ନୀଳଗିରି,୨୬/୧୨(ଆ.ପ୍ର):ପୁଣି ନୀଳଗିରି ଅଞ୍ଚଳକୁ ମାଡି ଆସୁଛନ୍ତି ଆଉ ଏକ ଝାଡ଼ଖଣ୍ଡ ହାତୀପଲ। ହାତୀପଲରେ ଅଛନ୍ତି ୪୫ ଟି ହାତୀ।ହାତୀପଲ ଆସିବା ସୂଚନା ପାଇ ନୀଳଗିରି ଅଞ୍ଚଳରେ ପୁଣି ଅଂଚଳବାସୀ ଆତଙ୍କିତ ହୋଇପଡିଛନ୍ତି।
ସୂଚନାଯୋଗ୍ୟ କିଛିଦିନ ଆଗରୁ ନୀଳଗିରି ଅଞ୍ଚଳରୁ ୫୫ ଟିକିଆ ଝାଡ଼ଖଣ୍ଡ ହାତୀପଲ ବ୍ୟାପକ ଫସଲ ନଷ୍ଟ କରି ଫେରିଥିଲେ।ଚାଷୀମାନେ ସାମାନ୍ୟ ଆଶ୍ୱସ୍ତ ନହେଉଣୁ ପୁଣି ଅଦିନିଆ ବର୍ଷାରେ ଚାଷ କ୍ଷତିପାଇଁ ଚାଷୀମାନେ ଚିନ୍ତିତ ଅଛନ୍ତି।ପୁଣି ମୟୁରଭଞ୍ଜ ଜିଲ୍ଲା ବେତନଟି ରେଞ୍ଜ ନାଖରା ନଡ଼ପୁର ଜଙ୍ଗଲ ଛାଡି ନାଖରା ପାଖରେ ୪୫ ଟିକିଆ ଆଉ ଏକ ହାତୀପଲ ନୀଳଗିରି ଆଡକୁ ମୁହାଁଇଛନ୍ତି। ହାତୀଗୁଡିକ ବଳଙ୍ଗନଦୀ ପାଖରେ ଜଡ଼ିଦା ଅଞ୍ଚଳରେ ଘୁରିବୁଲିବା ପରେ ସେହି ଅଞ୍ଚଳର ଲୋକେ କ୍ଷେତରେ ଥିବା ଧାନ ନଡ଼ା ଜାଳିଦେବାରୁ ହାତୀପଲ ଭୟରେ ଏଣେ ତେଣେ ଦୌଡ଼ି ବୁଲୁଥିବା ଦେଖାଯାଇଛି।
ତେବେ ହାତୀପଲ ନୀଳଗିରି ଆସିବା ସୂଚନା ମିଳିବା ପରେ ବନବିଭାଗ ସଜାଗ ହୋଇଛି।ଧାନ ଅମଳ ସରିଥିବା ବେଳେ ନୀଳଗିରି ହାତୀପଲ ଆସିଲେ ଖାଦ୍ୟପାଇଁ ଗଛିତ ଧାନ କଳେଇ ଓ ଘରେ ଧାନ ବସ୍ତା କୁ ଖାଦ୍ୟଭାବେ ଟାର୍ଗେଟ କରିବେ ବୋଲି ଅନୁମାନ କରାଯାଉଛି।ଗାଁ ପଶି ଉପଦ୍ରବ କରିବା ଆଶଙ୍କା ଥିବାରୁ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଥିବା ଜଣାଯାଇଛି।