଅସନ୍ତୋଷ ଓ ପ୍ରଦର୍ଶନ ମରକ୍କୋ, ଇଣ୍ଡୋନେସିଆ, ନେପାଳ ଓ କେନିଆ ଭଳି ଦେଶରେ ଶାସକଙ୍କ ବିରୋଧରେ ନିକଟରେ ହୋଇଥିବା ଆନ୍ଦୋଳନକୁ ମନେପକାଇ ଦେଉଛି।
ରାଜୋଏଲିନା ପ୍ରଥମ ଥର ୨୦୦୯ ରେ ସେନା ସମର୍ଥନରେ କ୍ଷମତା ହାସଲ କରିଥିଲା। ୨୦୧୪ ରେ ସେ ପଦ ଛାଡି ଦେଇଥିଲେ। କିନ୍ତୁ ୨୦୧୮ ରେ ନିର୍ବାଚନ ଜିତି ରାଷ୍ଟ୍ରପତି ହୋଇଥିଲେ। ୨୦୨୩ ରେ ଏକ ବିବାଦୀୟ ମତଦାନ ପରେ ଆହୁରି ଏକ କାର୍ଯ୍ୟକାଳ ହାସଲ କରିଥିଲା। କିନ୍ତୁ ନିକଟରେ ବିରୋଧ ପ୍ରଦର୍ଶନ କାରଣରୁ ୫୧ ବର୍ଷୀୟ ରାଜୋଏଲିନା ଗାଦିଚ୍ୟୁତ ହୋଇଛନ୍ତି। କୁହାଯାଉଛି ଯେ, ସେନାର ଏକ ସ୍ବତନ୍ତ୍ର ୟୁନିଟ୍ ରାଷ୍ଟ୍ରପତିଙ୍କ ବିଦା ହେବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।ଏହି ସେନା ୟୁନିଟ୍ ‘କ୍ୟାପସେଟ୍’ ନାଁରେ ଜଣାଯାଏ, ଯିଏକି ପ୍ରଦର୍ଶନକାରୀଙ୍କୁ ସମର୍ଥନ କରିଥିଲା। ୧୬ ବର୍ଷ ପୂର୍ବେ ରାଜୋଏଲିନା ପ୍ରଥମ ଥର ରାଷ୍ଟ୍ରପତି ହେବା ପାଇଁ ‘କ୍ୟାପସେଟ୍’ର ଭୂମିକା ରହିଥିଲା। ବିଶ୍ବବ୍ୟାଙ୍କ ଅନୁସାରେ, ମାଡାଗାସ୍କର ବିଶ୍ବର ସବୁଠାରୁ ଗରିବ ଦେଶ ମଧ୍ୟରୁ ଅନ୍ୟତମ। ସେଠାରେ ୫ ରୁ ୪ ଜଣ ଲୋକ ଗରିବ ସୀମା ରେଖା ତଳେ ରହିଛନ୍ତି।