ନୂଆଦିଲ୍ଲୀ ୦୧/୦୧: ଦୀର୍ଘ ୮ ବର୍ଷର ନ୍ୟାୟିକ ଲଢ଼େଇରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ହଲିଉଡ୍ର ଲୋକପ୍ରିୟ ଯୋଡ଼ି ଆଞ୍ଜେଲିନା ଜୋଲି ଓ ବ୍ରାଡ୍ ପିଟ୍ ଔପଚାରିକ ରୂପେ ପରସ୍ପରଠୁ ଅଲଗା ହୋଇଛନ୍ତି । ଆଞ୍ଜେଲିନାଙ୍କ ଓକିଲ ଏ ବିଷୟରେ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, ୮ ବର୍ଷ ତଳେ ଆଞ୍ଜେଲିନା ବ୍ରାଡ୍ ପିଟ୍ଙ୍କଠୁ ଛାଡ଼ପତ୍ର ପାଇଁ କୋର୍ଟରେ ଆବେଦନ କରିଥିଲେ । ସେ ଓ ତାଙ୍କ ପିଲା ପିଟ୍ଙ୍କ ସହଭାଗିତାରେ ଥିବା ସମସ୍ତ ସମ୍ପତ୍ତିକୁ ତ୍ୟାଗ କରିଥିଲେ । ସେବେଠୁ ଆଞ୍ଜେଲିନା ଶାନ୍ତି ଅନ୍ୱେଷଣରେ ଫୋକସ୍ କରିଛନ୍ତି ଏବଂ ନିଜ ପରିବାରକୁ ଏହି ସ୍ଥିତିରୁ ବାହାର କରିବାକୁ ଚେଷ୍ଟା କରିଛନ୍ତି । ତେବେ ଅଦ୍ୟାବଧି ସବୁକିଛି ଶେଷ ହୋଇନାହିଁ । ଫ୍ରାନ୍ସରେ ଚାଟିୟୁ ମିରାଭାଲ ୱାଇନ୍ୟାର୍ଡକୁ ନେଇ ଉଭୟଙ୍କର ବିବାଦ ଚାଲିଛି ।

ପୂର୍ବ ରିପୋର୍ଟ ଅନୁସାରେ, ପିଟ୍ଙ୍କ ସହମତି ବିନା ଆଞ୍ଜେଲିନା ୱାଇନ୍ୟାର୍ଡର ଅଂଶ ବିକ୍ରି କରିଥିବା ପିଟ୍ ଅଭିଯୋଗ କରିଥିଲେ । ଉଭୟ ମଧ୍ୟସ୍ଥତା କିମ୍ବା କୋର୍ଟରେ ଖଣ୍ଡପୀଠଙ୍କ ଦ୍ୱାରା ମାମଲାର ସମାଧାନ କରିବାକୁ ଚାହୁଁଥିବା ଗଣମାଧ୍ୟମ ରିପୋର୍ଟ କରିଛି । ରିପୋର୍ଟ ଅନୁସାରେ, ଆଞ୍ଜେଲିନା ସର୍ବସାଧାରଣରେ କିମ୍ବା ବ୍ୟକ୍ତିଗତ ଭାବେ ପିଟ୍ଙ୍କ ବିରୋଧରେ ଖରାପ କଥା କହନ୍ତି ନାହିଁ । ଉଭୟଙ୍କର ୬ ସନ୍ତାନ ଅଛନ୍ତି । ସେମାନେ ଆଞ୍ଜେଲିନାଙ୍କୁ ନିଜ ପାଇଁ ସ୍ୱର ଉଠାଇବାକୁ ଉତ୍ସାହିତ କରିଛନ୍ତି । ୨୦୧୬, ସେପ୍ଟେମ୍ବରରେ ଉଭୟ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ । ଦୀର୍ଘ ୧୦ ବର୍ଷର ସମ୍ପର୍କ ଓ ୨ ବର୍ଷର ବୈବାହିକ ସମ୍ପର୍କ ପରେ ସେମାନେ ଏହି ନିଷ୍ପତ୍ତି ନେଇଥିଲେ । ୨୦୧୯ରେ ଉଭୟ ନିଜ ନିଜକୁ ସିଙ୍ଗଲ୍ ଘୋଷଣା କରିଥିଲେ । ପିଟ୍ ଓ ଆଞ୍ଜେଲିନା ହଲିଉଡ୍ର ପାୱାର କପଲ୍ ଭାବେ ଜଣାଶୁଣା ଥିଲେ । ଏହି ଯୋଡ଼ିକୁ ବ୍ରାଞ୍ଜେଲିନା ଭାବେ ସମ୍ବୋଧନ କରାଯାଉଥିଲା ।