ଭୁବନେଶ୍ୱର, ୧୫/୦୪ (ବିଜୟ ମିଶ୍ର): ଶ୍ରୀଲିଙ୍ଗରାଜ ମନ୍ଦିର ଦକ୍ଷିଣ ଦ୍ୱାର ଠାରୁ ଜଗନ୍ନାଥ ମଠ ପର୍ଯ୍ୟନ୍ତ ବିସ୍ତୃତ ଥିଲା କେଶରୀ ବଂଶର ଗଡ଼। ରାଜବାଟୀର ଉତ୍ତରରେ ବିରାଜିତ ଥିଲେ ଗଡ଼ ଗଣେଶ ଓ ଦକ୍ଷିଣରେ ଦକ୍ଷିଣ ଚଣ୍ଡୀ (ଗଡ଼ ଚଣ୍ଡୀ)। ମଝିରେ ଥିଲା ରାଜବାଟୀ । ଗଡ଼ରେ ବାସ କରୁଥିବା ରାଜବଂଶୀମାନେ ମା’ ଦକ୍ଷିଣ ଚଣ୍ଡୀ ଓ ଗଡ଼ ଗଣେଶଙ୍କୁ ପୂଜାର୍ଚ୍ଚନା କରିବା ପରେ ଦକ୍ଷିଣ ଦ୍ୱାର ପଟେ ଯାଇ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରୁଥିଲେ । ସମୟାନୁକ୍ରମେ ରାଜାରାଜୁଡ଼ାଙ୍କ ଅମଳ ଚାଲିଗଲା । ସ୍ମୃତିସ୍ୱରୂପ ରହିଗଲା ରାଜବାଟୀ । କାଳକ୍ରମେ ରାଜବାଟୀ ବଣବୁଦାରେ ଆଚ୍ଛାଦିତ ହୋଇଗଲା । ୯୦ ଦଶକ ପର୍ଯ୍ୟନ୍ତ ରାଜବାଟୀର ଭଗ୍ନାବଶେଷ ଦୃଶ୍ୟମାନ ଥିଲା । ଏହାପରେ ଧୀରେ ଧୀରେ ରାଜବାଟୀ ମନୁଷ୍ୟକୃତ ଅବକ୍ଷୟର ଶିକାର ହେବାକୁ ଲାଗିଲା । ବିଭାଗୀୟ ଅଧିକାରୀ ସବୁ ଜାଣି ନିରବ ରହିଲେ । ୨୦୦୦ ମସିହା ବେଳକୁ ସବୁ ସଫା । ଚରମ ଅବହେଳା ଯୋଗୁ ଏକ ଅମୂଲ୍ୟ ଐତିହ୍ୟ ଚାହୁଁ ଚାହୁଁ ହାତଛଡ଼ା ହୋଇଗଲା । କେବଳ ସନ୍ତକ ଭାବେ ଏବେ ଅଛନ୍ତି ଗଡ଼ ଗଣେଶ ଓ ଦକ୍ଷିଣ ଚଣ୍ଡୀ ।
୮୦ ଦଶକରେ ଏହି ରାଜବାଟୀ ଭଗ୍ନ ସନ୍ତକକୁ ସଂରକ୍ଷିତ କୀର୍ତ୍ତି ଭାବେ ଘୋଷଣା କରିଥିଲେ ରାଜ୍ୟ ସରକାର। ଏହି କୀର୍ତ୍ତିର ସଂରକ୍ଷଣ ଦାୟିତ୍ୱ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ହାତକୁ ଗଲା । ମନ୍ଦିରମାଳିନୀ ଭୁବନେଶ୍ୱରରେ ରାଜ୍ୟ ପ୍ରତ୍ନତତ୍ତ୍ୱ ନେଇଥିବା ୧୦ କୀର୍ତ୍ତିରାଜି ମଧ୍ୟରୁ ରାଜବାଟୀ ଥିଲା ଅନ୍ୟତମ । ଗଡ଼ର ପରିସୀମା ମାପଚୁପ ହୋଇଥିଲା । ଭଗ୍ନ ରାଜବାଟୀରୁ ବଣବୁଦା ସଫା କରାଯାଇଥିଲା । ଫଳରେ ଉଆସ, ଘୋଡ଼ାଶାଳର ଚିହ୍ନ ପଦାକୁ ଆସିଥିଲା । ଆଶା କରାଯାଇଥିଲା ଉପଯୁକ୍ତ ସଂରକ୍ଷଣ ହୋଇ ଆମର ମହାନ ସଂସ୍କୃତିର ଏହି ନିଦର୍ଶନ ପର୍ଯ୍ୟଟନର ଅନ୍ୟତମ ମାନଦଣ୍ଡ ସାଜିବ । ହେଲେ ଏହାପରେ ରାଜ୍ୟ ପ୍ରତ୍ନତତ୍ତ୍ୱ ଏହି ପ୍ରାଚୀନ କୀର୍ତ୍ତିର ରକ୍ଷଣାବେକ୍ଷଣ କଥା ଭୁଲିଗଲା ।
ଜବରଦଖଲକାରୀଙ୍କ କ୍ରୁର ଦୃଷ୍ଟି ଏହି ଐତିହ୍ୟ ଉପରେ ପଡ଼ିଲା । ପ୍ରଥମେ ରାଜବାଟୀରେ ଥିବା ବଡ଼ ବଡ଼ ପଥରକୁ ବୋହିନେଇ ବିକିଲେ । ୨୦୦୦ ମସିହା ବେଳକୁ ପଥର ସବୁ ସଫା ହୋଇଗଲା । ତଥାପି କୌଣସି ପ୍ରତିବନ୍ଧକ ନ ଆସିବାରୁ ଖାଲି ଜାଗା ଉପରେ ଦୃଷ୍ଟି ପକାଇଲେ । ତାକୁ ବି ଖଣ୍ଡ ଖଣ୍ଡ କରି ବିକିଦେଲେ । ଏବେ ସେଠି କୋଠା ଆଉ କୋଠା । ଏମିତି ଭାବେ ଏକ ଅମୂଲ୍ୟ ସମ୍ପଦ ବିଲୁପ୍ତ ହୋଇଗଲା । ଏବେ କେବଳ ରାଜ୍ୟ ପ୍ରତ୍ନତତ୍ତ୍ୱ ସୂଚୀରେ ପ୍ରାଚୀନ ରାଜବାଟୀ ଏକ ସଂରକ୍ଷିତ କୀର୍ତ୍ତି ବୋଲି ଲେଖା ହୋଇରହିଛି ।
ଏହି ଖବରଟିକୁ ପଢନ୍ତୁ- ଆଧୁନିକ ଯୁଗରେ ପୁରୁଣା ସାଇକେଲ୍ର ସଉକ, ଇଂରେଜ ଅମଳର ୧୨ ସାଇକେଲ୍ ସାଇତିଛନ୍ତି କାମେଶ୍ୱର