ସିମୁଳିଆ,୧୮/୫ : ସ୍ଥାନୀୟ ମାର୍କୋଣା ରାବଣପୋଡ଼ି ପଡ଼ିଆରେ ଗତ ୧୧ତାରିଖରୁ ଚାରି ଦିନ ପାଇଁ ଯାତ୍ରା କରିବା ଲାଗି ରାଜଧାନୀ ଯାତ୍ରା ଅପେରା ପାର୍ଟି ଆସି ଗୋଟିଏ ପରେ ଗୋଟିଏ ବିବାଦରେ ଛନ୍ଦି ହୋଇପଡ଼ିଛି । ଏ ଯାଏଁ ପଡ଼ିଆରେ ଅପେରା ପାର୍ଟିର ଟେଣ୍ଡ ଖୋଲାଯାଇନାହିଁ ଏବଂ ଯାତ୍ରା କଳାକାର ଓ ଟେଣ୍ଡ ଗାଡ଼ି ପଡ଼ିଆରେ ଅଟକି ରହିଛି । ଏହାରି ଭିତରେ ବକେୟା ଦରମାକୁ ନେଇ ମାଲିକ ପବିତ୍ର ପାତ୍ର ଏବଂ ଅପେରାର ଖଳନାୟକ ମଣ୍ଟୁଙ୍କ ମଧ୍ୟରେ ବିବାଦ ଉପୁଜି ସିମୁଳିଆ ଥାନାରେ ପହଁଚିଥିଲା । ନିଜର ପ୍ରାପ୍ୟ ପାଇଁ କଳାକାର ମଣ୍ଟୁ ମାଲିକଙ୍କ ବିରୋଧରେ ଆଇନର ଆଶ୍ରୟ ନେଇ ବକେୟା ପ୍ରାପ୍ୟ ପାଇଁ ହାତ ଯୋଡି ଥାନାରେ ଭୋ ଭୋ ହୋଇ କାନ୍ଦୁଥିବାର ଚିତ୍ର ଓଡିଶାବାସୀ ଦେଖିଥିଲେ ।
ଯାତ୍ରା ଜଗତର ଏହି ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଥିବାବେଳେ ଗତକାଲିଠାରୁ ଆଉ ଏକ ରୋଚକପୂର୍ଣ୍ଣ ଏବଂ ଦୁଖଃଦ ଘଟଣା ଅଭିଯୋଗ ଆସିଛି । ମେସ ଚଳେଇବା ପାଇଁ ମାଲିକ ଦେଇଥିବା ୩୬ହଜାର ଟଙ୍କା ନେଇ ଯାତ୍ରା ଅପେରାର ମେସ ମ୍ୟାନେଜର ଛୁ ହୋଇଯାଇଥିବାରୁ ଗତକାଲିଠାରୁ ୧୫ଜଣ କର୍ମଚାରୀ ଭୋକ ଉପାସରେ ରହି ଗଣମାଧ୍ୟମ ଆଗରେ କାନ୍ଦି କାନ୍ଦି ଦୁଃଖ ଜଣାଇଛନ୍ତି । ମ୍ୟାନେଜର ମେସ ଟଙ୍କା ସହ ଯାତ୍ରା ପାର୍ଟିର ଲକ୍ଷାଧିକ ଟଙ୍କାର ଲାଇଟ ଏବଂ ଲେଜର ଚୋରି କରିନେଇଥିବାର ଥାନାରେ ଅଭିଯୋଗ ହୋଇଛି । ପ୍ରକାଶ ଯେ ଗତ ୧୧ତାରିଖଠାରୁ ଆଜି ପର୍ଯ୍ୟନ୍ତ ମାର୍କୋଣାରେ ରାଜଧାନୀ ଅପେରାର କେତେକ ଗାଡ଼ି ଏବଂ ୧୫ଜଣ କର୍ମଚାରୀ ଅଟକି ରହିଛନ୍ତି ।
ମେସ ଚଳାଇବା ପାଇଁ ମାଲିକ ୩୬ହଜାର ଟଙ୍କା ମ୍ୟାନେଜର ବିକ୍ରମ ସାମଲଙ୍କ ନିକଟକୁ ଗତକାଲି ପଠାଇଥିଲେ । ହେଲେ ମ୍ୟାନେଜର କର୍ମଚାରୀଙ୍କୁ ଆଳ ଦେଖାଇ ଖସି ବୁଲୁଥିଲେ । ଗତକାଲି ବିଳମ୍ବିତ ରାତିରେ ମ୍ୟାନେଜର ଯାତ୍ରା ପାର୍ଟିର ୫ଟି ସେଲଫି ଏବଂ ଏକ ଲକ୍ଷ ଟଙ୍କା ମୂଲ୍ୟର ୬ ଟି ଲେଜର ଚୋରି କରିନେଇ ଛୁ ମାରିଥିବାର ଥାନାରେ ଆଜି ଅଭିଯୋଗ ହୋଇଛି । ଗତକାଲି ରାତିଠାରୁ ଉପାସରେ ରୋଷେୟା, ଲେବର, ଲାଇଟ କର୍ମଚାରୀ, ପାଞ୍ଚ ଜଣ ଡ୍ରାଇଭର ଏବଂ ପ୍ରଚାରକ ବସନ୍ତଙ୍କ ସମେତ ୧୫ଜଣ ଉପାସରେ ପଡ଼ି ରହିଥିବାର ଦେଖିବାକୁ ମିଳିଛି । ପ୍ରଥମେ ଦରମାକୁ ନେଇ ମାଲିକ ଓ ଖଳନାୟକ ମଧ୍ୟରେ ବିବାଦ ଏବଂ ମେସ ମ୍ୟାନେଜର ଛୁ ମାରିବା ପରେ କର୍ମଚାରୀ ଉପାସରେ ପଡ଼ିବା ଘଟଣା ସିମୁଳିଆର ଚର୍ଚ୍ଚାର ବିଷୟ ହୋଇଛି ।