ନରସିଂହପୁର,୦୯/୦୧: ଅପପୃଷ୍ଟି ରୋକିବା ସହ ଶିଶୁଙ୍କ ଶାରୀରିକ ଓ ବୌଦ୍ଧିକ ବିକାଶ ନିମନ୍ତେ ସରକାର ୬ ମାସରୁ ୩ ବର୍ଷ ପର୍ଯ୍ୟନ୍ତ କୋମଳମତି  ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଅଣ୍ଡା, ଛତୁଆ ସହ ବିଭିନ୍ନ  ପୃଷ୍ଟିକର ଖାଦ୍ୟ ଯୋଗାଇ ଦେଉଛନ୍ତି । ଶିଶୁମାନଙ୍କୁ  ଅଙ୍ଗନବାଡ଼ି କେନ୍ଦ୍ରରେ ରନ୍ଧା ଖାଦ୍ୟର ବ୍ୟବସ୍ଥା କରିଛନ୍ତି ।  ହେଲେ ଏବେ ମହଙ୍ଗା ମାଡ଼ ଯୋଗୁଁ ସରକାରଙ୍କ ଏହି  ଯୋଜନା ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ କାଳ ପାଲଟିଛି । କାରଣ ସରକାର ଅଙ୍ଗନବାଡ଼ି କେନ୍ଦ୍ରରେ ଶୁଖିଲା ଏବଂ ରନ୍ଧା ଖାଦ୍ୟ ପାଇଁ ଯେଉଁ ଅର୍ଥ ପ୍ରଦାନ କରୁଛନ୍ତି । ତାହା  ସମୁଦ୍ରକୁ ଖଙ୍ଖେ ସଦ୍ରୃଶ । ଏଥିପାଇଁ ଅଙ୍ଗନବାଡ଼ି କର୍ମୀ  ହଟହଟା ହେଉଛନ୍ତି । ଗୋଟିଏ ଅଣ୍ଡାର ମୂଲ୍ୟ ଆସି  ୮ଟଙ୍କାରେ ପହଞ୍ଚିଲାଣି ଏପଟେ ସରକାର ପ୍ରତି ଶିଶୁ  ପିଛା ଜଳଖିଆ ଓ ରନ୍ଧା ଖାଦ୍ୟ ପାଇଁ ୮ଟଙ୍କା ଦେଉଛନ୍ତି ।  ଏପରିସ୍ଥିତିରେ ଅଙ୍ଗନବାଡ଼ି କେନ୍ଦ୍ରରେ ପୃଷ୍ଟିକର ଯୋଜନା କିପରି ଚାଲିବ ବୋଲି ଅଙ୍ଗନବାଡ଼ି କର୍ମୀ ପ୍ରଶ୍ନ କରୁଛନ୍ତି ।  

ସୂଚନା ମୁତାବକ, ଅଙ୍ଗନବାଡ଼ି କେନ୍ଦ୍ରରେ  ପଢୁଥିବା ପ୍ରତି ଶିଶୁଙ୍କ ପାଇଁ ସରକାର ଅଣ୍ଡା ବାବଦକୁ ୫ ଟଙ୍କା, ପରିବା, ଡାଲି ତରକାରୀ ପାଇଁ ମାତ୍ର  ୬୪ ପଇସା, ଚାଉଳ ପାଇଁ  ୩୬ ପଇସା, ଜାଳେଣି  ପାଇଁ ୫୦ ପଇସା ଏବଂ  ଜଳଖିଆ ବାବଦକୁ ମାତ୍ର ୧ ଟଙ୍କା ୫୦ ପଇସା ପ୍ରଦାନ କରୁଛନ୍ତି । ଅର୍ଥାତ୍‌  ପ୍ରତି ଶିଶୁ ପିଛା ସରକାର  ଜଳଖିଆ ଓ ଖାଦ୍ୟ ପାଇଁ  ମୋଟ ୮ ଟଙ୍କା ପ୍ରଦାନ କରୁଛନ୍ତି । ସରକାର ଅଣ୍ଡା ପାଇଁ ମାତ୍ର ୫ଟଙ୍କା  ଦେଉଥିବା ବେଳେ ବଜାରରେ ଅଣ୍ଡା ଦର ୮ ଟଙ୍କା  ଛୁଇଁଲାଣି । ସେହିପରି ହରଡ଼ ଡାଲି କେଜି ୧୬୦ ଟଙ୍କା ହୋଇଥିବା ବେଳେ ତେଲ ଲିଟର ୧୪୦ରୁ ଅଧିକ ହେଲାଣି । ଆଳୁ କେଜି ୪୦ ଟଙ୍କା ହୋଇଥିବା ବେଳେ ଅନ୍ୟ ପନିପରିବା ଦର ଆକାଶ ଛୁଇଁଲାଣି। ଏପଟେ ଜଳଖିଆ ବାବଦକୁ  ପ୍ରତି ଶିଶୁଙ୍କୁ ୧ ଟଙ୍କା ୫୦ ପଇସା  ମିଳୁଛି । ଏଥିରେ ପିଲାଙ୍କୁ କ’ଣ  ଜଳଖିଆ ଦେବୁ ବୋଲି ଅଙ୍ଗନବାଡ଼ି କର୍ମା କହିଛନ୍ତି ।  

ରବିବାରକୁ ଛାଡ଼ି ସପ୍ତାହର ଅନ୍ୟ ୬ ଦିନ ମଧ୍ୟରୁ ଦୁଇଦିନ ଗଜା ମୁଗ, ଦୁଇ ଦିନ ଚୁଡ଼ା ମୁଆଁ, ଦୁଇ  ଦିନ ବେସନ ଲଡୁ ପ୍ରଦାନ କରୁଛୁ । ଜଣେ ପିଲା ପିଛା ଦେଢ଼ ଟଙ୍କା ଜଳଖିଆ ପାଇଁ ଆସୁଥିବା ବେଳେ ଗୋଟିଏ ବେସନ ଲଡୁର ଦାମ ୫ ଟଙ୍କା ହେଲାଣି । ସରକାର ଜଣ  ପିଛା ୮ ଟଙ୍କା ଦେଉଥିବା ବେଳେ ସେଥିରୁ କେବଳ ଅଣ୍ଡା ଦାମ ପାଖାପାଖି ୮ଟଙ୍କା ହେଲାଣି । ଦରଦାମ  ଆଶାତୀତ ବୃଦ୍ଧି ପାଉଥିବା ବେଳେ ପିଲାଙ୍କୁ ପୃଷ୍ଟିକର  ଖାଦ୍ୟ କିପରି ଯୋଗାଇବୁ ଏହି ଚିନ୍ତାରେ ଅଙ୍ଗନବାଡ଼ି  କର୍ମୀ । ଏଥିପ୍ରତି ସରକାର ତୁରନ୍ତ ଧ୍ୟାନ ଦେବା ସହ  ଅନୁଦାନ ଅର୍ଥ ବୃଦ୍ଧି କରିବାକୁ ସେମାନେ ଦାବି କରିଛନ୍ତି ।