ନୂଆଦିଲ୍ଲୀ: ଛତିଶଗଡ଼ରେ ନକ୍ସଲ ଆକ୍ରମଣରେ ୮ ଡିଆରଜି ଯବାନଙ୍କ ସମେତ ଜଣେ ଡ୍ରାଇଭରଙ୍କ ମୃତ୍ୟୁକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କଡ଼ା ମନ୍ତବ୍ୟ ଦେଇଛନ୍ତି । ଏକ୍ସରେ ପୋଷ୍ଟ କରି ଶାହ ଲେଖିଛନ୍ତି, ମାର୍ଚ୍ଚ ୨୦୨୬ ସୁଦ୍ଧା ଭାରତକୁ ନକ୍ସଲମୁକ୍ତ କରିବେ କେନ୍ଦ୍ର ସରକାର । ଯବାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ। ବିଜାପୁରରେ ଆଇଇଡି ବିସ୍ଫୋରରରେ ଡିଆରଜି ଯବାନଙ୍କ ସହିଦ ଖବର ଶୁଣି ମର୍ମାହତ ଏବଂ ସେମାନଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଉଛି ବୋଲି ଏକ୍ସ ପୋଷ୍ଟରେ ଲେଖିଛନ୍ତି ଅମିତ ଶାହ ।
बीजापुर (छत्तीसगढ़) में IED ब्लास्ट में DRG के जवानों को खोने की सूचना से अत्यंत दु:खी हूँ। वीर जवानों के परिजनों के प्रति गहरी संवेदनाएँ व्यक्त करता हूँ। इस दुःख को शब्दों में व्यक्त कर पाना असंभव है, लेकिन मैं विश्वास दिलाता हूँ कि हमारे जवानों का बलिदान व्यर्थ नहीं जाएगा। हम…
— Amit Shah (@AmitShah) January 6, 2025
ସେପଟେ ମାର୍ଚ୍ଚ ୨୦୨୬ ସୁଦ୍ଧା କେନ୍ଦ୍ର ସରକାର ଦେଶକୁ ନକ୍ସଲମୁକ୍ତ କରିବେ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ । ଆଜି (ସୋମବାର) ଛତିଶଗଡ଼ର ବିଜାପୁର ଜିଲ୍ଳାରେ ନକ୍ସଲଙ୍କ ଦ୍ବାରା ଆଇଇଡି ବିସ୍ଫୋରଣରେ ୮ ଡିଆରଜି ଯବାନ ସହିଦ ହୋଇଛନ୍ତି। ଏହା ସହ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଗତ ଦୁଇ ବର୍ଷ ମଧ୍ୟରେ ନକ୍ସଲଙ୍କ ଦ୍ବାରା ହୋଇଥିବା ଏହା ସବୁଠାରୁ ବଡ଼ ଆକ୍ରମଣ ଏବଂ ୨୦୨୫ରେ ପ୍ରଥମ ।
ମିଳିଥିବା ସୂଚନା ଅନୁସାରେ, ଯବାନ ଅପରେସନ୍ ସାରି ସ୍କର୍ପିଓରେ ଫେରୁଥିବା ବେଳେ ଆମ୍ବେଲି ଗାଁ ନିକଟରେ ଥିବା କୁଟ୍ରୁ ଥାନା ଅଞ୍ଚଳରେ ଆଇଇଡି ବିସ୍ଫୋରଣ ହୋଇଥିଲା । ଗାଡ଼ିରେ ଥିବା ସମସ୍ତ ଯବାନଙ୍କ ସମେତ ଡ୍ରାଇଭରଙ୍କ ଜୀବନ ଯାଇଛି । ଏନେଇ ବସ୍ତରର ଆଇଜିପି ସୁନ୍ଦରରାଜ ପି. କହିଛନ୍ତି । ଡିଆରଜି ରାଜ୍ୟ ପୋଲିସର ଏକ ଶାଖା ହୋଇଥିବା ବେଳେ ଏଥିରେ ଅନୁସୂଚିତ ଜନଜାତିଙ୍କୁ ପ୍ରାଧାନ୍ୟ ଦିଆଯାଏ । ଏପରିକି ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ମଧ୍ୟ ଏହି ଡିଆରଜିରେ ସାମିଲ ହୋଇଥାନ୍ତି ।
ଏହା ପୂର୍ବରୁ ଶନିବାର ସନ୍ଧ୍ୟାରେ ଛତିଶଗଡର ବସ୍ତରରେ ସୁରକ୍ଷା ବାହିନୀଙ୍କ ଏନ୍କାଉଣ୍ଟରରେ ୫ ନକ୍ସଲ ନିହତ ହୋଇଥିଲେ । ଶନିବାର (ଜାନୁଆରୀ ୪)ସନ୍ଧ୍ୟା ନାରାୟଣପୁର ଏବଂ ଦନ୍ତେୱାଡା ଜିଲ୍ଲାର ସୀମାରେ ଥିବା ଦକ୍ଷିଣ ଆବୁଜମାଦର ଏକ ଜଙ୍ଗଲରେ ଏହି ଗୁଳି ବିନିମୟ ହୋଇଥିଲା। ସୁରକ୍ଷା କର୍ମୀମାନେ ନକ୍ସଲ ସଫେଇ ପାଇଁ ମିଳିତ ଅପରେସନ କରିଥିଲେ। ଏହାର ଦିନକ ପରେ ନକ୍ସଲମାନେ ଏଭଳି କାଣ୍ଡ ଘଟାଇଛନ୍ତି।