ପୁରୀ,୨୩/୧୧: ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ପୁଣି ଥରେ ଦେଖିବାକୁ ମିଳିଛି ଭାବବିହ୍ବଳ ଦୃଶ୍ୟ। ପୁଅର ସୁସ୍ଥତା ପାଇଁ ମହାପ୍ରଭୁଙ୍କ ଶରଣରେ ବାପା-ମାଆ। ରବିବାର ଭୋରରୁ ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଅସୁସ୍ଥ ପୁଅର ସୁସ୍ଥତା କାମନା ପାଇଁ ଦଣ୍ଡ ପ୍ରଣାମ ସହିତ ପଣତ କାନି ଦେଖାଇ ପୁଅର ଜୀବନ ଭିକ୍ଷା ମାଗୁଥିଲେ ମାଆ।

ଯାଜପୁର ଜିଲ୍ଲାର ଗାୟତ୍ରୀ ବେହେରାଙ୍କ ଗୋଟିଏ ଏକ ପୁଅ। ନିମୋନିଆ ରୋଗରେ ପୀଡିତ ହୋଇ ଶିଶୁଟି ଏମ୍ସରେ ଚିକିତ୍ସିତ ହେଉଥିଲେ। ସାମାନ୍ୟ ଭଲ ହେବା ପରେ ଆଜି ଗାୟତ୍ରୀ ଗୁଣ୍ଡିଚା ମନ୍ଦିର ପାଖରୁ ଦଣ୍ଡ ପ୍ରଣାମ କରି  ଶ୍ରୀମନ୍ଦିର ପର୍ଯ୍ୟନ୍ତ ଆସିଥିଲେ ବାପା-ମାଆ । ସିଂହଦ୍ଵାର ଠାରେ ପୁଅକୁ ଠାକୁରଙ୍କ ପାଖରେ ସମର୍ପି ଦେଇଥିଲେ । ନିଜ ପୁଅର ଦୀର୍ଘାୟୁ କାମନା ନେଇ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ବାପା-ମାଆ। ମନରେ ଆଶା ଓ ବିଶ୍ୱାସ ଅଛି ମହାପ୍ରଭୁ ନିଶ୍ଚିତ ତାଙ୍କ ପୁଅକୁ ସମ୍ପୂର୍ଣ୍ଣ ସୁସ୍ଥ କରିଦେବେ। ଶନିବାର ମଧ୍ୟ ଅସୁସ୍ଥ ପୁଅର ସୁସ୍ଥତା ପାଇଁ ଛତିଶଗଡ଼ର ଜଣେ ବ୍ୟକ୍ତି ମହାପ୍ରଭୁଙ୍କ ନିକଟକୁ ଆସିଥିଲେ। ଦୀର୍ଘ ଦିନ ଧରି କୋମାରେ ଥିବା ଅସୁସ୍ଥ ପୁଅ ମଧ୍ୟ ମହାପ୍ରଭୁଙ୍କ ଆଶୀର୍ବାଦରୁ ସାମାନ୍ୟ ସୁସ୍ଥ ହୋଇଥିବା ଦେଖିବାକୁ ମିଳିଥିଲା। ପରେ ପୁରୀ ଜିଲ୍ଲା ପ୍ରଶାସନର ସହାୟତାରେ ପିଲାଟିର ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଥିଲା।