ଝାରସୁଗୁଡ଼ା,୨୯/୦୪: ଆନ୍ଧ୍ରପ୍ରଦେଶର କେତେକ ବିଶ୍ୱବିଦ୍ୟାଳୟରେ ଡିସଟାନ୍ସ ଏଜୁକେସନ ମାଧ୍ୟମରେ ବିଏଡ୍ରେ ନାମ ଲେଖାଇ ପାସ ସାର୍ଟିଫିକେଟ ଯୋଗାଇବା ଆଳରେ ଗତ କିଛି ବର୍ଷରୁ ଠକି ଆସିଥିବା ସଂସ୍ଥାର ଦୁଇ ଜଣ ଗିରଫ ହେବା ପରେ ଏବେ ଭୟର ମାହୋଲ । ୱାନ ୱାର୍ଲଡ ଏକାଡେମୀ ନାମରେ ବୁର୍ଲାଠାରେ ଅଫିସ ଖୋଲି ବେପାର ଚଳାଇ ଆସିଥିବା ଏହି ସଂସ୍ଥାକୁ କମିଶନ ଭିତ୍ତିରେ ବିଭିନ୍ନ ଜିଲ୍ଲାରୁ ଛାତ୍ରଛାତ୍ରୀ ଯୋଗାଇ ଆସିଥିବା ଏଜେଣ୍ଟମାନେ ପୁଲିସ ସ୍କାନରେ ରହିଛନ୍ତି । ଯେଉଁଥିପାଇଁ ସେମାନେ ଏବେ ଭୟରେ ଲୁଚିବାକୁ ଲାଗିଛନ୍ତି । ପୁଲିସ ତଦନ୍ତ ପରିସରଭୁକ୍ତ ହେବାର ଆଶଙ୍କା ଏମାନଙ୍କ ନିଦ ହଜାଇ ଦେଇଛି । ଝାରସୁଗୁଡ଼ା ଜିଲ୍ଲାରେ ଏଭଳି କେତେକ ଏଜେଣ୍ଟ ବେଶ ସକ୍ରିୟତାର ସହ ଛାତ୍ରଛାତ୍ରୀ ଯୋଗାଇବା କାର୍ଯ୍ୟ କରି ଆସୁଥିବା ବେଳେ ଏହି ଘଟଣା ପରେ ସେମାନଙ୍କର ବି ଖୋଜ ଖବର ଛାତ୍ରଛାତ୍ରୀ ପାଉ ନ ଥିବା କହୁଛନ୍ତି ।
ଜିଲ୍ଲାର ଝାରସୁଗୁଡ଼ା ସହର ସମେତ ବ୍ରଜରାଜନଗର ଗାନ୍ଧୀ ଛକ ଏବଂ ବନ୍ଧବାହାଲ ଅଞ୍ଚଳରେ ଆନ୍ଧ୍ର ବିଏଡ୍ ନାମରେ କେତେକ ସଂସ୍ଥା ଛାତ୍ରଛାତ୍ରୀଙ୍କୁ ଅନୁରୂପ ଭାବେ ଆନ୍ଧ୍ରପ୍ରଦେଶରୁ ବିଭିନ୍ନ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା କଲେଜ ଗୁଡ଼ିକରେ ବିଏଡ୍ରେ ନାମ ଲେଖାଇ ସାର୍ଟିଫିକେଟ ଯୋଗାଉଥିଲେ । କେବଳ ବିଏଡ୍ ନୁହଁ ବରଂ ଏନ୍ଆଇଓଏସ୍ ଏବଂ ଅନ୍ୟାନ୍ୟ ପତ୍ରମାଧ୍ୟମ ଶିକ୍ଷା ଜରିଆରେ ଛାତ୍ରଛାତ୍ରୀଙ୍କୁ ଯୁକ୍ତ ଦୁଇ, ଗ୍ରାଜୁଏସନ ସାର୍ଟିଫିକେଟ ମଧ୍ୟ ପ୍ରଦାନ କରୁଥିଲେ । ଯଦିଓ ଏହି ସଂସ୍ଥାଗୁଡ଼ିକ ବିରୋଧରେ ଏଯାଏଁ କୌଣସି ଅଭିଯୋଗ ଆସିନାହିଁ ତଥାପି ଏବେ ସେମାନେ ପୁଲିସ ସ୍କାନରରେ ରହିଛନ୍ତି । ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଏସବୁ ଖବର ଗଣମାଧ୍ୟମରୁ ଜାଣିବା ପରେ ଏସବୁ ସଂସ୍ଥାଗୁଡ଼ିକ ବିଷୟରେ ଜାଣିବାକୁ ଉଦ୍ୟମ କରୁଥିବା ବେଳେ ସେମାନଙ୍କ ଅନୁପସ୍ଥିତି ମନରେ ନାନାଦି ଆଶଙ୍କା ସୃଷ୍ଟି କରୁଛି ।
