ନୂଆଦିଲ୍ଲୀ, ୧୨/୯ : ସେଓ ଚାଷୀଙ୍କୁ ରେଲୱେର ବଡ଼ ଭେଟି। କାଶ୍ମୀରରୁ ଦିଲ୍ଲୀ ଚାଲିବ ସେଓ ଏକ୍ସପ୍ରେସ୍। ଉପକୃତ ହେବେ ଘାଟୀର ସେଓ ଚାଷୀ। ସେପ୍ଟେମ୍ଵର ୧୩ରୁ କାଶ୍ମୀରରୁ ଦିଲ୍ଲୀ ଯାଏଁ ସେଓ ଏକ୍ସପ୍ରେସ୍ ଟ୍ରେନ୍ ଚାଲିବ। ଏହି ଟ୍ରେନ୍ ଫସଲକୁ ସୁରକ୍ଷିତ ଭାବରେ ଦିଲ୍ଲୀ ଯାଏଁ ପହଞ୍ଚାଇବ। ଲଗାଣ ବର୍ଷା ଓ ଭୂସ୍ଖଳନ ଯୋଗୁଁ ଶ୍ରୀନଗର ଓ ଜାମ୍ମୁକୁ ଯୋଡ଼ୁଥିବା ହାଇୱେ ଚଳିତ ମାସ ବନ୍ଦ ରହିଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରେଳ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।
ରେଲୱେର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଦିଲ୍ଲୀର ଆଜାଦପୁର ମଣ୍ଡିକୁ ଦେଶର ବିଭିନ୍ନ ଅଞ୍ଚଳରୁ ଫଳ ଆସେ। ଏହାପରେ ଭିନ୍ନ ଭିନ୍ନ ଅଞ୍ଚଳକୁ ଫଳ ପଠାଯାଏ। ଲଗାଣ ବର୍ଷା ଓ ଭୂସ୍ଖଳନ ଯୋଗୁଁ ଶ୍ରୀନଗର ଓ ଜାମ୍ମୁକୁ ଯୋଡ଼ୁଥିବା ହାଇୱେ ଚଳିତ ମାସ ବନ୍ଦ ରହିଛି। ଏଥିପାଇଁ ଘାଟୀରୁ ସେଓ ଆସିପାରୁ ନାହିଁ। ସେଓ ଏକ୍ସପ୍ରେସ୍ ଟ୍ରେନ୍ ଚାଲିବା ଦ୍ଵାରା ଘାଟୀର ଫଳ ଉତ୍ପାଦକ ଦିଲ୍ଲୀ ଯାଏଁ ନିଜ ଜିନିଷକୁ ପହଞ୍ଚାଇ ପାରିବେ।
ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲା ଏହି ନିଷ୍ପତ୍ତିକୁ ସ୍ଵାଗତ କରିଛନ୍ତି। ସେ କହିଛନ୍ତି ଯେ, ଜିନିଷ ନିର୍ଦ୍ଧାରିତ ସମୟରେ ନପହଞ୍ଚିବା ଯୋଗୁଁ ଖରାପ ହୋଇଯାଏ। ଏହାର ଗୁଣବତ୍ତା କମିଯାଏ। ରେଲୱେର ଏହି ନିଷ୍ପତ୍ତି ପରେ ସେଓ ଚାଷୀଙ୍କୁ ଆଶ୍ଵସ୍ତି ମିଳିବ। ରେଲୱେର ୮ଟି ଡବା ବାଲା ପାର୍ସଲ ଟ୍ରେନ୍ ସେଣ୍ଟ୍ରାଲ୍ କାଶ୍ମୀରର ବଡ଼ଗାମରୁ ସକାଳ ୬ଟା ୧୫ରୁ ବାହାରିବ। ପରଦିନ ସକାଳ ୫ଟାରେ ଦିଲ୍ଲୀର ଆଦର୍ଶ ନଗର ଷ୍ଟେସନରେ ପହଞ୍ଚିବ। ଆଜାଦପୁର ମଣ୍ଡିର ସବୁଠୁ ନିକଟତର ଷ୍ଟେସନ ହେଉଛି ଆଦର୍ଶ ନଗର।