ଭୁବନେଶ୍ୱର, ୦୧/୦୬: ଆଜି ଯୁକ୍ତ ତିନି ନାମଲେଖା ପାଇଁ ଆବେଦନ ସମୟ ସୀମା ଶେଷ ହେବ । ଏବେସୁଦ୍ଧା ରହିଥିବା ସିଟ୍‌ଠୁ କମ୍‌ ଆବେଦନ ମିଳିଛି । ରାଜ୍ୟରେ ଯୁକ୍ତ ୩ ନାମଲେଖା ପାଇଁ ୨ ଲକ୍ଷ ୭୬ ହଜାର ୫୬୯ ସିଟ୍‌ ରହିଛି  । ହେଲେ ଆଜି ଯାଏ ୨ ଲକ୍ଷ ୪୬ ହଜାର ୮୦୦ ଆବେଦନ ହୋଇଛି । ଚଳିତବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପରିଚାଳିତ ଯୁକ୍ତ ଦୁଇରେ ୩ ଲକ୍ଷ ୨୦ ହଜାର ୧୬୨ ଜଣ ପାସ୍‌ କରିଛନ୍ତି । କେବଳ ଏତିକି ନୁହେଁ, ସିବିଏସ୍‌ଇ ପରିଚାଳିତ ଦ୍ୱାଦଶ ଶ୍ରେଣୀରେ ୩୨ ହଜାର ୭୦ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ମୋଟ ୩ ଲକ୍ଷ ୫୨ ହଜାର ଜଣ ଉତ୍ତୀର୍ଣ୍ଣ ସତ୍ତେ୍ୱ ଏତେ କମ୍‌ ସଂଖ୍ୟକ କାହିଁକି ଆବେଦନ ହେଉଛି ତାହା ଚିନ୍ତାର ବିଷୟ ପାଲଟିଛି । ପିଲାମାନେ ପାଠ ଛାଡ଼ୁଛନ୍ତି ନା ସାଧାରଣ ଶିକ୍ଷାରୁ ମୁହଁ ମୋଡ଼ୁଛନ୍ତି ତାହା ଏବେ ପ୍ରଶ୍ନବାଚୀ ହୋଇଛି ।  

ସୂଚନାଯୋଗ୍ୟ, ଗତ ୨୦ ତାରିଖରେ ଯୁକ୍ତ ତିନି ନାମଲେଖାର ଶେଷ ତାରଖ ଥିଲା । ଆବେଦନ ସିଟ୍‌ର ଅଧା ପିଲା ଆବେଦନ କରି ନଥିଲେ । ସିଏଚ୍‌ଏସ୍‌ଇ ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ନପାଇବା କାରଣରୁ ଆବେଦନକାରୀଙ୍କ ସଂଖ୍ୟା କମ୍‌ ବୋଲି ଆଶଙ୍କା କରାଗଲା । ଏହାପରେ ଆବେନଦର ସମୟ ସୀମାକୁ ଉଚ୍ଚଶିକ୍ଷା ବିଭାଗ ଜୁନ୍‌ ୧ ତାରିଖକୁ ବୃଦ୍ଧି କଲେ । ଆଜି ଯୁକ୍ତ ତିନି ନାମଲେଖା ଆବେଦନ ଶେଷ ହେବ । କିନ୍ତୁ ଗତକାଲି ରାତି ସାଢ଼େ ୯ଟା ଭିତରେ ମାତ୍ର ୨ ଲକ୍ଷ ୪୬ ହଜାର ୮୦୦ ପିଲା ଆବେଦନ କରିଛନ୍ତି । ଏଥିରୁ ୨ ଲକ୍ଷ ୩୯ ହଜାର ୩୩୩ଜଣ ଅନ୍‌ଲାଇନରେ ଆବେଦନ ଫି ଦାଖଲ କରିଛନ୍ତି । ପାଖାପାଖି ୩୦ ହଜାର କମ୍‌ ଆବେଦନ ହୋଇଛି । ଏଥିରୁ ସ୍ପଷ୍ଟ ଯେ ଗତବର୍ଷ ଭଳି ଏବର୍ଷ ମଧ୍ୟ ଯୁକ୍ତ ତିନିରେ ସିଟ୍‌ ଖାଲି ପଡ଼ିବ ।  ସୂଚନାଯୋଗ୍ୟ, ଗତ ଶିକ୍ଷାବର୍ଷ (୨୦୨୪-୨୫) ରେ ୧୦୫୮ କଲେଜର ୨ ଲକ୍ଷ ୭୪ ହଜାର ୩୪୩ ସିଟ୍‌ରେ ନାମଲେଖା ହୋଇଥିଲା । ଏଥିରୁ ୬୯ ହଜାର ୫୭୨ ସିଟ୍‌ ଅର୍ଥାତ୍‌ ୨୫ ପ୍ରତିଶତ ସିଟ୍‌ ଖାଲି ପଡ଼ିଥିଲା । କଳାରେ ମାତ୍ର ୧୭% ସିଟ୍‌ ଖାଲି ପଡ଼ିଥିବା ବେଳେ ବାଣିଜ୍ୟରେ ୪୩% , ବିଜ୍ଞାନରେ ୩୨% ସିଟ୍‌ ଖାଲି ପଡ଼ିଥିଲା । ସେଲ୍ଫ ଫାଇନାନ୍ସରେ ୩୯%, ସଂସ୍କୃତରେ ୩୬% ସିଟ୍‌ ଫାଙ୍କା ରହିଥିଲା ।  

ତେବେ ଉତ୍ତୀର୍ଣ୍ଣ ଶିକ୍ଷାର୍ଥୀମାନେ କେଉଁଆଡ଼େ ଯାଉଛନ୍ତି ବୋଲି ଶିକ୍ଷାବିତ୍‌ଙ୍କ ପ୍ରଶ୍ନ । ଇଣ୍ଟିଗ୍ରେଡେଟ୍‌ ବିଏଡ୍‌, ସିଟି ନାମଲେଖା ଆରମ୍ଭ ହୋଇନି । ଆଇଟିଆଇ, ଡିପ୍ଲୋମାରେ ଆବେଦନକାରୀଙ୍କ ସଂଖ୍ୟା ମଧ୍ୟ ଢେର କମ୍‌ । ସିଟ୍‌ ଖାଲି ପଡୁ଼ଛି । ବିଟେକ୍‌ରେ ମଧ୍ୟ ସମାନ ଅବସ୍ଥା । ତେବେ ଯୁକ୍ତ ଦୁଇ ପରେ ପ୍ରତିବର୍ଷ ସିଟ୍‌ ଖାଲି ପଡ଼ିବା ଚିନ୍ତା ବଢ଼ାଇଛି ।