ସେଓରେ ଭିଟାମିନ, ମିନେରାଲ ,ଫାଇବର, ଭିଟାମିନ ସି, ଭିଟାମିନ ବି6, ପୋଟାସିୟମ, ଫରଫରସ୍, କପର ଓ ଫାଇବର ଭରପୂର ମାତ୍ରାରେ ଥାଏ । ଆଉ ଏଥିପାଇଁ ସୁସ୍ଥ ଶରୀର ପାଇଁ ପ୍ରତ୍ୟେକ ଦିନ ଗୋଟିଏ ସେଓ ଖାଇବା ପାଇଁ ଡାକ୍ତରମାନେ ପରାମର୍ଶ ଦିଅନ୍ତି । ତେବେ ଆସନ୍ତୁ ଜାଣିବା ସେଓ ଖାଇଲେ ଶରୀରକୁ କ'ଣ ସବୁ ଫାଇଦା ମିଳିଥାଏ ।
ମାରାତ୍ମର ରୋଗରୁ ରକ୍ଷା: ନିୟମିତ ସେଓ ଖାଇଲେ ଶରୀରକୁ ଜରୁରୀ ଭିଟାମିନ, ମିନେରାଲ ଓ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ । ଏହା କ୍ୟାନ୍ସର, ହୃଦରୋଗ, ଆସ୍ଥାମା, ଟାଇପ୍-୨ ଡାଇବେଟିସ ଭଳି ଗମ୍ଭୀର ରୋଗରୁ ସୁରକ୍ଷା ଦେବାରେ ସାହାଯ୍ୟ କରିପାରେ । ସେଓରେ କ୍ୟାନ୍ସର ବିରୋଧୀ ଗୁଣ ରହିଛି । ଭିଟାମିନ ସି ଓ ପୋଟାସିୟମ ହୃଦୟ ସହ ଜଡିତ ସମସ୍ୟା ଦୂର କରିଥାଏ ।
ଓଜନ ନିୟନ୍ତ୍ରଣ: ଓଜନ କମାଇବାକୁ ଚାହୁଁଥିବା ଲୋକେ ପ୍ରତିଦିନ ସେଓ ଖାଇବା ଭଲ । ସେଓ ଅଧିକ ପରିମାଣରେ ଫାଇବର ଓ ଜଳ ରହିଥାଏ । ଏହାକୁ ଖାଇଲେ ଭୋକ ନିୟନ୍ତ୍ରଣ ରହେ ଏବଂ ଅଧିକ ସମୟ ପର୍ଯ୍ୟନ୍ତ ଭୋକ ଲାଗେନି ଯାହାକି ଆମର ଓଜନ ନିୟନ୍ତ୍ରଣରେ ସହାୟକ ହୁଏ ।
ଦାନ୍ତ ଓ ହାଡ ସୁଦୃଢ: ସେଓ ଚୋବାଇ ଖାଇବା ଦ୍ବାରା ପାଟିରେ ଲାଳ ଉତ୍ପାଦନ ବଢିଥାଏ । ଯାହାଫଳରେ ପାଟିରେ ବ୍ୟାକ୍ଟେରିଆ କମ୍ ହୁଏ ଓ ଦାନ୍ତ ସୁସ୍ଥ ରହିଥାଏ । ସେହିପରି ଏଥିରେ ଥିବା ବୋରନ ନାମକ ଯୌଗିକ ହାଡକୁ ମଜଭୁତ କରିବାରେ ସହାୟକ ହୁଏ ।
ପେଟ ପାଇଁ ଭଲ: ସେଓରେ ପେକଟିନ ଥାଏ । ଏହା ଏକ ପ୍ରକାରର ଫାଇବର ଯାହା ଆପଣଙ୍କ ଗଟ୍ ମାଇକ୍ରୋବିଓମରେ ପ୍ରିବାୟୋଟିକ ଭଳି କାମ କରେ ଓ ଗଟ୍ ସ୍ବାସ୍ଥ୍ୟ ଠିକ୍ ରଖେ । ଏହା ପେଟରେ ଭଲ ବ୍ୟାକ୍ଟେରିଆ ସୃଷ୍ଟି କରେ । ଫଳରେ କ୍ରନିକ ରୋଗଗୁଡିକରୁ ରକ୍ଷା କରିବାରେ ସାହାଯ୍ୟ ମିଳିଥାଏ ।
ବ୍ଲଡସୁଗାର: ଏକ ଅଧ୍ୟୟନ ଅନୁସାରେ, ଦିନକୁ ଗୋଟିଏ ସେଓ ଖାଉଥିବା ଲୋକଙ୍କୁ ସେଓ ଖାଉନଥିବା ଲୋକଙ୍କ ତୁଳନାରେ ଟାଇପ୍-2 ଡାଇବେଟିସ ହେବାର ଆଶଙ୍କା 28 ପ୍ରତିଶତ କମ୍ ଥାଏ । ଏଥିରେ ଥିବା ସୋଲୁବଲ ଫାଇବର ବ୍ଲଡସୁଗାର ନିୟନ୍ତ୍ରଣରେ ସାହାଯ୍ୟ କରେ ।
କୋଲେଷ୍ଟ୍ରଲ ଓ ବ୍ଲଡପ୍ରେସର: ସେଓ କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ମଧ୍ୟ ସହାୟକ । ଏଥିରେ ଥିବା ଫାଇବର, ପୋଟାସିୟମ, ଆଣ୍ଟିଅକ୍ସିଡାଣ୍ଟ ହୃଦୟକୁ ସୁସ୍ଥ ରଖେ । କୋଲେଷ୍ଟ୍ରଲ ସ୍ତର କମ୍ କରିଥାଏ ଓ ରକ୍ତଚାପ ନିୟନ୍ତ୍ରିତ ରଖିଥାଏ । ଯେଉଁଥିପାଇଁ ହୃଦରୋଗ ହେବାର ବିପଦ କମିଯାଏ ।