ନୂଆଦିଲ୍ଲୀ,୬।୯: ଦେଶରୁ ନକ୍ସଲବାଦକୁ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ସମୁଳେ ନିପାତ କରିବାର ସମୟ ସୀମା ରଖିଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ୩୦ ରୁ ଅଧିକ ନୂଆ ଅଗ୍ରୀମ ଆର୍ମି ବେସ୍ ତିଆରି କରିବେ। ସିଆରପିଏଫ୍ ତଥା ଏହାର କୋବ୍ରା ବାଟାଲିଅନର ସ୍ବତନ୍ତ୍ର ୟୁନିଟ୍ ଛତିଶଗଡରେ ଟପ୍ ମାଓବାଦୀ ନେତାଙ୍କୁ ଟାର୍ଗେଟ କରିବା ପାଇଁ ଭିତର ପର୍ଯ୍ୟନ୍ତ ଯିବେ। ଶନିବାର ଏନେଇ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ଶୁକ୍ରବାର ଛତିଶଗଡର ରାଜଧାନୀ ରାୟପୁରରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ଏଥିରେ କେନ୍ଦ୍ର ଗୃହସଚିବ ଗୋବିନ୍ଦ ମୋହନ, ଗୁଇନ୍ଦା ବ୍ୟୁରୋ ନିର୍ଦ୍ଦେଶକ ତପନ ଡେକା, ସିଆରପିଏଫ୍ ମହାନିର୍ଦ୍ଦେଶକ ଜ୍ଞାନେନ୍ଦ୍ର ପ୍ରତାପ ସିଂହ, ଛତିଶଗଡ଼ର ଡିଜିପି ଅରୁଣ ଦେବ ଗୌତମଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ନକ୍ସଲ ବିରୋଧି ଅଭିଯାନ ଉପରେ ହୋଇଥିବା ବୈଠକରେ ସୁରକ୍ଷାବାହିନୀଙ୍କୁ ମୁତୟନ କରାଯାଇଥିଲା। ଏହାସହ ତାଙ୍କର ଆବଶ୍ୟକତାକୁ ମଧ୍ୟ ସମୀକ୍ଷା କରାଯାଇଥିଲା, ଯେଉଁମାନେ କି ଆଭ୍ୟନ୍ତରୀଣ ଅଞ୍ଚଳକୁ ଯିବେ। ବର୍ଷା ଶେଷ ହେବାପରେ ବସ୍ତରର ଦୁଗର୍ମ ଅଞ୍ଚଳରେ ୩୦ ରୁ ଅଧିକ ଫରଓ୍ବାର୍ଡ ଅପରେଟିଂ ବେସ୍ (ଏଫ୍ଓବି) ଖୋଲିବାର ନିଷ୍ପତ୍ତି ନିଆଯାଇଛି। ଫଳରେ ଅଭିଯାନକୁ ଆହୁରି ଦ୍ରୁତ କରିହେବ।