ଭୁବନେଶ୍ବର, ୫।୧୦ : ଏସଆଇ ପରୀକ୍ଷା କେଳେଙ୍କାରୀ ଘଟଣାରେ କ୍ରାଇମବ୍ରାଞ୍ଚ ଆଉ ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବାଲେଶ୍ବର ଜିଲ୍ଲା ସିଙ୍ଗଲା ଥାନା ଅଧୀନ ନାବରା ଗ୍ରାମର ଅରବିନ୍ଦ ଦାସ। ଫଳରେ ମୋଟ ଗିରଫ ସଂଖ୍ୟା ୧୧୯ରେ ପହଞ୍ଚିଛି।  ପୂର୍ବରୁ ଏହି ମାମଲାରେ  ୧୧୮ ଜଣ  ଗିରଫ ହୋଇ ଜେଲରେ ଅଛନ୍ତି।

ସୂଚନାଯୋଗ୍ୟ ଯେ , ଅକ୍ଟୋବର ୫ ଓ ୬ ତାରିଖ ଦୁଇ ଦିନ ସାରା ରାଜ୍ୟରେ ଓଡ଼ିଶା ପୁଲିସ ନିଯୁକ୍ତ ବୋର୍ଡ (ଓପିଆର୍‌ବି) ପରିଚାଳିତ ଏସ୍‌ଆଇ ପରୀକ୍ଷା ହେବାର ଥିଲା । ଏଥିପାଇଁ ଗତ ୩୦ ତାରିଖ ରାତିରେ  ୩ଟି ବସ୍‌ରେ ଆଶାୟୀ ପରୀକ୍ଷାର୍ଥୀ ବିଜୟନଗରମ୍‌ ଯାଉଥିଲେ । ସେଠାରେ ରହି ଲିଖିତ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ଅଭ୍ୟାସ କରିଥାଆନ୍ତେ । ଏଥିପାଇଁ ବଡ଼ ଧରଣର ଡିଲ୍‌ ବି ହୋଇଥିଲା । ବ୍ରହ୍ମପୁର ଏସ୍‌ପି ଡା. ସରବଣା ବିବେକ ଏମ୍‌ଙ୍କ ନିର୍ଦ୍ଦେଶ ପରେ ବୈଦ୍ୟନାଥପୁର, ଗୋସାଇଁ ନୂଆଗାଁ ଓ ଗୋଳନ୍ଥରା ଥାନା ପୁଲିସକୁ ନେଇ ଟିମ୍‌ ଗଠନ ହୋଇଥିଲା । ପୁଲିସ ଟିମ୍‌ ଶ୍ରୀକାକୁଲମ୍‌ ପୁଲିସ ସହଯୋଗରେ ୩ଟି ବସ୍‌କୁ ଅଟକାଇବା ସହ ସେମାନଙ୍କୁ ବ୍ରହ୍ମପୁର ନେଇ ଆସିଥିଲେ ।

ଏହି ମାମଲାରେ ୩ ଜଣ ଦଲାଲଙ୍କ ସହ ୧୧୪ ଜଣ ପରୀକ୍ଷାର୍ଥୀଙ୍କୁ ୧ ତାରିଖରେ ଗୋଳନ୍ଥରା ଥାନା ପୁଲିସ୍‌ ଗିରଫ କରିଥିଲା । ୧୧୭ ଜଣ ବ୍ରହ୍ମପୁର ଜେଲ୍‌ରେ ଅଛନ୍ତି । ଏମାନେ ଗିରଫ ହେବା ପରେ ଘଟଣା ତଦନ୍ତଭାର କ୍ରାଇମ୍‌ବ୍ରାଞ୍ଚକୁ  ହାତକୁ ଯାଇଥିଲା । କ୍ରାଇମବ୍ରାଞ୍ଚ ତଦନ୍ତ କରି କଟକ ବାରଙ୍ଗ ଥାନା ବିଦ୍ୟାଧରପୁର ଗାଁର ବିଶ୍ୱରଞ୍ଜନ ବେହେରା (୨୯)କୁ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଥିଲା।