ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପଓ୍ବନ କଲ୍ୟାଣ ଦୀପାବଳି ଅବସରରେ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରେ ରହୁଥିବା ହିନ୍ଦୁମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଭିନେତାରୁ ନେତା ହୋଇଥିବା ପଓ୍ବନ କଲ୍ୟାଣ ଗୁରୁବାର ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି,‘ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରେ ରହୁଥିବା ହିନ୍ଦୁମାନଙ୍କୁ ମୁଁ ଦୀପାବଳିର ଶୁଭକାମନା ଜଣାଉଛି । 

ବିଶେଷ କରି ବାଂଲାଦେଶର ହିନ୍ଦୁଙ୍କୁ ନିଆରା ଢ଼ଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି ପଓ୍ବନ କଲ୍ୟାଣ । ସେ ଲେଖିଛନ୍ତି, ‘ଏଭଳି ସ୍ଥିତି ଭାଗବାନ ଶ୍ରୀରାମ ଆପଣମାନଙ୍କୁ ଶକ୍ତି ଓ ସାହସ ଦିଅନ୍ତୁ । ସବୁ ଭାରତୀୟ ଆପଣମାନଙ୍କ ସୁରକ୍ଷା ଓ ସ୍ଥିରତା କାମନା କରୁଛୁ ।’ 




 ଜନ ସେନା ନେତା ଏବଂ ଉପମୁଖ୍ୟମନ୍ତ୍ରୀ ପଓ୍ବନ କଲ୍ୟାଣ ଆହୁରି ଲେଖିଛନ୍ତି ଯେ, ଦୀପାବଳିରେ ଆସନ୍ତୁ ପାକିସ୍ତାନ ଏବଂ ବାଂଲାଦେଶରେ ଉତ୍ପୀଡ଼ନର ଶିକାର ହେଉଥିବା ହିନ୍ଦୁଙ୍କ ସୁରକ୍ଷା ପାଇଁ କାମନା କରିବା । ସେମାନଙ୍କ ଭୂମିରେ ଧର୍ମର ପୁନଃସ୍ଥାପନ ହେଉ । ଏହି ସମୟରେ ସେ ପାକିସ୍ତାନର ଜଣେ ଛୋଟ ପିଲା ଗାଇଥିବା ଗୀତର ପ୍ରଶଂସା ମଧ୍ୟ କରିଛନ୍ତି । ସେପଟେ ଆନ୍ଧ୍ର ପ୍ରଦେଶର ଲୋକମାନଙ୍କୁ ଦୀପାବଳିର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ପଓ୍ବନ କଲ୍ୟାଣ । ଏହା ସହ ରାଜ୍ୟବାସୀଙ୍କ ଜୀବନରେ ଖୁସି ଓ ସମୃଦ୍ଧି ଭରିଯାଉ ବୋଲି ସେ କାମନା କରିଛନ୍ତି ।