ଭୁବନେଶ୍ୱର, ୨୩/୦୮ : ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଶନିବାରଠୁ ନାମଲେଖା ପାଇଁ ଆବେଦନ ଆରମ୍ଭ ହେବ । ସାମ୍‌ସ ୱେବ୍‌ସାଇଟ୍‌ ମାଧ୍ୟମରେ ସେପ୍ଟେମ୍ବର ୩ ତାରିଖ ମଧ୍ୟରେ ଅନ୍‌ଲାଇନ୍‌ ଆବେଦନ ସୁଯୋଗ ରହିବ । ୪ ତାରିଖରେ ଦରଖାସ୍ତ ସଂଶୋଧନର ସୁଯୋଗ ଦିଆଯିବ । ୧୦ ତାରିଖରେ ଏହି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖାର ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀ ୧୧ ରୁ ୧୩ ତାରିଖ ମଧ୍ୟରେ ନାମ ଲେଖାଇବାକୁ ସୁଯୋଗ ପାଇବେ । 

ଏହାପରେ ବଳକା ସିଟ୍‌ରେ ୱେଟିଂ ଲିଷ୍ଟ୍‌ ନାମଲେଖା ହେବ । ଏଥିପାଇଁ ୧୫ ତାରିଖରୁ ୧୬ ମଧ୍ୟରେ ଆବେଦନକାରୀ ନିଜର ସମସ୍ତ ପ୍ରମାଣପତ୍ର ସହ କମନ୍‌ ଆପ୍ଲିକେସନ ଫର୍ମ ସହ ନାମ ଲେଖାଇବାକୁ ଚାହୁଁଥିବା ପ୍ରତିଷ୍ଠାନରେ ଆବେଦନ କରିବେ । ୧୭ ତାରିଖ ଅପରାହ୍ନ ୨ଟାରେ ଏହାର ଚୟନ ଶିକ୍ଷାର୍ଥୀଙ୍କ ତାଲିକା ପ୍ରକାଶ ପାଇବ । ଏଥିରେ ସ୍ଥାନିତ ହୋଇଥିବା ପିଲାମାନେ ୧୮ରୁ ୨୨ ତାରିଖ ମଧ୍ୟରେ ନାମ ଲେଖାଇବେ । 

ସୂଚନାଯୋଗ୍ୟ, ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ ନାମଲେଖା ଗତ ଜୁଲାଇ ୧୬ ତାରିଖରୁ ଶେଷ ହୋଇଛି । ଜୁଲାଇ ୧୦ ତାରିଖରୁ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ମଧ୍ୟ ଆରମ୍ଭ ହୋଇଛି । ଅନ୍ୟପଟେ ଯୁକ୍ତ ତିନି ପାଇଁ ରହିଥିବା ମୋଟ ୨ ଲକ୍ଷ ୭୭ ହଜାର ୩୮୯ ସିଟ୍‌ରୁ ଏବେ ସୁଦ୍ଧା ୧ ଲକ୍ଷ ୭୮ ହଜାର ୧୭୭ ଜଣ ନାମ ଲେଖାଇଛନ୍ତି । ଆହୁରି ୯୯ ହଜାର ୨୧୨ ସିଟ୍‌ ଖାଲିପଡ଼ିଛି ।