ବୁର୍ଲାରେ ଥିବା ୱାନ ୱାର୍ଲଡ ଏକାଡେମୀ ଭୁବନେଶ୍ୱର ଡୁମଡୁମାଠାରେ ଥିବା ୱାନ ୱାର୍ଲଡ ଏକାଡେମୀର ଏକ ଶାଖା ଭାବେ କାର୍ଯ୍ୟ କରୁଥିଲା । ବୁର୍ଲାରେ ଥିବା ଏହି ସଂସ୍ଥାର ଦୁଇ କର୍ମକର୍ତ୍ତା ପ୍ରଥମେ ଠିକ ଭାବେ ଛାତ୍ରଛାତ୍ରଙ୍କ ନାମ ଲେଖାଇ ପରୀକ୍ଷା ଦିଆଇବା ଏବଂ ସାର୍ଟିଫିକେଟ ଯୋଗାଇବା କାର୍ଯ୍ୟ କରୁଥିଲେ ବୋଲି କୁହାଯାଉଛି । ମାତ୍ର ପରବର୍ତ୍ତୀ ସମୟରେ ଗିରଫ ଅଭିଯୁକ୍ତ ଦ୍ୱୟ ଚିତ୍ତରଞ୍ଜନ ବାରିକ ଏବଂ ରୀମା ଦାସ ଛାତ୍ରଛାତ୍ରୀଙ୍କୁ ଠକିବା ଆରମ୍ଭ କରିଥିଲେ । ନାମ ଲେଖାଉ ନଥିଲେ କି ସାର୍ଟିଫିକେଟ ମଧ୍ୟ ଦେଉ ନ ଥିଲେ। ଛାତ୍ରଛାତ୍ରୀ ମୁହଁ ଖୋଲିବା ଭୟରେ ସେମାନଙ୍କୁ ଜାଲ୍ ସାର୍ଟିଫିକେଟ ଦେଉଥିଲେ ବୋଲି ତଦନ୍ତକାରୀ ପୁଲିସ୍ କହିଛି । ଛାତ୍ରଛାତ୍ରୀ ସେମାନଙ୍କ ଅର୍ଥ ଫେରସ୍ତ କରିବାକୁ କହିଲେ ବି ଶୁଣୁ ନ ଥିଲେ । ସାର୍ଟିଫିକେଟ ଦେବା ଆଳରେ ବାରମ୍ବାର ଅଧିକ ଅର୍ଥ ଦାବି କରି ନେଉଥିଲେ । ଏଭଳି ଅଭିଯୋଗ ସବୁ ଆସିବା ପରେ ଡୁମଡୁମାଠାରେ ଥିବା ସଂସ୍ଥା ଏହି ଅଭିଯୁକ୍ତ ଦ୍ୱୟଙ୍କଠାରୁ ସଂପର୍କ ଛିନ୍ନ କରିଥିଲା ବୋଲି ପୁଲିସକୁ ଜଣାଇଛନ୍ତି । ୱାନ ୱାର୍ଲଡ ଏକାଡେମୀ ନାମରେ ଏମାନେ ବେପାର ଚଳାଇ ଏଠାରେ ସଂସ୍ଥାକୁ ବଦନାମ କରୁଥିଲେ ବି ଭୁବନେଶ୍ୱର ଠାରେ ଥିବା ଏହି ସଂସ୍ଥାର ପାର୍ଟନର୍ମାନେ କାହିଁକି ଏମାନଙ୍କ ବିରୋଧରେ ପୁଲିସରେ ଅଭିଯୋଗ କଲେ ନାହିଁ ବୋଲି ପ୍ରଶ୍ନ ଉଠୁଛି ।
ଅଧିକ ପଢ଼ନ୍ତୁ :- Andhra B.Ed scam : ଜାଲ୍ ଚାକିରିଆଙ୍କ ପଡ଼ିଲାଣି ଭାଳେଣି... ପ୍ରମାଣପତ୍ର ଯାଞ୍ଚ ହେଲେ ଚାକିରି ଯିବା ଥୟ, ଗିରଫ ଭୟରେ ଉଡ଼ିଲାଣି ହଂସା
ସ୍ଥାନୀୟ ଛାତ୍ରଛାତ୍ରୀଙ୍କୁ ଛାଡ଼ି ଅନ୍ୟ ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ଏମାନେ ଟାର୍ଗେଟ କରୁଥିଲେ । ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ସମେତ କେଉଁଝର ଜିଲ୍ଲାରୁ ବି ଛାତ୍ରଛାତ୍ରୀମାନେ ଏହି ସଂସ୍ଥା ମାଧ୍ୟମରେ ବିଏଡ୍ ସାର୍ଟିଫିକେଟ ପାଇବା ଲାଗି ଏମାନଙ୍କ ଦ୍ୱାରସ୍ଥ ହୋଇଥିଲେ । ଏମାନେ ଛାତ୍ରଛାତ୍ରୀ ପାଇବା ଲାଗି ବିଭିନ୍ନ ଜିଲ୍ଲାରେ ସେମାନଙ୍କ ଏଜେଣ୍ଟ ରଖିଥିଲେ । ଯେଉଁମାନଙ୍କୁ ଛାତ୍ରଛାତ୍ରୀ ପିଛା କମିଶନ ଦେଉଥିଲେ । ହେଲେ ଏବେ ବିଭିନ୍ନ ଜିଲ୍ଲାରେ ଥିବା ଏଜେଣ୍ଟ ଗୋଟିଏ ପଟେ ଠକେଇର ଶିକାର ଛାତ୍ରଛାତ୍ରୀଙ୍କ ରୋଷର ଶିକାର ଏବଂ ଅନ୍ୟପଟେ ପୁଲିସ ଜେରାର ସମ୍ମୁଖୀନ ହେବା ଭୟରେ ଲୁଚିବା ଆରମ୍ଭ କରି ଦେଇଛନ୍ତି । ପୁଲିସ୍ ତଦନ୍ତ କେଉଁ ବାଟକୁ ଯାଉଛି ତାହାରି ଉପରେ ସଭିଙ୍କ ନଜର ରହିଛି ।