ନୂଆଦିଲ୍ଲୀ,୦୩/୦୮:ଆମେରିକାର ଓହିୟୋଠାରେ ୩୦ ବର୍ଷ ତଳର ଏକ ଭ୍ରୂଣରୁ ଜନ୍ମ ନେଇଛି ଶିଶୁ। ଯାହାର ନାମ ଥାଡିୟସ ଡାନିଏଲ ପିୟର୍ସ ରଖାଯାଇଛି। ଏହି ବିରଳ ଉପଲବ୍ଧି ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି । ୩୫ ବର୍ଷୀୟା ଲିଣ୍ଡ୍ସି ଓ ତାଙ୍କ ସ୍ୱାମୀ ୩୪ ବର୍ଷୀୟ ଟିମ୍ ପିୟର୍ସ ଗତ ଶନିବାର ଥାଡେୟସ୍ ଡାନିଏଲ ପିୟର୍ସ ନାମକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ।
ସୂଚନା ଅନୁଯାୟୀ, ୧୯୯୪ରେ ଏକ ଭ୍ରୂଣକୁ ବିକଶିତ କରାଯାଇଥିଲା। ପରବର୍ତ୍ତୀ ସମୟରେ ବ୍ୟବହାର କରିବା ଉଦ୍ଦେଶ୍ୟରେ ଏହାକୁ ଫ୍ରିଜରରେ ସଂରକ୍ଷିତ କରି ରଖାଯାଇଥିଲା। ଦୀର୍ଘ ୩୦ ବର୍ଷ ଧରି ସଂରକ୍ଷିତ ହୋଇ ରହିବା ପରେ ଉକ୍ତ ଭ୍ରୂଣରୁ ଥାଡିୟସ୍ ଜନ୍ମ ହୋଇଛନ୍ତି। ଗତ ଜୁଲାଇ ୨୬ରେ ଜନ୍ମ ହୋଇଥିବା ଥାଡିୟସ୍ଙ୍କ ଭ୍ରୂଣକୁ ୩୦ ବର୍ଷ ତଳେ ଏକ ସ୍ଥାନୀୟ ଇନ୍ ଭିଟ୍ରୋ ଫର୍ଟିଲାଇଜେଶନ କେନ୍ଦ୍ରରେ ବିକଶିତ କରାଯାଇଥିଲା। ସେବେଠାରୁ ଗତବର୍ଷ ନଭେମ୍ବର ପର୍ଯ୍ୟନ୍ତ ଉକ୍ତ ଭ୍ରୂଣ ଫ୍ରିଜରରେ ସଂରକ୍ଷିତ ହୋଇ ରହିଥିଲା।ପିୟର୍ସ ଦମ୍ପତି କହିଛନ୍ତି, ଦୀର୍ଘ ୭ ବର୍ଷ ଧରି ସେମାନେ ସନ୍ତାନ ପାଇଁ ଚେଷ୍ଟା କରିଆସୁଥିଲେ । ଏହା ପରେ ଏକ ଏମ୍ବ୍ରିଓ ଆଡପ୍ସନ ଏଜେନ୍ସି ଜରିଆରେ ଅନ୍ୟ ଜଣେ ଦମ୍ପତିଙ୍କ ଭ୍ରୂଣକୁ ସେମାନେ ପୋଷ୍ୟ କଲେ ।
ଦମ୍ପତି ଉକ୍ତ ଭ୍ରୂଣକୁ ୧୯୯୪ ମସିହାରେ ଆଇଭିଏଫ୍ ବା ଇନ୍ ଭିଟ୍ରୋ ଫର୍ଟିଲାଇଜେସନ୍ ଜରିଆରେ ଗ୍ରହଣ କରିଥିଲେ । ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି ଭ୍ରୂଣ ଶୀତଳ ଭଣ୍ଡାରରେ ଗଚ୍ଛିତ ରହିଥିଲା । ଏବେ ସେହି ଭ୍ରୂଣରୁ ପିୟର୍ସ ଦମ୍ପତି ମାତାପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି । ଭ୍ରୂଣର ପ୍ରକୃତ ମା’ ଲିଣ୍ଡା ଆର୍ଚର୍ଡ ଓ ତାଙ୍କର ତତ୍କାଳୀନ ସ୍ୱାମୀ ୧୯୯୦ ଦଶକରେ ଆଇଭିଏଫ୍ ଜରିଆରେ ଭ୍ରୂଣକୁ ଶୀତଳ ଭଣ୍ଡାରରେ ସାଇତି ରଖିଥିଲେ । ଗୋଟିଏ କନ୍ୟା ସନ୍ତାନକୁ ଜନ୍ମ ଦେବା ପରେ ଦମ୍ପତି ୩ ଭ୍ରୂଣକୁ ବ୍ୟାଙ୍କ୍ରେ ରଖିଥିଲେ । ଅନେକ ଦଶନ୍ଧି ପରେ ଆର୍ଚର୍ଡ ଭ୍ରୂଣ ଦାନ କରିବାକୁ ନିଷ୍ପତ୍ତି ନେଲେ । ଲିଣ୍ଡ୍ସି ଓ ଟିମ୍ ପିୟର୍ସ ଉକ୍ତ ଭ୍ରୂଣକୁ ଗ୍ରହଣ କଲେ । ଏ ନେଇ ଲିଣ୍ଡ୍ସି କହିଛନ୍ତି, କୌଣସି ରେକର୍ଡ ଭାଙ୍ଗିବାକୁ ଆମେ ଭାବିନଥିଲୁ । କେବଳ ଏକ ସନ୍ତାନ ଚାହୁଁଥିଲୁ । ଏହା ପୂର୍ବରୁ ୧୯୯୨ ମସିହାରେ ଶୀତଳ ଭଣ୍ଡାରରେ ଗଚ୍ଛିତ ଥିବା ଭ୍ରୂଣ ଏହି ରେକର୍ଡ କରିଥିଲା । ସେହି ଭ୍ରୂଣରୁ ୨୦୨୨ ମସିହାରେ ଯମଜ ସନ୍ତାନ ଜନ୍ମଗ୍ରହଣ କରିଥିଲେ । ସଦ୍ୟତମ ରେକର୍ଡ ସୃଷ୍ଟିକାରୀ ଭ୍ରୂଣ ଟେନେସିର ରିପ୍ରଡକ୍ଟିଭ୍ ଏଣ୍ଡୋକ୍ରିନୋଲୋଜିଷ୍ଟ୍ ଜନ୍ ଗୋର୍ଡନ୍ଙ୍କ ଦ୍ୱାରା ପରିଚାଳିତ ଏକ ପ୍ରଜନନ କ୍ଲିନିକ୍ ଦ୍ୱାରା ଦମ୍ପତିଙ୍କ ସନ୍ତାନ ପ୍ରାପ୍ତି ଲାଗି ଉପଯୋଗ ହୋଇଥିଲା ।