ନୂଆଦିଲ୍ଲୀ: ଆଇପିଏଲ୍‌ ୨୦୨୫ର ମେଗା ଅକ୍ସନ ନଭେମ୍ବର ୨୪ ଓ ୨୫ରେ ଜେଦାରେ ଅନୁଷ୍ଠିତ ହୋଇଥିଲା । ଏହି ମହା ନିଲାମୀରେ ବହୁ ଖେଳାଳିଙ୍କ ଉପରେ ଧନବର୍ଷା କରିଥିଲେ ଫ୍ରାଞ୍ଚାଇଜ୍‌ । କିନ୍ତୁ ଏମିତି କିଛି ଖେଳାଳି ଥିଲେ, ସେମାନେ ଅନସୋଲ୍ଡ ରହିଥିଲେ । ଏବେ ଏମିତି ଜଣେ ଅନସୋଲ୍ଡ ଖେଳାଳି ଆଇପିଏଲର ସବୁ ଟିମ୍‌କୁ କଡ଼ା ଜବାବ ଦେଇଛନ୍ତି । 

୨୬ ବର୍ଷୀୟ ଦକ୍ଷିଣହାତି ବ୍ୟାଟର ଦମଦାର ଶତକ ମାରି ଇତିହାସ ରଚିଛନ୍ତି । ସବୁଠୁ କମ୍‌ ବଲ୍‌ରେ ଶତକ ମାରି ସେ ଶାହିଦ ଆଫ୍ରିଦିଙ୍କ ୩୭ ବଲ୍‌ରେ ଶତକ ରେକର୍ଡ ମଧ୍ୟ ଭାଙ୍ଗି ଦେଇଛନ୍ତି । ସବୁଠାରୁ କମ୍‌ ବଲ୍‌ରେ ଶତକ କରି ପ୍ରଥମ ଭାରତୀୟ ବ୍ୟାଟର ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଏହା ପୂର୍ବରୁ ୟୁସୁଫ ଫଠାନ ୪୦ ବଲ୍‌ରେ ଶତକ କରିଥିଲେ । 

ଆମେ ଯେଉଁ ବ୍ୟାଟରଙ୍କ କଥା କହୁଛୁ, ସେ ହେଉଛନ୍ତି ଅନମୋଲପ୍ରୀତ ସିଂହ । ଅନମୋଲପ୍ରୀତ ଆଇପିଏଲ ୨୦୨୫ ମେଗା ଅକ୍ସନରେ ଅନସୋଲ୍ଡ ରହିଥିଲେ । ନିଲାମୀର ପ୍ରାୟ ଏକ ମାସ ପରେ ଅନମୋଲପ୍ରୀତ ବିଜୟ ହଜାରେ ଟ୍ରଫି ୨୦୨୪-୨୫ରେ ପଞ୍ଜାବ ପକ୍ଷରୁ ମାତ୍ର ୩୫ ବଲ୍‌ରେ ଶତକ କରି ରେକର୍ଡ କରିଛନ୍ତି । ଅହମ୍ମଦାବାଦରେ ଅରୁଣାଚଳ ପ୍ରଦେଶ ବିପକ୍ଷରେ ସେ ଏହି ଶତକ କରିଛନ୍ତି ।