ଖନ୍ତାପଡ଼ା, ୭/୭(ଆ.ପ୍ର): ଖନ୍ତାପଡ଼ା ଥାନା ଅଧୀନ ୧୬ ନଂ ଜାତୀୟ ରାଜପଥ ପଣପଣା ଠାରେ ଏକ ବାଇକ କୁ ପଛ ପଟୁ ଟ୍ରକ ଧକ୍କା ଦେବାରୁ ଜଣେ ଅଙ୍ଗନବାଡି କର୍ମୀଙ୍କ ମୃତ୍ୟୁ ହୋଇଛି। ଏଥିସହ ଦୁର୍ଘଟଣାରେ ଜଣେ ଶିକ୍ଷକ ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ଔପଦା ବ୍ଲକ ପାତ୍ର ସାହିର ଅଙ୍ଗନବାଡି କର୍ମୀ କୁନ୍ତଳା ପ୍ରଧାନ । ଆହତ ଜଣକ ହେଉଛନ୍ତି ପାଣ୍ଡୁଅ ୟୁଜି ୟୁପି ବିଦ୍ୟାଳୟର ଶିକ୍ଷକ ଅର୍ଜୁନ ପାତ୍ର। ସେମାନେ ବିଏଲଓ ପ୍ରଶିକ୍ଷଣ ନେଇ ନୀଳଗିରି ଡିଗ୍ରୀ କଲେଜରୁ ଘରକୁ ଫେରୁଥିବା ବେଳେ ପଣପଣା ଠାରେ ଦୁର୍ଘଟଣା ଘଟିଥିଲା।
ନୀଳଗିରି ଡିଗ୍ରୀ କଲେଜରୁ ଉଭୟ ବିଏଲଓ ପ୍ରଶିକ୍ଷଣ ନେଇ ଔପଦାକୁ ବାଇକ୍ ଯୋଗେ ଫେରୁଥିଲେ। ପଣପଣା ଛକ ନିକଟରେ ଏକ ବସ ବାଇକକୁ ପଛରୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଅଙ୍ଗନବାଡ଼ି କର୍ମୀଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ଶିକ୍ଷକ ଆହତ ହୋଇଥିଲେ। ବସଟି ଦୁର୍ଘଟଣା ଘଟାଇ ଫେରାର ହେଉଥିବା ବେଳେ ସ୍ଥାନୀୟ ଲୋକେ ବେଗୁନିଆ ନିକରେ ବସକୁ ଅଟକ ରଖିଥିଲେ।
ରାଜପଥ ଉନ୍ନତିକରଣ କାର୍ଯ୍ୟ କରୁଥିବା ସଂସ୍ଥାର ମନ୍ଥର କାର୍ଯ୍ୟ ଯୋଗୁଁ ମହିଳାଙ୍କ ଜୀବନ ଯାଇଥିବାରୁ କ୍ଷତିପୂରଣ ଦାବି କରି ସ୍ଥାନୀୟ ଅଞ୍ଚଳବାସୀ ଜାତୀୟ ରାଜପଥ ଅବରୋଧ କରିଥିଲେ । ଖନ୍ତାପଡ଼ା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ଅବରୋଧକାରୀଙ୍କ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ମୃତ ଶରୀରକୁ ଆମ୍ବୁଲାନ୍ସ ଯୋଗେ ବାଲେଶ୍ୱର ମେଡିକାଲକୁ ବ୍ୟବଛେଦ ପାଇଁ ନିଆଯାଇଛି। ଏପଟେ ଦୁର୍ଘଟଣା ଘଟାଇଥିବା ବସ ଅଟକ ଥିବା ଜଣା ପଡିଛି।