ନୂଆଦିଲ୍ଲୀ: ବାଂଲାଦେଶରେ ସରକାର ପରିବର୍ତ୍ତନ ହେବା ପରଠାରୁ ହିନ୍ଦୁ ବିରୋଧୀ ହିଂସା ବୃଦ୍ଧି ପାଇଛି । ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ବିଶ୍ବ ମଞ୍ଚରେ ସଂଖ୍ୟାଲଘୁଙ୍କ ସୁରକ୍ଷା ନେଇ ଆଶ୍ବାସନା ଦେଉଥିଲେ ହେଁ ଦେଶରେ ଏହାର ଓଲଟା ଫଳ ଦେଖିବାକୁ ମିଳୁଛି । ଏବେ ୟୁନୁସ୍ ସରକାର ନୂଆ ନିୟମ ଲାଗୁ କରିଛନ୍ତି । ଏଣିକି ଦେଶରେ ପୋଲିସ ନିଯୁକ୍ତି କ୍ଷେତ୍ରରେ ହିନ୍ଦୁଙ୍କୁ ସୁଯୋଗ ମିଳିବ ନାହିଁ । ନୁଆ ନିର୍ଦ୍ଦେଶ ଅନୁସାରେ, ଏବେ ପୋଲିସ ଫୋର୍ସରେ କୌଣସି ହିନ୍ଦୁଙ୍କୁ ନିଯୁକ୍ତି ଦିଆଯିବ ନାହିଁ ।
ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଧାର୍ମିକ ସ୍ଥଳ ଏବଂ ସଂପତ୍ତିକୁ ଧ୍ବଂସ କରାଯାଉଥିବା ନେଇ ଅନେକ ଖବର ସାମ୍ନାକୁ ଆସୁଛି । ଭାରତର କଡ଼ା ବିରୋଧ ସତ୍ତ୍ବେ ବାଂଲାଦେଶର ଅନ୍ତରୀଣ ସରକାର ହିନ୍ଦୁଙ୍କୁ ସୁରକ୍ଷା ଦେବାରେ ଅସଫଳ ହେଉଛନ୍ତି । ହିନ୍ଦୁ ବିରୋଧୀ ହିଂସା ମଧ୍ୟରେ ଏବେ ସେଠାରେ ରହୁଥିବା ହିନ୍ଦୁ ସଂପ୍ରଦାୟଙ୍କ ରୋଜଗାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ୟୁନୁସ ସରକାର । ପୋଲିସ ଚାକିରିରରେ ହିନ୍ଦୁଙ୍କ ଭର୍ତ୍ତି ଉପରେ ରୋକ ଲଗାଇ ଦିଆଯାଇଛି । ବାଂଲାଦେଶର ପୋଲିସ ମୁଖ୍ୟଙ୍କୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁସାରେ, କୌଣସି ହିନ୍ଦୁ ପୋଲିସ ଚାକିରି କରିପାରିବେ ନାହିଁ ।
ବାଂଲାଦେଶରେ ହିସନା ସରକାରଙ୍କ ପତନ ପରେ ହିନ୍ଦୁ ବିରୋଧୀ ହିଂସା ତୀବ୍ର ବେଗରେ ବୃଦ୍ଧି ପାଇବାରେ ଲାଗିଛି । ହିନ୍ଦୁ ଏବଂ ଅନ୍ୟ ସଂଖ୍ୟାଲଘୁଙ୍କ ଧାର୍ମିକ ସ୍ଥଳ, ମନ୍ଦିର, ଦୋକାନ ଏବଂ ଘର ଉପରେ ଆକ୍ରମଣ ହେଉଛି । ଏହାକୁ ନେଇ ବହୁ ଅନ୍ତର୍ଜାତୀୟ ମାନବାଧିକାର ସଂଗଠନ ଚିନ୍ତା ପ୍ରକାଶ କରିଛନ୍ତି । ଭାରତ ମଧ୍ୟ ହିନ୍ଦୁ ବିରୋଧୀ ହିଂସାର ତଥ୍ୟ ଦେଇ ସଂଖ୍ୟାଲଘୁଙ୍କ ସୁରକ୍ଷା ଲାଗି ଦାବି କରିଛି । ଏସବୁ ସତ୍ତ୍ବେ ୟୁନୁସ ସରକାର ସଂଖ୍ୟାଲଘୁଙ୍କୁ ସୁରକ୍ଷା ଦେବା ପ୍ରସଙ୍ଗରେ ଉଦାସୀନ ମନୋଭାବ ପୋଷଣ କରୁଥିବା ଦେଖିବାକୁ ମିଳିଛି ।