ନୂଆଦିଲ୍ଲୀ,୦୬/୧୦: ସୋମବାର ୮ଟି ନକ୍ସଲ ପ୍ରଭାବିତ ରାଜ୍ୟର  ମୁଖ୍ୟମନ୍ତ୍ରୀଙ୍କ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ । ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏଥିରେ ଅଧ୍ୟକ୍ଷତା କରିବେ । ବୈଠକରେ  ବିଭିନ୍ନ ରାଜ୍ୟରେ ଚାଲିଥିବା ନକ୍ସଲ ଦମନ ଅଭିଯାନ ଓ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ  ଆଲୋଚନା ହେବ । ଛତିଶଗଡ ମୁଖ୍ୟମନ୍ତ୍ରୀ  ବିଷ୍ଣୁଦେଓ ସାଏ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ  ଏନ ଚନ୍ଦ୍ରବାବୁ ନାଇଡୁ, ବିହାର ମୁଖ୍ୟମନ୍ତ୍ରୀ  ନୀତୀଶ କୁମାର, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ  ହେମନ୍ତ ସୋରେନ, ତେଲଙ୍ଗାନା ମୁଖ୍ୟମନ୍ତ୍ରୀ  ରେୱନ୍ତ ରେଡ୍ଡୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ  ଚରଣ ମାଝୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ  ସିନ୍ଦେ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ  ଯାଦବ ଏହି ବୈଠକରେ ଯୋଗଦେବେ ।  

ସେହିଭଳି ବୈଠକରେ ୫ କେନ୍ଦ୍ରମନ୍ତ୍ରୀ,  ଡେପୁଟି ଏନ୍‌ଏସ୍‌ଏ, କେନ୍ଦ୍ର, ରାଜ୍ୟ  ଓ କେନ୍ଦ୍ରୀୟ ସୁରକ୍ଷା ବାହିନୀର ବରିଷ୍ଠ  ଅଧିକାରୀମାନେ ଉପସ୍ଥିତ ରହିବେ । ବୈଠକ  ପୂର୍ବରୁ ଆଜି ଶାହ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ  ସହ ମାଓ ମୁକାବିଲା ନେଇ ଆଲୋଚନା  କରିଛନ୍ତି । ଛତିଶଗଡରେ ସୁରକ୍ଷା ବାହିନୀ  ଗୁଳିରେ ୩୬ ଜଣ ମାଓବାଦୀ ନିହତ ହେବା  ଘଟଣାକୁ ନେଇ ଶାହ ଏହି ଅପରେସନରେ  ସାମିଲ ରାଜ୍ୟ ପୁଲିସ ଓ କେନ୍ଦ୍ରୀୟ ବାହିନୀର  କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।