ନୂଆଦିଲ୍ଲୀ,୦୬/୦୧: ବଲିଉଡର ମେଗାଷ୍ଟାର ଏବଂ ପ୍ରସିଦ୍ଧ ଟିଭି ହୋଷ୍ଟ ଅମିତାଭ ବଚ୍ଚନ ସର୍ବଦା ତାଙ୍କ ପ୍ରଶଂସକ ଏବଂ ଦର୍ଶକଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ଆସିଛନ୍ତି । ଫିଲ୍ମରେ ତାଙ୍କର ଭୂମିକା ହେଉ କିମ୍ବା ଛୋଟ ପରଦାରେ ତାଙ୍କର ଗେମ୍ ଶୋ'ରେ ଉପସ୍ଥିତି, ତାଙ୍କ କାମ ପ୍ରତି ତାଙ୍କର ଆଗ୍ରହ ସମସ୍ତଙ୍କୁ ପ୍ରଭାବିତ କରେ । ଏହି ସମୟରେ, ତାଙ୍କର ଲୋକପ୍ରିୟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ "କୌନ ବନେଗା କରୋଡପତି ୧୭" ସିଜିନ୍ ସରିଛି । ଶେଷ ଏପିସୋଡ଼ରେ ଭାବୁକ ହୋଇପଡିଥିଲେ ଅମିତାଭ ବଚ୍ଚନ ।
ଲୋକପ୍ରିୟ ରିଆଲିଟି ଶୋ’ କୌନ ବନେଗା କରୋଡପତିର ସିଜିନ୍ -୧୭ ଶେଷ ହୋଇଛି । ଅନ୍ତିମ ଏପିସୋଡକୁ ଓ୍ବାଇଣ୍ଡ୍ ଅଫ୍ କରିବା ପୂର୍ବରୁ ବିଦାୟୀ ଭାଷଣ ଦେଇଥିଲେ ଲଙ୍ଗ୍ ଟାଇମ୍ ହୋଷ୍ଟ୍ ବିଗ୍ ବି । ବଲିଉଡ୍ ମହାନାୟକଙ୍କ ଶବ୍ଦରେ ଥିଲା ଭାବପ୍ରବଣତା, ବିଚ୍ଛେଦର ବିରହ । ତାଙ୍କ କଣ୍ଠ ବାଷ୍ପରୁଦ୍ଧ ହେଉଥିଲା, ଆଖିରେ ଆଶ୍ରୁ ଝରି ଆସୁଥିଲା । ଯାହା ଦର୍ଶକଙ୍କୁ ଆନ୍ଦୋଳିତ କରିଥିଲା । ସେ କହିଥିଲେ, କେବେ କେବେ ଗୋଟିଏ ମୂହୁର୍ତ୍ତକୁ ଆମେ ଏମିତି ବଞ୍ଚୁ, ହଜିଯାଉ ଯେବେ ତାହା ସରି ସରି ଆସେ ଲାଗେ ଏବେ ତ ଆରମ୍ଭ ହୋଇଥିଲା, ଏତେ ଜଲଦି ସରିଗଲା । କାଲିର କଥା ଭଳି ଲାଗୁଛି । ଜୀବନର ଏକ ତୃତୀୟାଂଶ ଏହି ଶୋକୁ ଦେଇଛି । ମୁଁ କାନ୍ଦିଲେ ତୁମେ କାନ୍ଦିଛ । ମୁଁ ହସିଲେ ତୁମେମାନେ ହସିଛ । ଆରମ୍ଭରୁ ଅନ୍ତ ଯାଏ ମୋ ଯାତ୍ରାରେ ରହିଛି । ତୁମେମାନେ ଅଛ ତ ଖେଳ ଅଛି ।'' ଏ ଥିଲା ଶେଷ ଏପିସୋଡରେ ବିଗ୍ ବିଙ୍କ ବିଦାୟୀ ଭାଷଣ । ଏକ୍ସରେ ଲେଖିଛନ୍ତି ଟାଇମ୍ ଟୁ ରେଷ୍ଟ୍ । ଏହାପରେ ରିଆଲିଟି ଶୋ’ଛାଡ଼ିବେ କି ବିଗ୍ ବି ? ଏମିତି କିଛି ପ୍ରଶ୍ନ ଫ୍ୟାନ୍ସଙ୍କ ମନରେ ଉଙ୍କି ମାରୁଛି ।
କୌନ ବନେଗା କରୋଡ୍ ପତି ସିଜିନ -୧୭ରେ ଅମିତାଭ ବଚ୍ଚନଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଥିଲା । ୨୦୦୦ ମସିହାରେ ପ୍ରଥମ କରି KBC ସହିତ ଯୋଡ଼ି ହୋଇଥିଲେ ବିଗ୍ ବି । ବର୍ତ୍ତମାନ ଏହି ସଫଳ ଯାତ୍ରାକୁ ୨୬ ବର୍ଷ ପୂରିଛି । ହେଲେ ବୟସାଧିକ କାରଣକୁ ସେ ଶୋ’ ଛାଡ଼ିବାକୁ ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି କୁହାଯାଉଛି । ଅନ୍ୟପଟେ ଏକ୍ସରେ ଅମିତାଭଙ୍କ ପୋଷ୍ଟ ଏହାକୁ ଆହୁରି ସ୍ପଷ୍ଟ କରିଛି । ସେ ଏକ୍ସରେ ଲେଖିଛନ୍ତି ଇଟ୍ସ ଟାଇମ୍ ଫର୍ ଟୁ ରେଷ୍ଟ୍ । ସିଜିନ୍ ସରିବା ପରେ ଫସି ରହିବା ପରି ଅନୁଭବ ହେଉଛି ଅସ୍ଥିର ଅନୁଭବ କରୁଥିବା ବ୍ଲଗରେ ଲେଖିଛନ୍ତି ବିଗ୍ ବି ।