ହାଇଦ୍ରାବାଦ : ଝିମିଟି ଖେଳରୁ ମହାଭାରତ । ଛୋଟ କଥାରୁ ବଡ଼ ଗଣ୍ଡଗୋଳ । ସାମାନ୍ୟ ବ୍ଲାଉଜ୍ ପାଇଁ ଦୁଇ ପଡୋଶୀଙ୍କ ମଧ୍ୟରେ ଝଗଡ଼ା । ଠେଙ୍ଗାରେ ଉଭୟ ପକ୍ଷରୁ ଆକ୍ରମଣ । ଆନ୍ଧ୍ରପ୍ରଦେଶର ଅନନନ୍ତପୁର ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି ଖବର । ଯେଉଁ ଘଟଣାରେ ପୁଲିସ ହସ୍ତକ୍ଷେପ କରିଛି । ଏହି ଝଗଡ଼ାରେ ଦୁଇଜଣ ଗୁରୁତର ଆହତ ହୋଇଥିବାବେଳେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।

ମିଳିଥିବା ଖବର ଅନୁସାରେ ସୁକୁଲାମ୍ମା ନାମକ ଜଣେ ମହିଳା ବଜାରରୁ ୪ଟି ନୂଆ ବ୍ଲାଉଜ କିଣିଥିଲେ । ଏହା ସଫା କରି ସୁଖାଇଥିଲେ । ମାତ୍ର ଯେତେବେଳେ ନେବାକୁ ଆସିଥିଲେ ପାଇନଥିଲେ । ବହୁ ଖୋଜାଖୋଜି କରିବା ପରେ ଦୁଇ ପଡୋଶୀଙ୍କ ଘରେ ଦୁଇ ଦୁଇଟି ବ୍ଲାଉଜ ଥିବା ପାଇଥିଲେ । ତେବେ ସେମାନେ ମନା କରିଥିଲେ ଆଉ କହିଥିଲେ ଏହା ଆମର। ଆମେ କିଣିଛୁ । ଏହି ଛୋଟ କଥାରୁ ଆରମ୍ଭ ହୋଇଥିଲା ଯୁକ୍ତିତର୍କ । ପରେ ଏହି ଝଗଡ଼ା ଉଗ୍ରରୂପ ନେଇଥିଲା । ଉଭୟ ପକ୍ଷର ପୁରୁଷମାନେ ହସ୍ତକ୍ଷେପ କରିଥିଲେ । ଝଗଡ଼ା ବଢ଼ିବା ସହ ଠେଙ୍ଗାରେ ଆକ୍ରମଣ ମଧ୍ୟ କରିଥିଲେ ।

ଦୁଇ ପଡ଼ୋଶୀ ମିଶି ସୁକୁଲାମ୍ମାଙ୍କ ଭାଇ ଏବଂ ସ୍ବାମୀଙ୍କୁ ଆକ୍ରମଣ କରିଥିଲେ । ଠୋଙ୍ଗା ଏବଂ ଲୁହା ରଡରେ ଆକ୍ରମଣ କରି ଲହୁଲୁହାଣ କରିଥିଲେ । ସେମାନେ ଗୁରୁତର ଅବସ୍ଥାରେ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ପୁଲିସ ଦୁଇ ପଡୋଶୀଙ୍କ ପରିବାରକୁ ଅଟକ ରଖିଥିବାବେଳେ ସେମାନଙ୍କୁ ପଚରାଉଚରା କରୁଛି । ସେପଟେ ସ୍ଥାନୀୟ ଲୋକେ କହିଛନ୍ତି କି, ପବନରେ ତାଙ୍କ ବ୍ଲାଉଜ ଉଡ଼ି ପଡୋଶୀଙ୍କ ଘରେ ପଡ଼ିଥିଲା । ଛୋଟ କଥାରୁ ଅଯଥାରେ ବଡ଼ ଝଗଡ଼ା ହେଲା ।

ଏହାସହ ପଢ଼ନ୍ତୁ : ୭୦ ବର୍ଷୀୟ ଓକିଲଙ୍କୁ ବାହାହେବାର ଲୋଭ ଦେଖାଇ ଚୂନ ଲଗାଇଲେ ସାଇବର ଠକ