ଭୁବନେଶ୍ୱର,୧୨/୦୬: ନୂଆ ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ ପାଇଁ ବାଟ ଖୋଲିବ । ଏନେଇ ଖୁବ୍‌ଶୀଘ୍ର  ରାଜସ୍ୱ ଏବଂ ନଗର ଉନ୍ନୟନ ବିଭାଗ ମଧ୍ୟରେ ବୈଠକ  ବସିବ । ଏହା ପରେ ନୂଆ ବିଜ୍ଞପ୍ତି ପ୍ରକାଶ ପାଇବ । ବୁଧବାର  ରାଜସ୍ୱ ମନ୍ତ୍ରୀ ସୂରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି । 

ଓରେରା ନିୟମ ଅନୁସାରେ ଜଣେ ବିଲଡର ଘର  ରେଜିଷ୍ଟ୍ରି ପୂର୍ବରୁ କିଛି ଅଞ୍ଚଳ ଛାଡିବା ବାଧ୍ୟତାମୂଳକ ।  ଏଥିରେ ରାସ୍ତା, ଡ୍ରେନ୍‌, ଖେଳ ପଡିଆ, ମଣ୍ଡପ ଏବଂ  ଇଲେକ୍ଟିକ ଭଳି ଆନୁସଙ୍ଗିକ ସୁବିଧା ରହିବ । ଲୋକଙ୍କ  ପାଇଁ ଉଦ୍ଧିଷ୍ଟ ଏହି ଜାଗାକୁ ସେମାନେ ସୋସାଇଟି ନାଁରେ ରେଜିଷ୍ଟ୍ରେସନ କରିବେ । ଏହା ପରେ ବିଲ୍ଡିଂ ବିକ୍ରି ପାଇଁ  ଅନୁମତି ମିଳିବ ।  

କମନ ସ୍ପେଶ ରେଜିଷ୍ଟ୍ରିକୁ ନେଇ କେଁ ଉଠିଥିଲା ।  ସରକାରଙ୍କ ପକ୍ଷରୁ ଏହି କମନ ସ୍ପେଶ ରେଜିଷ୍ଟ୍ରି ଫି ଧାର୍ଯ୍ୟ  ହୋଇନାହିଁ । ସେହିପରି ଫ୍ଲାଟ କିଣିବା ବେଳେ କମନ  ସ୍ପେଶ ଏବଂ ଫ୍ଲାଟ ଦର ଏକା ସଙ୍ଗେ ଦେବେ ନା ପୃଥକ  ଭାବେ ତାକୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ଉପୁଜିଥିଲା । ଫଳରେ  ଓରେରା ଆକ୍ଟ ଅନୁସାରେ ରେଜିଷ୍ଟ୍ରେସନ ବନ୍ଦ ରହିଥିଲା ।  ଏହି ରେଜିଷ୍ଟ୍ରେସନ ପାଇଁ ଏବେ ବାଟ ଫିଟିବ । ଗତକାଲି  ପାର୍ଟ ପ୍ଲଟ ବିକ୍ରି କରିବା ପାଇଁ ବାଟ ଫିଟିଥିବା ବେଳେ ଆଜି  ପୁଣି ଆପାର୍ଟମେଣ୍ଟ ରେଜିଷ୍ଟ୍ରି ପାଇଁ ନିୟମରେ ସଂଶୋଧନ  ସରକାର ଆଣିବେ । ଏନେଇ ଏକ ଉଚ୍ଚ ସ୍ତରୀୟ ବୈଠକରେ  ଆଲୋଚନା ହେବ ବୋଲି ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି ।