ନୂଆଦିଲ୍ଲୀ: ଘିଅ, ବଟର, ପନିର, ଆଇସକ୍ରିମ ଏବଂ ଅନ୍ୟାନ୍ୟ ଦୁଗ୍ଧଜାତ ଦ୍ରବ୍ୟ ସମେତ ୭୦୦ ରୁ ଅଧିକ ଉତ୍ପାଦର ମୂଲ୍ୟ ହ୍ରାସ କଲା ଅମୁଲ । ଏହି ନୂଆ ଦାମ ୨୨ ସେପ୍ଟେମ୍ବର ୨୦୨୫ରୁ ଲାଗୁ ହେବ । ଜିଏସଟି ସ୍ଲାବରେ ପରିବର୍ତ୍ତନ ପରେ ଅମୁଲ ଏହି ପଦକ୍ଷେପ ଗ୍ରହଣ କରିଛି । ପୂର୍ବରୁ ମଦର ଡାଏରୀ ଦୁଗ୍ଧ ଉତ୍ପାଦ ଉପରେ ମୂଲ୍ୟ ହ୍ରାସ ନେଇ ଘୋଷଣା କରିଥିଲା। ସଫଳ ବ୍ରାଣ୍ଡର ଟେଟ୍ରା-ପ୍ୟାକ୍ କ୍ଷୀର, ପନିର,  ଘିଅ, ବଟର, ଆଇସକ୍ରିମ ଏବଂ ପ୍ରୋସେସଡ୍‌ ଫୁଡ୍‌ ଉପରେ ୨ ରୁ ୩୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଥିଲା ।

କେଉଁ ସାମଗ୍ରୀର ଦାମ କେତେ କମାଇଲା ଅମୁଲ, ଆସନ୍ତୁ ଜାଣିବା । ଏକ ଲିଟର ଅମୁଲ ଘିଅ ଦାମରେ ୪୦ ଟଙ୍କା ହ୍ରାସ ପାଇଛି। ବର୍ତ୍ତମାନ ନୂଆ ଦର ୬୧୦ ଟଙ୍କା ହୋଇଛି।  ସେହିଭଳି ୧୦୦ ଗ୍ରାମ ବଟର ପ୍ୟାକ୍ ପୂର୍ବରୁ ୬୨ ଟଙ୍କାରେ ବିକ୍ରି ହେଉଥିଲା । ଦର ହ୍ରାସ ପରେ ଏବେ ଏହା ୫୮ ଟଙ୍କାରେ ମିଳିବ । ଏଥିରେ ୪ ଟଙ୍କା ଶସ୍ତା ହୋଇଛି ।  ଏକ କିଲୋ ଚିଜ୍ ବ୍ଲକ୍‌ର ମୂଲ୍ୟ ୩୦ ଟଙ୍କା ହ୍ରାସ ପାଇ ନୂଆ ମୂଲ୍ୟ ୫୪୫ ହୋଇଛି । ସେହିଭଳି ଅନେକ ଲୋକଙ୍କ ପସନ୍ଦ ପନିରର ଦାମ ମଧ୍ୟ କମାଇଛି ଅମୁଲ । ଏବେ ୨୦୦ ଗ୍ରାମ ଅମୁଲ ପନିରର ମୂଲ୍ୟ ୯୫ ଟଙ୍କା । ପୂର୍ବରୁ ଏହାର ଦାମ ଥିଲା ୯୯ ଟଙ୍କା ।ଅନ୍ୟାନ୍ୟ ଉତ୍ପାଦ, ୟୁଏଚଟି କ୍ଷୀର, ଚକୋଲେଟ୍, ବେକେରୀ ଉତ୍ପାଦ, ଫ୍ରୋଜେନ୍ ସ୍ନାକ୍ସ, କଣ୍ଡେନ୍ସଡ୍ କ୍ଷୀର, ପିନଟ ସ୍ପ୍ରେଡ୍ ଏବଂ ମାଲ୍ଟ ଡ୍ରିଙ୍କସ ମୂଲ୍ୟ ମଧ୍ୟ ହ୍ରାସ ପାଇଛି। 

ଗୁଜରାଟ କୋ-ଅପରେଟିଭ୍ ମାର୍କେଟିଂ ଫେଡେରେସନର ପରିଚାଳନା ନିର୍ଦ୍ଦେଶକ ଜୟେନ ମେହେଟା କହିଛନ୍ତି ଯେ, ପାଉଚ୍ କ୍ଷୀର ଉପରେ ଜିଏସଟି ଲାଗୁ ନାହିଁ, ତେଣୁ ଏହାର ମୂଲ୍ୟରେ କୌଣସି ପରିବର୍ତ୍ତନ ହେବ ନାହିଁ। ଅମୁଲ କହିଛି ଯେ, ଜିଏସ୍‌ଟି ସ୍ଲାବରେ ପରିବର୍ତ୍ତନର ସମ୍ପୂର୍ଣ୍ଣ ଲାଭ ଗ୍ରାହକମାନଙ୍କୁ ଦେବା ପାଇଁ ଏହି ହ୍ରାସ କରାଯାଇଛି। ଭାରତରେ ମୁଣ୍ଡପିଛା କ୍ଷୀର ଉତ୍ପାଦର ବ୍ୟବହାର କମ୍ ରହିଛି ଏବଂ ମୂଲ୍ୟ ହ୍ରାସ ଆଇସକ୍ରିମ, ପନିର ଏବଂ ବଟର ଭଳି ଉତ୍ପାଦର ଚାହିଦାକୁ ବୃଦ୍ଧି କରିବ । ଫଳରେ କାରବାର ବୃଦ୍ଧି ପାଇବ  ବୋଲି କମ୍ପାନୀ ଆଶା ରଖିଛି ।