ନୂଆଦିଲ୍ଲୀ,୨୬/୦୭: କାନାଡ଼ାରେ ଅନୁଷ୍ଠିତ ବିଶ୍ୱ ଜୁନିୟର ସ୍କ୍ୱାଶ୍ ଚାମ୍ପିଅନସିପରେ ଭାରତର ଅନାହତ ସିଂହ ଚାମ୍ପିଅନ ଆଖ୍ୟା ଅର୍ଜନ କରି ଇତିହାସ ରଚିଛନ୍ତି । ସେ ଫାଇନାଲ୍ରେ ଇଜିପ୍ଟର ରୁକାୟା ସାଲେମଙ୍କୁ ୧୧-୩, ୧୧-୭, ୧୧-୯ ସେଟ୍ରେ ପରାସ୍ତ କରିଥିଲେ । ଭାରତର ପ୍ରଥମ ଖେଳାଳି ଭାବେ ସେ ଜୁନିୟର ବିଶ୍ୱ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛନ୍ତି । ତାଙ୍କ ପୂର୍ବରୁ କେବଳ ଜ୍ୟୋତ୍ସ୍ନା ଚିନ୍ନାପା ୨୦୦୫ରେ ରନର୍ସ ଅପ ହୋଇଥିଲେ । ଜୁନିୟର ସ୍କ୍ୱାଶ୍ ବିଶ୍ୱ ଚାମ୍ପିୟନଶିପରେ ଇଜିପ୍ଟର ୧୫ ବର୍ଷର ଆଧିପତ୍ୟକୁ ଶେଷ କରି ଟାଇଟଲ୍ ଜିତିଛନ୍ତି ଅନାହତ ।
ଅନାହତଙ୍କ ବିଜୟ ସହ ଦୀର୍ଘ ୧୫ ବର୍ଷ ଧରି ଜାରି ରହିଥିବା ଇଜିପ୍ଟର ଆଧିପତ୍ୟରେ ପୂର୍ଣ୍ଣଛେଦ ପଡ଼ିଛି । ପୂର୍ବରୁ ଅନାହତ ସେମି ଫାଇନାଲରେ ଇଜିପ୍ଟର ବାର୍ବ ସିମେହଙ୍କୁ ୩-୧ (୧୧- ୩, ୮-୧୧, ୧୧-୪, ୧୧-୬)ରେ ପରାସ୍ତ କରିଥିଲେ । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ମୋଟ୍ ୬ଟି ମ୍ୟାଚରୁ ଅନାହତ କେବଳ ୨ଟି ସେଟ୍ ପରାଜିତ ହୋଇଥିଲେ । ସେ ପ୍ରଥମ ରାଉଣ୍ଡ୍ରେ ଅଷ୍ଟ୍ରେଲିଆର ଲିଲି ୱିଲସନଙ୍କୁ ୩-୦ରେ ପରାସ୍ତ କରିଥିଲେ । ଏହାପରେ ସେ ହଂକଂର ପୁଇ ୟିନ ଚୋଲେ ଓ ମାଲେସିଆର ଡୋୟେସ ୟେ ସାନ ଲିଙ୍କୁ ହରାଇ କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଥିଲେ । କ୍ୱାର୍ଟର ଫାଇନାଲ୍ରେ ଫାଇନାଲ୍ ପର୍ଯ୍ୟନ୍ତ ସେ ୩ଜଣ ଇଜିପ୍ଟ ଖେଳାଳିଙ୍କୁ ସାମ୍ନା କରିଥିଲେ । କ୍ୱାର୍ଟରରେ ହବିବା ରିଜକଙ୍କୁ ସେ ୩-୧ରେ ପରାସ୍ତ କରିଥିଲେ ।
ଏହା ବି ପଢନ୍ତୁ...Ind Vs Zim: ଦ୍ବିତୀୟ ମ୍ୟାଚ୍ ବିଜୟ ସହ ଟିମ୍ ଇଣ୍ଡିଆର ସିରିଜ୍ କବଜା; ନିଜ ଘରେ ମାଟି କାମୁଡ଼ିଲା ଜିମ୍ବାଓ୍ବେ ଟିମ୍
ଅନାହତଙ୍କ ଏହି ଐତିହାସିକ ସଫଳତା ପାଇଁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡାଭିଅ ଅଭିନନ୍ଦନ ଜଣାଇଛନ୍ତି । ସେ ଶୁଭେଚ୍ଛା ବାର୍ତ୍ତା ପୋଷ୍ଟ କରିଛନ୍ତି, "ଇତିହାସ ରଚିତ ହୋଇଛି ! ବିଶ୍ୱ ସ୍କ୍ୱାଶ୍ ଜୁନିଅର ଚାମ୍ପିଅନସିପ୍ ଜିତିଥିବା ପ୍ରଥମ ଭାରତୀୟ ହେବା ପାଇଁ ଅନାହତ ସିଂହଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ! ଏହି ଅଭୂତପୂର୍ବ ସଫଳତା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ । "
ଏବେ ଅଲିମ୍ପିକ୍ସରେ ଅନାହତଙ୍କଠାରୁ ଆଶା- ସ୍କ୍ୱାଶ୍କୁ ଲସ୍ ଆଞ୍ଜେଲସ୍ରେ ହେବାକୁ ଥିବା ୨୦୨୮ ଅଲିମ୍ପିକ୍ ଗେମ୍ସରେ ସାମିଲ କରାଯାଇଛି । ବିଶ୍ୱ ଜୁନିୟର ସ୍କ୍ୱାଶ୍ରେ ଅନାହତଙ୍କର ଏହି ବିଜୟ ତାଙ୍କ ଆତ୍ମବିଶ୍ୱାସକୁ ଯଥେଷ୍ଟ ବୃଦ୍ଧି କରିବ । ଜୁନିଅର ସ୍ତରରେ ତାଙ୍କର ଦକ୍ଷତା ପ୍ରଦର୍ଶନ କରିବା ପରେ, ସମସ୍ତେ ଆଶା କରୁଛନ୍ତି ଯେ, ଅନାହତ ସିନିୟର ବର୍ଗରେ ସମାନ ପ୍ରଦର୍ଶନ କରିବେ । ଅନହତ ବର୍ତ୍ତମାନ ବରିଷ୍ଠ ପିଏସଏ ଟୁର୍ ବିଶ୍ୱ ରାଙ୍କିଙ୍ଗରେ ଶ୍ରେଷ୍ଠ ୨୦ ଖେଳାଳିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ତେଣୁ, ତାଙ୍କ ପାଖରେ ଏବେ ବି ତାଙ୍କ ରାଙ୍କିଙ୍ଗକୁ ଆହୁରି ଉନ୍ନତ କରିବାର ସୁଯୋଗ ଅଛି ।
ଏହା ବି ପଢନ୍ତୁ...Missile Attack On Saudi Arabia: ସାଉଦି ରିଫାଇନରି ଉପରେ ହୁତି ହମଲା; ୩ ମିସାଇଲ ମାଡ଼ରେ ଭୟଙ୍କର ବିସ୍ଫୋରଣ, ଜିଳିଲା ଜଜାନ ରିଫାଇନରି