ମୁମ୍ବାଇ ୨୪/୧୧: ମହାକାଶରେ ଯେଉଁ ନକ୍ଷତ୍ର ଦ୍ରୁତ ବେଗରେ ଯାତାୟତ କରୁଛନ୍ତି, ସେଗୁଡ଼ିକୁ ଏଲିଅନ୍‌ ସଭ୍ୟତା ପରିଚାଳନା କରୁଛି । ଏକ ସଦ୍ୟ ଅଧ୍ୟୟନ ଏହି ଦାବି କରିଛି । ଅଧ୍ୟୟନରୁ ଜଣାପଡ଼ିଛି, ଏଲିଅନ୍‌ମାନେ ନିଜ ନକ୍ଷତ୍ର ଓ ଗ୍ରହଗୁଡ଼ିକୁ ହିଁ ମହାକାଶଯାନରେ ରୂପାନ୍ତର କରିଛନ୍ତି, ଯାହା ଦ୍ୱାରା ସେମାନଙ୍କୁ ଅଲଗା ଅଲଗା ଏଲିଅନ୍‌ଯାନ ପ୍ରସ୍ତୁତ କରିବାକୁ ପଡୁନାହିଁ । ଅର୍ଥାତ୍‌ ନକ୍ଷତ୍ରମାନଙ୍କର ପାଇଲଟ୍‌ ହେଉଛନ୍ତି ଏଲିଅନ୍‌ । 

ଅଧ୍ୟୟନ ଅନୁସାରେ, ଏଲିଅନ୍‌ ଯେଉଁଠିକୁ ଯିବାକୁ ଚାହୁଁଛନ୍ତି ନିଜ ଗ୍ରହକୁ ହିଁ ଯାନ ରୂପେ ଚଳାଇ ଯାଉଛନ୍ତି । କିନ୍ତୁ ଏ ପ୍ରକାର ଷ୍ଟାର୍‌ ସିଷ୍ଟମ୍‌ ବେଶି ନାହିଁ । କିଛି ବୈଜ୍ଞାନିକଙ୍କ ବିଶ୍ୱାସ, ଏମାନେ ଅତ୍ୟନ୍ତ ଉନ୍ନତ ଏଲିଅନ୍‌ ସଭ୍ୟତା ଯିଏ ଆକାଶଗଙ୍ଗା ମଧ୍ୟରେ ଯାତ୍ରା କରୁଛନ୍ତି । ଏଥିପାଇଁ ସେମାନେ ନିଜ ବାଇନାରୀ ଷ୍ଟାର୍‌ ସିଷ୍ଟମ୍‌ ବା ଦ୍ୱେତ ନକ୍ଷତ୍ର ପ୍ରଣାଳୀରେ ଯାତ୍ରା କରନ୍ତି । ଅର୍ଥାତ୍‌ ଏଲିଅନ୍‌ଙ୍କ ଗ୍ରହ ଓ ତା’ର ନକ୍ଷତ୍ର ।

ବୈଜ୍ଞାନିକଙ୍କ ଅନୁସାରେ, ଯେଉଁ ସଭ୍ୟତା ମହାକାଶରେ ଦୀର୍ଘ ସମୟରୁ ଅଛନ୍ତି³ ସେମାନଙ୍କୁ ବହୁ ପୂର୍ବରୁ ସୂଚନା ମିଳିଥିବ ଯେ ଆକାଶଗଙ୍ଗାଗୁଡ଼ିକ ମଧ୍ୟରେ ଯାତ୍ରା କରିବା ଉଚିତ୍‌ । କିମ୍ବା କୌଣସି ସୁପର୍‌ନୋଭା ବିସ୍ଫୋରଣରୁ ଅଥବା ପ୍ରାକୃତିକ ସ୍ରୋତର ଅନ୍ୱେଷଣରେ ସେମାନେ ବାହାରିଥିବେ । କିନ୍ତୁ ସମସ୍ୟା ହେଉଛି ମହାକାଶରେ ଦୂରତା । ଆକାଶଗଙ୍ଗାଙ୍କ ମଧ୍ୟରେ ଦୂରତା ଅତ୍ୟନ୍ତ ଲମ୍ବା । ଏହା ମଧ୍ୟରେ ଯାତ୍ରା କରିବାକୁ ବହୁ ସମୟ ଲାଗେ । ତେଣୁ ନିଜ ପ୍ରଣାଳୀକୁ ଛାଡ଼ି ଅନ୍ୟ ଏକ ପ୍ରଣାଳୀକୁ ଯିବା ପରିବର୍ତ୍ତେ ବୁଦ୍ଧିମାନ ଏଲିଅନ୍‌ ସଭ୍ୟତା ନିଜ ପ୍ରଣାଳୀକୁ ହିଁ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ନେବାର ପଦ୍ଧତି ବିକଶିତ କରିଛନ୍ତି । ସେମାନେ ନିଜ ନକ୍ଷତ୍ର ଓ ଗ୍ରହକୁ ସାଙ୍ଗରେ ଧରି ବୁଲୁଛନ୍ତି । ବୈଜ୍ଞାନିକଙ୍କ ଅଧ୍ୟୟନରୁ ଜଣାପଡ଼ିଛି, ହାଇପରଭେଲୋସିଟି ଅର୍ଥାତ୍‌ ଅତ୍ୟନ୍ତ ଦ୍ରୁତ ବେଗରେ ଯାଉଥିବା ନକ୍ଷତ୍ରଗୁଡ଼ିକୁ ଏଲିଅନ୍‌ ସଭ୍ୟତା ଚଳାଉଛି । ଏଥିରେ କୌଣସି ପ୍ରକାର କୃତ୍ରିମ ସମର୍ଥନ ନାହିଁ । ସେଥିପାଇଁ ଏ ମାମଲା ଆହୁରି ଜଟିଳ ଓ ଗୂଢ଼ ହୋଇଯାଉଛି ।

ବେଲଜିୟମ୍‌ର ବ୍ରସେଲ୍ସ ସ୍ଥିତ ଭ୍ରିଜ୍‌ ବିଶ୍ୱବିଦ୍ୟାଳୟର ଦାର୍ଶନିକ କ୍ଲେମେଣ୍ଟ୍‌ ଭିଡାଲ ଏହି ଅଧ୍ୟୟନ କରିଛନ୍ତି । ସେ ଏକ ମଡେଲ ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ କମ୍‌ ଘନତ୍ୱର ନ୍ୟୁଟ୍ରନ୍‌ ଷ୍ଟାର୍‌ ନିଜ ନକ୍ଷତ୍ର ଚତୁଃପାଶ୍ୱର୍ରେ ପରିକ୍ରମା କରୁଛନ୍ତି । ନକ୍ଷତ୍ରମାନଙ୍କର ଯାତ୍ରା ସମ୍ଭବ ବୋଲିଏହି ମଡେଲରୁ ଜଣାପଡ଼ିଛି । ଚୁମ୍ବକୀୟ କ୍ଷେତ୍ରର ଲାଭ ଉଠାଇ ଏହି ଯାତ୍ରା ଶେଷ ହେଉଛି ।