ଦାରିଙ୍ଗବାଡି,୮/୧୧(ଆପ୍ର): ଦାରିଙ୍ଗବାଡି ବ୍ଲକ ମାଣ୍ଡିପଙ୍କା ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି । କଟକ ଏସସିବି ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଜିତା ମାଝୀଙ୍କ ସୋମବାର ମୃତ୍ୟୁ ଘଟିଛି  । ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୩ ରେ ପହଞ୍ଚିଲା । କଟକ ଏସସିବି ମେଡ଼ିକାଲରେ ୨ ଜଣ ଜିତା ମାଝୀ ଓ ଟୁନି ମାଝୀ ଚିକିତ୍ସାଧିନ ଥିଲେ। ଜିତା ମାଝୀ ଙ୍କ ମୃତ୍ୟୁ ହେବା ପରେ ଟୁନି ମାଝୀଙ୍କ ଚିକିତ୍ସା ଜାରି ରହିଛି । ଦାରିଙ୍ଗବାଡ଼ି ବ୍ଲକ୍‌ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମ ଦାଡ଼ା ସାହିରେ ଆମ୍ବ ଟାକୁଆ ଜାଉ ଖାଇ ପୂର୍ବରୁ ନଣନ୍ଦ ରୁନୁ  ମାଝୀ(୨୮) ଏବଂ ଭାଉଜ ରମିତା ପାଟମାଝୀ (୨୫)ଙ୍କ ମୃତ୍ୟୁ ଘଟିଛି ।

 ରୁନୁ  ଓ ରମିତାଙ୍କ ପରିବାର ଲୋକେ ଆମ୍ବ  ଟାକୁଆ ଜାଉ ଖାଇଥିଲେ । କିଛି ଘଣ୍ଟା ପରେ ଧୀରେଧୀରେ  ଜଣଙ୍କ ପରେ ଆଉ ଜଣେ ଅସୁସ୍ଥ ହୋଇ ପଡ଼ିଥିଲେ ।  ବିଳମ୍ବିତ ରାତିରେ ରମିତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ  ଲାଗିଥିଲା । ଏଣୁ ତାଙ୍କୁ ପ୍ରଥମେ ବ୍ରାହ୍ମଣୀଗାଁ ଡାକ୍ତରଖାନାରେ  ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ  ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରିଥିଲେ । କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଯାଉ ଖାଇଥିବା ଅନ୍ୟ ୭ ଜଣଙ୍କ  ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ସେମାନଙ୍କୁ ପ୍ରଥମେ ବ୍ରାହ୍ମଣୀଗାଁ  ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥା ଗୁରୁତର  ଥିବା ନେଇ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର  କରାଯାଇଥିଲା । ବ୍ରହ୍ମପୁର ନେବା ବାଟରେ ମୋହନାଠାରେ  ରୁନୁ ମାଝୀଙ୍କ ଜୀବନ ଚାଲି ଯାଇଥିଲା । ଅନ୍ୟ ୬ ଜଣ ବ୍ରହ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜିତା ମାଝୀ ଓ ଟୁନି ମାଝୀଙ୍କୁ କଟକ ଏସସିବି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।