ନୂଆଦିଲ୍ଲୀ,୦୭/୦୧: ବାଂଲାଦେଶରେ ହିନ୍ଦୁମାନଙ୍କ ବିରୁଦ୍ଧରେ ହିଂସା-ହତ୍ୟା ଘଟଣା ନିରନ୍ତର ବଢି ବଢି ଚାଲିଛି । ଏଥିରେ ଆଉ ଏକ ଘଟଣା ଯୋଡି ହୋଇଛି । ନାଓଗାଓଁରେ ମିଥୁନ ସରକାରଙ୍କୁ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ନାଓଗାଓଁରେ ମିଥୁନ ସରକାର (୨୫) ନାମକ ଜଣେ ହିନ୍ଦୁ ଯୁବକଙ୍କୁ କେନାଲରେ ବୁଡ଼ାଇ ହତ୍ୟା କରାଯାଇଛି । ୨୦ ଦିନ ମଧ୍ୟରେ ଏହା ସପ୍ତମ ଘଟଣା । ଘଣ୍ଟା ପରେ ଘଣ୍ଟା ବିତୁଛି । ଦିନ, ସପ୍ତାହ, ନାମ, ସ୍ଥାନ ବଦଳୁଛି ହେଲେ ପରିଚୟ ହିନ୍ଦୁ ରହୁଛି । କେବେ ଥମିବ ରକ୍ତମୁଖା ବାଂଲାଦେଶର ନରସଂହାର ? ହିନ୍ଦୁମାନଙ୍କ ବିରୁଦ୍ଧରେ ହିଂସା ଘଟଣା ଉପରେ ନଜର ରଖି, ବାଂଲାଦେଶ ସଂଖ୍ୟାଲଘୁ ଫୋରମ୍ କହିଛି ଯେ, ସାମ୍ପ୍ରଦାୟିକ ହିଂସା ବୃଦ୍ଧି ପାଉଛି । ଏହା ଭୟ ଏବଂ ଅନିଶ୍ଚିତତାର ବାତାବରଣ ସୃଷ୍ଟି କରିଛି ।

୨୦ ଦିନରେ ଗଲାଣି ୭ ଜୀବନ- ହିଂସାର ନିଆଁରେ ଜଳୁଥିବା ବାଂଲାଦେଶରେ ପ୍ରଥମେ ୧୮ ଡିସେମ୍ବର, ୨୦୨୫ରେ ଦୀପୁ ଚନ୍ଦ୍ର ଦାସଙ୍କୁ କିଛି ଲୋକ ପିଟି ପିଟି ହତ୍ୟା କରିଥିଲେ। ତା ପରେ ତାଙ୍କ ମୃତଦେହକୁ ଗଛରେ ଟଙ୍ଗି ପୋଡ଼ି ଦେଇଥିଲେ । ସୋସିଆଲ ମିଡିଆରେ ହତ୍ୟା ସମୟରେ ଭିଡିଓ ଭାଇରାଲ ହୋଇଥିଲା ଯାହ ଛାତିଥରା ଥିଲା । ଏହା ପରେ ଡିସେମ୍ବର ୨୫ରେ ଏକ ଭିଡ଼ ହିଂସାରେ ଅମୃତ ମଣ୍ଡଳଙ୍କୁ ହତ୍ୟା କରାଯାଇଥିଲା । ପରବର୍ତ୍ତୀ ସମୟରେ, ଡିସେମ୍ବର ୨୯ରେ, ମେହରାବାରି ଅଞ୍ଚଳରେ ସୁରକ୍ଷା ଦାୟିତ୍ୱରେ ଥିବା ସମୟରେ ବଜେନ୍ଦ୍ର ବିଶ୍ୱାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହା ପରେ ଆଉ ଜଣେ ହିନ୍ଦୁ ଖୋକନ ଦାସଙ୍କୁ ଆକ୍ରମଣ ହୋଇଥିଲା । ଜୀବନ ମୃତ୍ୟୁ ସହ ଲଢେଇ କରି ଆଖି ବୁଜିଥିଲେ । ଏହାପରେ ସୋମବାର ରାଣା ପ୍ରତାପ ବୈରାଗୀ ନାମକ ଜଣେ ସାମ୍ବାଦିକଙ୍କୁ ହତ୍ୟା କରାଯାଇଥିଲେ । ଏହା ପରେ ଜଣେ ତେଜରାତି ସାମଗ୍ରୀ ବ୍ୟବସାୟୀ ମଣି ଚକ୍ରବର୍ତ୍ତୀଙ୍କୁ ହତ୍ୟା କରିଥିଲେ କିଛି ଦୁର୍ବୃତ୍ତ । ଏବେ ମିଥୁନ ସରକାର ହତ୍ୟାର ଶିକାର ହୋଇଛନ୍ତି ।

ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଲଗାତାର ଆକ୍ରମଣ ବଢି ଚାଲିଛି । ଏ ହିଂସା ଘୃଣାର ନିଆଁରେ କେବେ ଥମିବ ହିନ୍ଦୁଙ୍କ ଉପରେ ଆକ୍ରମଣ ତାହା ଏବେ ବଡ଼ ପ୍ରଶ୍ନ ହୋଇଛି । ବାଂଲାଦେଶର ପୂର୍ବ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବିରୋଧୀ ଛାତ୍ର ନେତା ଉସମାନ ହାଦୀଙ୍କୁ ହତ୍ୟା ପରେ ଅଶାନ୍ତ ଆରମ୍ଭ ହୋଇଛି ।