ନୂଆଦିଲ୍ଲୀ ୧୩/୦୭: ୨୩୦୦ରୁ ଅଧିକ ବର୍ଷ ହେଲା ମାଟି ତଳେ ପୋତାଥିବା ଏକ କାଂସ୍ୟ ମଦ ବୋତଲ ଚୀନ୍ର ପ୍ରତ୍ନତତ୍ତ୍ୱବିତ୍ମାନଙ୍କୁ ଚକିତ କରିଛି । ପ୍ରାଚୀନ ସମୟରେ ଲୋକେ କେମିତି ମଦ ପ୍ରସ୍ତୁତ କରୁଥିଲେ, କେମିତି ଗଚ୍ଛିତ କରୁଥିଲେ ଏବଂ ପ୍ରାଚୀନ ଚୀନ୍ର ଅନ୍ୟତମ ସବୁଠୁ ଗୁରୁତ୍ୱପୂର୍ଣ୍ଣ ସମୟରେ ଲୋକେ କେମିତି ମାଦକ ପାନୀୟକୁ ପୋତିଥିଲେ, ଏହି ଆବିଷ୍କାର ସେ ବିଷୟରେ ଅନନ୍ୟ ତଥ୍ୟ ପ୍ରଦାନ କରିଛି ।
ଚୀନ୍ର ଶାନ୍ଜିଆ ଆବୋ ସମାଧିସ୍ଥଳରେ ଏକ କବର ଖନନ ସମୟରେ ଗବେଷକମାନେ ଏକ କାଂସ୍ୟ ବୋତଲ ଆବିଷ୍କାର କଲେ । ଦୀର୍ଘ ଦୁଇ ହଜାରରୁ ଅଧିକ ବର୍ଷ ଧରି ଏହା ମାଟି ତଳେ ପୋତିହୋଇ ରହିବା ପରେ ମଧ୍ୟ ଏଥିରେ ମଦ ସୁରକ୍ଷିତ ଥିଲା । ଶୁଖିଯିବା କିମ୍ବା ଦୂଷିତ ହେବା ବଦଳରେ ଏହି ପାନୀୟ ଉତ୍ତମ ରୂପେ ସଂରକ୍ଷିତ ଥିଲା । ବୈଜ୍ଞାନିକ ଅଧ୍ୟୟନ ଲାଗି ଏହା ପର୍ଯ୍ୟାପ୍ତ ।
କିନ୍ ଯୁଗର ବିୟର୍ କେମିତି ଥିଲା, ପ୍ରାଚୀନ ସୁରା ପ୍ରସ୍ତୁତି କୌଶଳ କେମିତି ଥିଲା ଏବଂ ସେମାନଙ୍କ ସମାଧି ଦେବାର ପରମ୍ପରା ଓ ଦୈନନ୍ଦିନ ଜୀବନ କେମିତି ଥିଲା, ଏହି ଆବିଷ୍କାର ଏ ସବୁକୁ ଲୋକଲୋଚନକୁ ଆଣିଛି । ମଦ ମିଳିଥିବା ସମାଧିର ସମୟ ୫୪୭ରୁ ୨୨୧ ଖ୍ରୀଷ୍ଟାବ୍ଦ ବୋଲି ପ୍ରତ୍ନତତ୍ତ୍ୱବିତ୍ମାନେ ଅନୁମାନ କରୁଛନ୍ତି । ଏହି ସମୟରେ କିନ୍ ରାଜ୍ୟ ଶକ୍ତିଶାଳୀ ହୋଇଥିଲା ଏବଂ ଶେଷରେ ଚୀନ୍କୁ ଏକତ୍ରିତ କରିଥିଲା ।
ଆହୁରି ପଢ଼ନ୍ତୁ...Kerala Man Repays Loan After 35 Years: ୩୫ ବର୍ଷ ତଳେ ବନ୍ଧୁଙ୍କଠୁ ଉଧାର ନେଇଥିଲେ ୧୦୦୦, ଫେରାଇଲେ ୨୫ ହଜାର
କାଂସ୍ୟ ବୋତଲର ସ୍ଥିତି ଗବେଷକଙ୍କୁ ସବୁଠୁ ଅଧିକ ଚକିତ କରିଛି । ଏହାର ମୁହଁ ଏତେ ଭଲଭାବେ ବନ୍ଦ ଥିଲା ଯେ ପ୍ରାୟ ୧୫ କପ୍ ଈଷତ୍ ନୀଳ-ସବୁଜ ରଙ୍ଗର ମଦ ଏଥିରେ ସୁରକ୍ଷିତ ଥିଲା । ୨୩୦୦ ବର୍ଷ ମାଟି ତଳେ ରହି ମଧ୍ୟ ଏହାର କୌଣସି ଗନ୍ଧ ନ ଥିଲା । ଏହି ପରିମାଣର ସଂରକ୍ଷିତ ପ୍ରାଚୀନ ମଦ ଅତ୍ୟନ୍ତ ବିରଳ ଆବିଷ୍କାର, ଯାହା ଚୀନ୍ରେ ଆବିଷ୍କୃତ ଶ୍ରେଷ୍ଠ ପ୍ରତ୍ନତାତ୍ତ୍ୱିକ ମାଦକ ପାନୀୟ । ବୋତଲର ଗୋଲ ବେକ ଓ ଠିପି କିନ୍ ଯୁଗର ମାଦକ ପାନୀୟ ପାତ୍ର ସହ ମେଳ ଖାଉଛି । ବୈଜ୍ଞାନିକମାନେ ଏହି ବିୟର୍ ବିଷୟରେ ଜାଣିବାକୁ ପ୍ରୟୋଗଶାଳାରେ ପରୀକ୍ଷା କଲେ ଏବଂ ଏହା ଭିତରେ ୨,୪୦୦ରୁ ଅଧିକ ରସାୟନ ଆବିଷ୍କାର କଲେ ।